ରାଜୀବନଗରରେ ୪ ବର୍ଷର ଶିଶୁପୁତ୍ରକୁ ହତ୍ୟା ଘଟଣା: ବ୍ଲାକମେଲିଂ କରୁଥିବା କଥା ତନୁଶ୍ରୀ କହିବା ପଛର ରହସ୍ୟ କ’ଣ?

ସିସିଟିଭି ଯାଞ୍ଚ କରିବାକୁ ଦାବି

ଭୁବନେଶ୍ବର: ରାଜୀବନଗରରେ ୪ ବର୍ଷର ଶିଶୁପୁତ୍ରକୁ ହତ୍ୟା ଘଟଣାର ୪ ଦିନ ପରେ ବି ରହସ୍ୟ ପର୍ଦ୍ଦାଫାସ୍ କରିପାରିନି ପୁଲିସ। ଶିଶୁପୁତ୍ରକୁ ହତ୍ୟା ପଛର କାରଣ ଜାଣିବାକୁ ରାଜୀବନଗର ସମେତ ରାଜଧାନୀ ବାସିନ୍ଦାଙ୍କ ମନରେ ଉତ୍କଣ୍ଠା ଲାଗି ରହିଛି। ଶିଶୁପୁତ୍ରକୁ ପଡ଼ୋଶୀ ମହିଳା ତନୁଶ୍ରୀ ପରମାଣିକ କାହିଁକି ହତ୍ୟା କଲେ? ହତ୍ୟା ଯୋଜନାବଦ୍ଧ ଥିଲା ନା ଆକସ୍ମିକ? ଯଦି ଯୋଜନାବଦ୍ଧ, ତା’ ହେଲେ କାରଣ କ’ଣ? ଘଟଣା ସମୟରେ ତନୁଶ୍ରୀ, ତାଙ୍କ ଝିଅ ଓ ହତ୍ୟାର ଶିକାର ହୋଇଥିବା ୪ ବର୍ଷର ଶିଶୁପୁତ୍ର ସାଇରାମଙ୍କ ଛଡ଼ା ଆଉ କିଏ ଉପସ୍ଥିତ ଥିଲେ କି? ଏଭଳି ଦିଗକୁ ଆଧାର କରି ଛାନଭିନ୍ ଚଳାଇଛି ତଦନ୍ତକାରୀ ପୁଲିସ।

ଅନ୍ୟପକ୍ଷରେ ତନୁଶ୍ରୀ ହସ୍ପିଟାଲରେ ଚିକିତ୍ସାଧୀନ ଥିବାରୁ ଜେରା କରିବା ଲାଗି ଡାକ୍ତରଙ୍କ ଅନୁମତିକୁ ଅପେକ୍ଷା କରିଛି ପୁଲିସ। ତନୁଶ୍ରୀ ଧୀରେଧୀରେ ସୁସ୍ଥ ହେଉଥିବାରୁ ତାଙ୍କୁ ଖୁବ୍‌ ଶୀଘ୍ର ଜେରା କରାଯିବ ଏବଂ ପୂରା ଘଟଣାର ରହସ୍ୟ ଖୋଲିବ ବୋଲି ପୁଲିସ ଆଶା ବାନ୍ଧିଛି। ଘଟଣା ଦିନ ଓ ପୂର୍ବ ଦିନ ତନୁଶ୍ରୀ ତାଙ୍କ ମୋବାଇଲରେ ସାଇରାମର ଜେଜେ ଓ କିଛି ପଡ଼ୋଶୀଙ୍କୁ ତାଙ୍କୁ ଜଣେ ଯୁବକ ବ୍ଲାକମେଲିଂ କରୁଥିବା କହୁଥିଲେ। ଯୁବକଜଣଙ୍କ ତାଙ୍କୁ ମେସେଜ୍, ଭିଡିଓ ପଠାଇବା ସହ ଅନେକ ସମୟରେ କଲ୍ କରି ହଇରାଣ କରୁଥିବା ମଧ୍ୟ କହିଥିଲେ। ଏହାକୁ ନେଇ ତାଙ୍କ ସ୍ବାମୀ ମଧ୍ୟ ତାଙ୍କୁ ଗାଳିଗୁଲଜ କରିବା କଥା ଜଣାଇଥିଲେ। ସାଇରାମଙ୍କ ଜେଜେ ତନୁଶ୍ରୀଙ୍କ ସ୍ବାମୀ ସୁବାସଙ୍କୁ ଡାକି ଏ କଥା ମଧ୍ୟ ପଚାରିଥିଲେ। ସେମିତି କିଛି ନାହିଁ ବୋଲି ସୁବାସ କହିଥିଲେ ବୋଲି ସାଇରାମର ଜେଜେ କହିଛନ୍ତି। ତନୁଶ୍ରୀଙ୍କୁ ସତରେ କିଏ ବ୍ଲାକମେଲିଂ କରୁଥିଲା କି? ଏହାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ମନୋମାଳିନ୍ୟ ରହୁଥିଲା କି? କେହି ତୃତୀୟ ବ୍ୟକ୍ତିଙ୍କର ଉପସ୍ଥିତି ରହିଥିଲା କି ? ନା ମହିଳା ନିଜେ ଏପରି କହି ବୁଲୁଥିଲେ, ତାହା ଏବେ ସନ୍ଦେହଘେରରେ। ଏ ଦିଗକୁ ନେଇ ମଧ୍ୟ ପୁଲିସ ତଦନ୍ତ କରିଛି। ଏହା ପଛରେ କିଛି ରହସ୍ୟ ଲୁଚି ରହିଛି କି ବୋଲି ପଡ଼ୋଶୀଙ୍କ ମନରେ ପ୍ରଶ୍ନ ଉଠିଛି।

ତନୁଶ୍ରୀର ସ୍ବାମୀ ସୁବାସଙ୍କୁ ପଚରାଉଚରା ପରେ ତାଙ୍କ ବୟାନକୁ ନେଇ ପୁଲିସ ତଦନ୍ତ ଆଗକୁ ବଢ଼ାଇଛି। ପ୍ରାୟ ୫ବର୍ଷ ତଳେ ତନୁଶ୍ରୀଙ୍କର ଶିଶୁପୁତ୍ର ଜନ୍ମ ହୋଇଥିଲା। ଜନ୍ମ ହେବା ପରେ ପରେ ହିଁ ତାର ମୃତ୍ୟୁ ହୋଇଥିଲା। ଏହା ତନୁଶ୍ରୀଙ୍କୁ ଗଭୀର ଭାବେ ମାନସିକ ଆଘାତ ଦେଇଥିଲା। ତାଙ୍କର ୪ ବର୍ଷର ଝିଅ ଥିଲେ ବି ଶିଶୁପୁତ୍ର ମୃତ୍ୟୁ କଥାକୁ ସହଜରେ ଭୁଲି ପାରି ନ ଥିଲେ ତନୁଶ୍ରୀ। ପଡ଼ୋଶୀ ଶିଶୁପୁତ୍ର ସାଇରାମ ଅନେକ ସମୟରେ ତନୁଶ୍ରୀଙ୍କ ଘର ପାଖରେ ତାଙ୍କ ଝିଅ ସହ ଖେଳେ। କିନ୍ତୁ କେବେ ବି ସେମାନଙ୍କ ଭିତରେ ଝଗଡ଼ା ହୋଇ ନ ଥାଏ ବୋଲି ସାଇରାମର ଜେଜେ କହିଛନ୍ତି। ଏପରିକି ତନୁଶ୍ରୀ ଅନେକ ସମୟରେ ସାଇରାମକୁ ଗେହ୍ଲା କରନ୍ତି ବୋଲି ପଡ଼ୋଶୀ ବି କହିଛନ୍ତି। କିନ୍ତୁ ତନୁଶ୍ରୀ ଗତ ୩ ତାରିଖରେ ସାଇରାମକୁ ଘରକୁ ଡାକିବା ଓ ତା’ର ମୃତ୍ୟୁ ହେବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। ୫ବର୍ଷ ତଳେ ନିଜ ଶିଶୁପୁତ୍ର ମୃତ୍ୟୁକୁ ଭୁଲି ନ ପାରି ଈର୍ଷାପରାୟଣ ହୋଇ ତନୁଶ୍ରୀ ଏଭଳି କାଣ୍ଡ ଘଟାଇଥିବା ପୁଲିସ ଓ ସାଇରାମର ପରିବାରଲୋକ ସନ୍ଦେହ କରୁଛନ୍ତି। ଅନ୍ୟପକ୍ଷରେ ତନୁଶ୍ରୀଙ୍କ ଝିଅ ଓ ସାଇରାମ ଏକାଠି ଖେଳୁଥିବା ବେଳେ କୌଣସି ଖେଳନାକୁ ନେଇ ଉଭୟଙ୍କ ଭିତରେ ଝଗଡ଼ା ହୋଇଥିବାରୁ ଉତ୍‌କ୍ଷିପ୍ତ ହୋଇ ତନୁଶ୍ରୀ ଏଭଳି କାଣ୍ଡ ଘଟାଇଥିବା ଆଶଙ୍କାକୁ ମଧ୍ୟ ପୁଲିସ ତଦନ୍ତ ପରିସରକୁ ନେଇଛି।

ସିସିଟିଭି ଯାଞ୍ଚ କରିବାକୁ ଦାବି
ହତ୍ୟା ଘଟଣାର ତିନି ଦିନ ପୂର୍ବରୁ ଘର ବଦଳାଇଥିଲେ ତନୁଶ୍ରୀ। ୩ତାରିଖରେ ସାଇରାମକୁ ଖେଳିବା ଲାଗି ଘରକୁ ୩ଥର ଡାକିଥିଲେ। ଏହା ପରେ ପୂର୍ବାହ୍ନ ୯ଟାରେ ସାଇରାମ ତାଙ୍କ ଘରକୁ ଯାଇଥିଲା। କିଛି ସମୟ ପରେ ତନୁଶ୍ରୀଙ୍କ ଝିଅ ସାଇରାମଙ୍କ ଘରକୁ ଆସି ତାଙ୍କ ବାପା ମୋବାଇଲ ଫୋନ୍ ନେଇ ଯାଇଥିବା କହି କଲ୍ କରିବା ପାଇଁ ଫୋନ୍ ମାଗିଥିଲେ। ତନୁଶ୍ରୀଙ୍କ ଝିଅ ଫୋନ୍ ଧରି ଘରକୁ ଯାଇଥିଲା। କିଛି ସମୟ ପରେ ପୁଣି ଆଣି ଫେରାଇ ଦେଇଥିଲା। ଏହା ପରେ ସାଇରାମ ଘରକୁ ଫେରିଥିଲା ଏବଂ ପୁଣିଥରେ ଦିନ ୧୧ଟାରେ ସେଠାକୁ ଯାଇଥିଲା। ଖାଇବା ସମୟ ହୋଇଯାଇଥିବାରୁ ସାଇରାମର ବଡ଼ଭାଇ ତାକୁ ଡାକିବାକୁ ଯାଇଥିବା ବେଳେ ହତ୍ୟା ଘଟଣା ଦେଖିବାକୁ ପାଇଥିଲା। ଏମିତି କ’ଣ ଘଟିଲା ଯେ ୪ବର୍ଷର ଶିଶୁପୁତ୍ରକୁ ହତ୍ୟା କରିବାକୁ ପଛାଇଲା ନାହିଁ ହତ୍ୟାକାରୀ ? ମାତ୍ର ତିନି ମାସ ରହିଥିବା ଭଡ଼ାଘରକୁ କାହିଁକି ବଦଳାଇଲେ ତନୁଶ୍ରୀ ଓ ତାଙ୍କ ସ୍ବାମୀ ? ସାଇରାମକୁ ହତ୍ୟା ପଛରେ ତନୁଶ୍ରୀଙ୍କର କାହା ସହ କିଛି ମନାନ୍ତର କିମ୍ବା ମତାନ୍ତର ଘଟିଥିଲା କି ? ନଚେତ କାହିଁକି ଜଣଙ୍କର ଏତେ ରାଗ ହେବ? ତନୁଶ୍ରୀ ରହୁଥିବା କୋଠାରେ ତିନିଟି ସିସିଟିଭି କ୍ୟାମେରା ଲାଗିଛି। ଘଟଣା ପୂର୍ବରୁ କ’ଣ ଘଟିଥିଲା, ଆଉ କେହି ଘରକୁ ଯିବା ଆସିବା କରିଥିଲେ କି ନାହିଁ ଜାଣିବା ପାଇଁ ପୁଲିସ ସିସିଟିଭି ଫୁଟେଜ ଜବତ କରି ତଦନ୍ତ କଲେ ଖୁଲାସା ହୋଇପାରିବ ବୋଲି ଜଣେ ପଡୋ଼ଶୀ କହିଛନ୍ତି।

ସମ୍ବନ୍ଧିତ ଖବର