ରାଜୀବନଗର ସାଇରାମ ହତ୍ୟା ମାମଲା : ତନୁଶ୍ରୀଙ୍କ ଜାମିନ ଖାରଜ

ଭୁବନେଶ୍ୱର : ଖଣ୍ଡଗିରି ଥାନା କୋଳଥିଆ ନିକଟ ରାଜୀବନଗର ଶିଶୁ ସାଇରାମ ହତ୍ୟା ମାମଲାରେ ଅଭିଯୁକ୍ତ ତନୁଶ୍ରୀ ପରମାଣିକଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌-୪ ସତ୍ୟନାରାୟଣ ପ୍ରଧାନ ଜାମିନ ଆବେଦନର ବିଚାର କରି ଆଜି ଏହି ଖାରଜ ଆଦେଶ ଜାରି କରିଛନ୍ତି। ଏଣୁ ଜୁନ୍‌ ୨୫ ତାରିଖରୁ ଝାରପଡ଼ା ଜେଲ୍‌ରେ ଥିବା ତନୁଶ୍ରୀ ମୁକୁଳିବା ଆଶା ମଉଳି ଯାଇଛି।

ସେ ମାନସିକ ଭାବରେ ଅସୁସ୍ଥ ଥିବା ଦର୍ଶାଇ ତାଙ୍କୁ ଜାମିନ ପ୍ରଦାନ କରାଯାଉ ବୋଲି ଅଭିଯୁକ୍ତଙ୍କ ପକ୍ଷରୁ ଆବେଦନ କରାଯାଇଥିଲା। ଏହି ଆବେଦନକୁ ବିଚାର କଲାବେଳେ ତନୁଶ୍ରୀଙ୍କ ଶିଶୁକନ୍ୟାଙ୍କର ରେକର୍ଡ କରାଯାଇଥିବା ବୟାନକୁ ବିଚାରକୁ ନିଆଯାଇଥିଲା। ଶିଶୁକନ୍ୟା ବୟାନରେ କହିଥିଲେ, ସାଇରାମର ବେକରେ ଗାମୁଛା ବାନ୍ଧି ଟାଣିବା ବେଳେ ମୁଁ ବାରଣ କରିଥିଲି, ହେଲେ ମା’ ଶୁଣିଲେ ନାହିଁ। ଏହା ସହିତ ଶବ ବ୍ୟବଚ୍ଛେଦ ରିପୋର୍ଟରେ ମଧ୍ୟ ତଣ୍ଟି ଚିପି ହତ୍ୟା କରାଯାଇଥିବା ନେଇ ପ୍ରମାଣ ରହିଥିଲା। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ସୁରେଶ ବାରିକ ମାମଲା ପରିଚାଳନା କରୁଥିଲେ। ସେ ଦର୍ଶାଇଥିଲେ ଯେ, ଘଟଣାବେଳେ ମହିଳାଙ୍କର ମାନସିକ ସ୍ଥିତି ଭଲ ଥିଲା, ସେ ମାନସିକ ଭାରସାମ୍ୟ ହରାଇ ନଥିଲେ। ଏଣୁ ତାଙ୍କୁ ଜାମିନ ପ୍ରଦାନ କରାନଯାଉ। ସମସ୍ତ ଦିଗକୁ ବିଚାରକୁ ନେଇ ଆଜି ଏଡିଜେ ଅଭିଯୁକ୍ତଙ୍କ ଜାମିନ ଖାରଜ କରିଛନ୍ତି।

ସୂଚନାଯୋଗ୍ୟ, ଏଚ୍‌ଆଇଜି-୩୦ରେ ବ୍ୟବସାୟୀ ସମୀର ପାତ୍ର ପରିବାର ସହ ରହୁଛନ୍ତି। ତାଙ୍କ ଘର ପାଖରେ ଏମ୍‌ସରେ ସିନିୟର ଲାବରେଟୋରି ଆସିଷ୍ଟାଣ୍ଡ ଭାବେ କାର୍ଯ୍ୟ କରୁଥିବା ସୁବାଷ ପରମାଣିକ, ପତ୍ନୀ ତନୁଶ୍ରୀ ଓ ୪ବର୍ଷର ଝିଅ ସହ ଭଡ଼ାରେ ରୁହନ୍ତି। ପାଖାପାଖି ରହୁଥିବାରୁ ଉଭୟ ପରିବାର ମଧ୍ୟରେ ଉତ୍ତମ ସମ୍ପର୍କ ରହିଥିଲା। ତନୁଶ୍ରୀଙ୍କର ଛୋଟ ଝିଅ ଓ ସମୀରଙ୍କ ପୁଅ ସାଇରାମ ଏକାଠି ଖେଳନ୍ତି। ଗତ ଜୁନ୍‌ ୩ ତାରିଖ ଦିନ ସାଇରାମ ତନୁଶ୍ରୀଙ୍କ ଘରକୁ ଖେଳିବାକୁ ଯାଇଥିଲା। ମଧ୍ୟାହ୍ନ ଭୋଜନ ସମୟ ହୋଇଥିଲେ ମଧ୍ୟ ଖାଇବାକୁ ଆସିନଥିଲା। ତାକୁ ଖୋଜିବା ପାଇଁ ବଡ଼ପୁଅ ଓମ୍ ଯାଇଥିଲା। ତନୁଶ୍ରୀଙ୍କ ଘର ଚଟାଣରେ ସାଇରାମ ନିଶ୍ଚଳ ହୋଇ ପଡ଼ିରହିଥିଲା। ଚେତା ନ ଫେରିବାରୁ ତାକୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଣେ ତନୁଶ୍ରୀଙ୍କ ସ୍ବାମୀ ସୁବାସ ତନୁଶ୍ରୀଙ୍କୁ ମାନସିକ ରୋଗୀ ଦେଖାଇ ତୁରନ୍ତ ନେଇ ସେ ଚାକିରି କରିଥିବା ଘରୋଇ ମେଡିକାଲରେ ଭର୍ତ୍ତି କରି ଦେଇଥିଲେ। ଦୀର୍ଘ ୨୨ ଦିନ ମେଡିକାଲରେ ରହିବା ପରେ ଖଣ୍ଡଗିରି ଥାନା ପୁଲିସ ଜୁନ୍‌ ୨୫ ତାରିଖ ଦିନ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧିତ ଖବର