ରାଜୀବନଗର ଶିଶୁହତ୍ୟା ମାମଲା: ସୁଧୁରୁନି ତନୁଶ୍ରୀଙ୍କ ମାନସିକ ସ୍ଥିତି

ପଚାରୁଛନ୍ତି ‘ମୁଁ କ’ଣ କରିଛି?’

ଖଣ୍ଡଗିରି: ବହୁ ଚର୍ଚ୍ଚିତ ରାଜୀବନଗର ଶିଶୁ ପୁତ୍ର ସାଇରାମ ହତ୍ୟା ମାମଲାରେ ତନୁଶ୍ରୀ ପାରମାଣିକ ହିଁ ହତ୍ୟାକାରୀ ବୋଲି ସ୍ପଷ୍ଟ ହୋଇଛି। ପୁଲିସର ପ୍ରାଥମିକ ତଦନ୍ତରୁ ସମସ୍ତ ତଥ୍ୟ ପ୍ରମାଣ ତନୁଶ୍ରୀଙ୍କ ସମ୍ପୃକ୍ତିକୁ ସିଧାସଳଖ ସୂଚାଉଛି। ହତ୍ୟାକାଣ୍ଡ ଘଟିଥିବା ଘର ଭିତରୁ ସାଇଣ୍ଟିଫିକ୍‌ ଟିମ୍‌ ପାଇଥିବା ସୁରାକ୍‌ରୁ ମଧ୍ୟ ସମସ୍ତ ତଥ୍ୟ ମିଳିଥିବା ଜଣାପଡ଼ିଛି। ଏମିତିକି ଏମ୍‌ସରେ ଚିକିତ୍ସାଧୀନ ଥିବା ତନୁଶ୍ରୀଙ୍କ ବାଉଳାଚାଉଳା କଥାବାର୍ତ୍ତାରୁ ମଧ୍ୟ ଏହି ସୂଚନା ମିଳୁଥିବା କୁହାଯାଉଛି। କିନ୍ତୁ ହତ୍ୟାକାଣ୍ଡ ପଛରେ କି କାରଣ ରହିଛି, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ସ୍ବାସ୍ଥ୍ୟଗତ କାରଣରୁ ପୁଲିସ ତାଙ୍କୁ ପଚରାଉଚରା କରି ପାରିନଥିବାରୁ ସାଇରାମ ହତ୍ୟା ଏବେ ବି ରହସ୍ୟ ହୋଇ ରହିଛି। ଦିନକୁ ଦିନ ଲୋକଙ୍କ ଭିତରେ ଏହି ମାମଲାକୁ ନେଇ ଉତ୍କଣ୍ଠା ବଢ଼ି ବଢ଼ି ଚାଲିଥିବା ବେଳେ ପୁଲିସ ମାମଲାର ପର୍ଦ୍ଦାଫାସ୍‌ କରିପାରୁନଥିବାରୁ ଚିନ୍ତାରେ ପଡ଼ିଛି।

ଗତକାଲି ତନୁଶ୍ରୀଙ୍କ ମୁଣ୍ଡ ସ୍କାନିଂ କରାଯିବାର ଥିଲା। କିନ୍ତୁ ବାରମ୍ବାର ସେ ଚେତାଶୂନ୍ୟ ହୋଇ ପଡ଼ିବାରୁ ତାହା ହୋଇପାରିନଥିଲା। କିନ୍ତୁ ଆଜି ସ୍କାନିଂ ସରିଛି ଓ ରିପୋର୍ଟ ପାଇଁ ଅପେକ୍ଷା କରାଯାଇଛି। ତେବେ ତନୁଶ୍ରୀଙ୍କ ମାନସିକ ସ୍ଥିତିରେ ସୁଧାର ଆସିନାହିଁ। ତେଣୁ ତାଙ୍କୁ ଏବେ ପଚରାଉଚରା କରିବା ଠିକ୍‌ ହେବ ନାହିଁ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି। ତେଣୁ ବାଧ୍ୟ ହୋଇ ପୁଲିସ କେବଳ ତାଙ୍କୁ ଜଗି ବସିଛି। ଦୁଇ ଦିନ ହେଲା ତନୁଶ୍ରୀ କିଛି କହୁନଥିଲେ। କେବଳ ବଲବଲ ହୋଇ ଚାହୁଁଥିଲେ। ତେବେ ଆଜି ସେ କିଛି କିଛି କହୁଥିବା ଜଣାପଡ଼ିଛି। ମଝିରେ ମଝିରେ ସ୍ବାମୀ ଓ ଝିଅକୁ ଖୋଜୁଛନ୍ତି ଓ ‘ମୁଁ କ’ଣ କରିଛି’ କି ବୋଲି ଶୂନ୍ୟକୁ ଚାହିଁ ପଚାରୁଛନ୍ତି। ତେଣୁ ତାଙ୍କ ମନରେ କୌଣସି କାରଣରୁ ଏକ ଶକ୍ତ ଆଘାତ ଲାଗିଥିବା ନେଇ ଡାକ୍ତର ସନ୍ଦେହ କରୁଛନ୍ତି। ଜଣେ ଜାଣିଶୁଣି ଏଭଳି ଆଚରଣ କରିବା କିଛି ଆଶ୍ଚର୍ଯ୍ୟର କଥା ନୁହେଁ। କିନ୍ତୁ ତନୁଶ୍ରୀଙ୍କ କ୍ଷେତ୍ରରେ ଏହା କେତେ ଦୂର ଲାଗୁ ହୋଇପାରେ, ତାହା ତଦନ୍ତ ସାପେକ୍ଷ ବୋଲି ତଦନ୍ତ ଅଧିକାରୀ କହିଛନ୍ତି। ତାଙ୍କୁ ସିଧାସଳଖ ପଚରାଉଚରା କରିବା ପରେ ପୁଲିସ ନିଶ୍ଚିତ ହେବ ବୋଲି ସେ ସୂଚନା ଦେଇଛି।

ପୁଲିସ ସୂଚନାନୁସାରେ, ହତ୍ୟାକାଣ୍ଡ ଘଟିଥିବା ଘର ଭିତରୁ ସାଇଣ୍ଟିଫିକ୍‌ ଟିମ୍‌ ବହୁ ନମୁନା ସଂଗ୍ରହ କରିଛି। ସାଇରାମ ବେକ‌ରେ ଗୁଡ଼ା ହୋଇଥିବା ଚୁନ୍‌ରିରୁ ହାତ ଓ ଅଙ୍ଗୁଳି ଚିହ୍ନ ସଂଗ୍ରହ କରାଯାଇଛି ଓ ତନୁଶ୍ରୀ ହାତରୁ ମଧ୍ୟ ଚିହ୍ନ ସଂଗ୍ରହ କରାଯାଇଛି। ରିପୋର୍ଟ ପ୍ରସ୍ତୁତ ହୋଇନଥିଲେ ମଧ୍ୟ ତଥ୍ୟ ତନୁଶ୍ରୀଙ୍କ ଆଡ଼କୁ ସ୍ପଷ୍ଟ ନିର୍ଦ୍ଦେଶ କରୁଛି। ତେଣୁ ତନୁଶ୍ରୀ ହତ୍ୟାକାରୀ ବୋଲି ସ୍ପଷ୍ଟ ହୋଇଥିଲେ ହେଁ ପୁଲିସ କାରଣ ଖୋଜି ପାଇବାରେ ସକ୍ଷମ ହୋଇପାରିନାହିଁ। ଆଜି ପୁଲିସ ତନୁଶ୍ରୀଙ୍କ ସ୍ବାମୀ ସୁବାସ ପାରମାଣିକଙ୍କୁ ଥାନାକୁ ଡାକି ପଚରାଉଚରା କରିଥିଲା। ପାଞ୍ଚ ବର୍ଷ ପୂର୍ବେ ତାଙ୍କ ପୁଅର ମୃତ୍ୟୁ ପରେ ତନୁଶ୍ରୀଙ୍କ ଅବସ୍ଥା ବାବଦରେ ଛାନ୍‌ଭିନ୍ କରିଥିଲା। କେବେ କିଛି ବିଲକ୍ଷଣ ଦେଖାଯାଇଥିବା ନେଇ ଖୋଳତାଡ଼ କରିଥିଲା। ସବୁବେଳେ ନ ହେଲେ ମଧ୍ୟ ମଝିରେ ମଝିରେ ସେ ପୁଅ କଥା ଭାବି ଭାବି ଭାଙ୍ଗି ପଡ଼ୁଥିଲେ ବୋଲି ସୁବାସ ପୁଲିସକୁ କହିଥିବା ଜଣାପଡ଼ିଛି। ତେବେ ସେଦିନ ଅଘଟଣ ପଛରେ କି କାରଣ ରହିଥାଇପାରେ ବୋଲି ସୁବାସ କିଛି କହି ପାରିନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର