ରାଜକିଶୋର ନାୟକ ସ୍ମାରକୀ ବକ୍ତୃ୍ତାମାଳା, ଭାଇଚାରାର କଥା କହୁଥିଲେ ଗାନ୍ଧୀଜୀ

ଅନୁବାଦ ଗ୍ରନ୍ଥ ‘ଟ୍ୱିଲାଇଟ୍‍ ମେମୋରିଜ’ ଲୋକାର୍ପିତ

ଭୁବନେଶ୍ବର: ଗାନ୍ଧୀଜୀ ସବୁବେଳେ ଭାଇଚାରାର କଥା କହୁଥିଲେ। ଗରିବ, ଦଳିତ, ମହିଳାଙ୍କ ସମ୍ମାନ ଓ ସୁରକ୍ଷା ପାଇଁ ସ୍ୱପ୍ନ ଦେଖୁଥିଲେ। ସମସ୍ତଙ୍କ ବିକାଶ କଥା ଭାବୁଥିଲେ। ତେବେ ଗାନ୍ଧୀଜୀଙ୍କ ଦେହାନ୍ତ ପରେ ଦେଶରେ ହିଂସା, ଆତଙ୍କ, ବିଦ୍ୱେଷ ଭାବ ବଢ଼ିଛି। ଧନୀ, ଗରିବ ମଧ୍ୟରେ ଦୂରତା ସୃଷ୍ଟି ହୋଇଛି। ସାଧାରଣ ଲୋକଙ୍କ ପ୍ରତି ପ୍ରଶାସନର ଯେଉଁ ସମବେଦନା ରହିବା କଥା ତାହା ଆଜି ଦେଖିବାକୁ ମିଳୁନି। ଜୀବନଶୈଳୀ, ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ବ୍ୟାପକ ପରିବର୍ତନ ଆସିଛି ବୋଲି ରାଜକିଶୋର ନାୟକ ସ୍ମାରକୀ ବକ୍ତୃ୍ତାମାଳା ‘ମହାତ୍ମା ଗାନ୍ଧୀଙ୍କ ପରେ ଭାରତବର୍ଷ’ ଭର୍ଚୁଆଲରେ ମୁଖ୍ୟଅତିଥି ଭାବେ ଯୋଗଦେଇ ନ୍ୟାୟମୂର୍ତ୍ତି ଅନଙ୍ଗ କୁମାର ପଟ୍ଟନାୟକ କହିଛନ୍ତି। ଏହି ଅବସରରେ ପାଟକୁରା ଗାନ୍ଧୀ ରାଜକିଶୋର ନାୟକଙ୍କ ଜୀବନ ଆଲେଖ୍ୟ ଉପରେ ଆଧାରିତ ଇଂରାଜୀ ଅନୁବାଦ ଗ୍ରନ୍ଥ ‘ଟ୍ୱିଲାଇଟ୍‍ ମେମୋରିଜ’ ଲୋକାର୍ପଣ କରିବା ସହ ପୁସ୍ତକ ଉପରେ ଶ୍ରୀ ପଟ୍ଟନାୟକ ଆଲୋକପାତ କରିଥିଲେ।

ରାଜକିଶୋର ନାୟକ ନ୍ୟାସନାଲ ଫାଉଣ୍ଡେସନ ପକ୍ଷରୁ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ପଦ୍ମ ବିଭୂଷଣ ସୀତାକାନ୍ତ ମହାପାତ୍ର ଭର୍ଚୁଆଲ୍‌ରେ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ରାଜକିଶୋର ନାୟକ ଜଣେ ଅସାଧାରଣ ଶିକ୍ଷକ ଥିଲେ। ଛାତ୍ରଙ୍କୁ ବହୁତ ଭଲ ପାଉଥିଲେ। ତାଙ୍କ ଆଦର୍ଶ, ସମ୍ବେଦନଶୀଳତା ଓ ଗାନ୍ଧୀ ଦର୍ଶନ ସମ୍ପର୍କରେ ବର୍ଣ୍ଣନା କରିବା ସହ ସ୍ୱର୍ଗତ ନାୟକ ଶିକ୍ଷକ ଥିବାବେଳେ ଛାତ୍ର ଭାବେ ଯେଉଁ ଶ୍ରଦ୍ଧା ଓ ଆର୍ଶୀବାଦ ଦେଇଥିଲେ ତାହା ଫଳରେ ସଫଳତା ମିଳିଛି ବୋଲି ସେ କହିଥିଲେ। ବିଶିଷ୍ଟ କଥାକାର ବିଭୂତି ପଟ୍ଟନାୟକ ଭିତ୍ତିଭାଷଣ ଦେଇ କହିଲେ ସ୍ବର୍ଗତ ନାୟକ କେବଳ ପାଟକୁରାର ଗାନ୍ଧୀ ନ ଥିଲେ ବରଂ ସାରା ଓଡ଼ିଶା ପାଇଁ ସେ ଥିଲେ ଜଣେ ଗାନ୍ଧୀବାଦୀ, ସତ୍ୟନିଷ୍ଠ ଦେଶଭକ୍ତ। ଗାନ୍ଧୀ ବିଚାରଧାରର ଜଣେ ପ୍ରମୁଖ ପୁରୋଧା ଥିଲେ। ସ୍କୁଲରେ ପଢ଼ିବା ସମୟରେ ୧୪ ବର୍ଷ ବୟସରେ ମଦ ଦୋକାନ ସମ୍ମୁଖରେ ମଦ ବିରୋଧରେ ଆନ୍ଦୋଳନ କରିଥିଲେ। ଯୁବାବସ୍ଥାରୁ ସମାଜସେବା କ୍ଷେତ୍ରରେ ଲିପ୍ତ ହୋଇଥିଲେ। ଶିକ୍ଷକ ଜୀବନରେ କେବଳ ଯେ ଛାତ୍ର ବତ୍ସଳ ଥିଲେ ତାହା ନୁହେଁ ବରଂ ଛାତ୍ରଙ୍କ ଉନ୍ନତି ଲାଗି ସର୍ବଦା ପ୍ରୟାସ ଜାରି ରଖିଥିଲେ। ୧୯୭୭ ମସିହା ନିର୍ବାଚନରେ ଟିକେଟ୍‌ ପାଇବାରୁ ବଞ୍ଚିତ ହେବା ପରେ ବହୁ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ।

ସ୍ୱାଧୀନତା ସଂଗ୍ରାମୀ କୃଷ୍ଣା ମହାନ୍ତି ଅତିଥି ଭାବେ ଯୋଗଦେଇ ରାଜକିଶୋର ନାୟକଙ୍କ କର୍ମମୟ ଜୀବନ ଓ ବିଶେଷତା ସମ୍ପର୍କରେ ଆଲୋକପାତ କରିଥିଲେ। ସାହିତ୍ୟିକ ତଥା ‘ଟ୍ୱିଲାଇଟ୍‍ ମେମୋରିଜ’ର ଅନୁବାଦ କରିଥିବା ପ୍ରଫୁଲ୍ଲ କୁମାର ମହାନ୍ତି ପୁସ୍ତକ ସମ୍ପର୍କରେ ମତବ୍ୟକ୍ତ କରିବା ସହ ସତ୍ୟ, ଅହିଂସା ଓ ଶକ୍ତି ବଦଳରେ ଗାନ୍ଧୀ ସ୍ବାଧୀନତା ଆଣିଥିଲେ ବୋଲି କହିଥିଲେ। ଅବସରପ୍ରାପ୍ତ ପ୍ରଶାସକ ସୁରେଶ ଚନ୍ଦ୍ର ମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ଜୀବନଚର୍ଯ୍ୟା ସମ୍ବନ୍ଧରେ ଆଲୋକପାତ କରିଥିଲେ। ରାଜକିଶୋର ନାୟକ ନ୍ୟାସନାଲ ଫାଉଣ୍ଡେସନର ସଭାପତି ପ୍ରହଲ୍ଲାଦ ସିଂହ ସଭାପତିତ୍ୱ କରି ଗାନ୍ଧୀଙ୍କ ପରେ ଭାରତ ବର୍ଷର ଦୟନୀୟ ସ୍ଥିତି ସମ୍ବନ୍ଧରେ ଆଲୋକପାତ କରିଥିଲେ। ଫାଉଣ୍ଡେସନ୍‍ର ଟ୍ରଷ୍ଟି ନିରଞ୍ଜନ ପଣ୍ଡା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର