ଭୁବନେଶ୍ବର: ୩୦ ନମ୍ବର ୱାର୍ଡରେ ବିଜେଡି ପକ୍ଷରୁ ମାରାଥନ୍ ପ୍ରଚାର ଜାରି ରହିଛି। ବିଜେଡି ପ୍ରାର୍ଥୀ ରାଜକିଶୋର ଦାସ ନିଜ ସମର୍ଥକମାନଙ୍କ ସହ ଏହି ୱାର୍ଡ ଅଧୀନସ୍ଥ ସହିଦନଗରର ଗଳିକନ୍ଦି ବୁଲି ଭୋଟ୍ ଦେବାକୁ ନିବେଦନ କରିଥିଲେ। ରାଜଧାନୀର ସହିଦ ନଗର ଏକ ପ୍ରମୁଖ ଅଞ୍ଚଳ ହୋଇଥିବାରୁ ସେଠାକାର ଅଧିବାସୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦେବାକୁ ସେ ଉଦ୍ୟମ କରିବେ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଆଗକୁ ଏହି ୱାର୍ଡର ପ୍ରଚାରରେ ସ୍ଥାନୀୟ ବିଧାୟକ ଓ ବିଜେଡି ମେୟର ପ୍ରାର୍ଥୀ ସାମିଲ ହେବେ।
ୱାର୍ଡ ୬୦: ବିଜେପି ସଭାପତିଙ୍କ ୱାର୍ଡ ଉପରେ ନଜର
ବିଏମ୍ସିର ୬୦ ନମ୍ବର ୱାର୍ଡର ଲଢ଼େଇ ଏବେ ଚର୍ଚ୍ଚାରେ ରହିଛି। ଏହି ୱାର୍ଡ ଉଭୟ ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଘର ଏହି ୱାର୍ଡରେ ଥିବାରୁ ବିଜେପି ଏହି ୱାର୍ଡକୁ ଦଖଲ କରିବାକୁ ଉଦ୍ୟମ କରୁଛି। ଅପରପକ୍ଷରେ ବିଜେଡି ଏହି ୱାର୍ଡରେ ନିଜ ବିଜୟଧାରା ଜାରି ରଖିବାକୁ କସରତ୍ ଚଳାଇଛି। ଭୌଗୋଳିକ ଦୃଷ୍ଟିକୋଣରୁ ଏହି ୱାର୍ଡର ଚିତ୍ର ମଧ୍ୟ ବଦଳି ଯାଇଛି। ଏହି ୱାର୍ଡରେ କପିଳେଶ୍ବର ଗାଁ ମିଶିଥିଲା ବେଳେ ପୁରୁଣା ଅଞ୍ଚଳ ଗୌରୀନଗର, କୋଟିତୀର୍ଥେଶ୍ବର ଅଞ୍ଚଳ ବାଦ୍ ପଡ଼ିଛି।
ଏଠାରେ ଏଥର ବିଜେଡି ପ୍ରାର୍ଥୀ ହୋଇଛନ୍ତି ରାଜେନ୍ଦ୍ର ସମର୍ଥା। ସେ ୨୦୦୩ରେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଥିଲା ବେଳେ ୨୦୦୮ରେ କଂଗ୍ରେସ ଟିକେଟ୍ରେ ଜିତି କର୍ପୋରେଟର୍ ହୋଇଥିଲେ। ୨୦୧୪ ବିଏମ୍ସି ନିର୍ବାଚନ ପୂର୍ବରୁ ସେ ବିଜେଡିରେ ମିଶିଥିଲେ ଓ ତାଙ୍କ ପତ୍ନୀ ଦୀପ୍ତିମୟୀ ସମର୍ଥା ବିଜେଡି ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ। ତେବେ ଏହି ୱାର୍ଡରୁ ବିଜେଡି ଟିକେଟ୍ ଆଶାୟୀ ଥିବା ଚନ୍ଦ୍ରଶେଖର ମଲିଆ ସ୍ବାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି। ବିଜେପିରୁ ଏଠାରେ ପ୍ରାର୍ଥୀ ହୋଇଛନ୍ତି ଜିଲ୍ଲା ଉପସଭାନେତ୍ରୀ ତୃପ୍ତିମୟୀ ମକଦମ। ଏଠାରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହେବା ସ୍ପଷ୍ଟ ହୋଇଛି। ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ବିଭୁପ୍ରସାଦ ଷଡ଼ଙ୍ଗୀ ଏଠାରେ ସ୍ବାଧୀନ ଭାବେ ଲଢ଼ୁଛନ୍ତି।
୧୦, ୧୧, ୧୭ ନମ୍ବରରେ ବିଜେଡିର ସଭା
ଭୁବନେଶ୍ବର (ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତ ୧୦, ୧୧ ଓ ୧୭ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ୧୭ ନମ୍ବର ୱାର୍ଡରେ ବିଜେଡି କର୍ପୋରେଟର ପ୍ରାର୍ଥୀ ପୂଜା ମହାରଣାଙ୍କ ଲାଗି ପଥରବନ୍ଧ ସ୍କୁଲ ନିକଟରେ ସଭା ଆୟୋଜିତ ହୋଇଥିବା ବେଳେ ୧୦ ନମ୍ବର ୱାର୍ଡ କର୍ପୋରେଟର ପ୍ରାର୍ଥୀ ସେକ୍ ନୁର ହାସନଙ୍କ ଲାଗି ଝରଣାସାହି(ଖ) ଏବଂ ୧୧ ନମ୍ବର କର୍ପୋରେଟର ପ୍ରାର୍ଥୀ ପ୍ରଭାସିନୀ ମହାନ୍ତିଙ୍କ ପାଇଁ ଧିରକୁଟୀ ପଡ଼ିଆରେ ବିଧାୟକ ଶ୍ରୀ ରାଉତ ଭୋଟ୍ ଭିକ୍ଷା କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଓ ଜନହିତକର କାର୍ଯ୍ୟଶୈଳୀକୁ କାର୍ଯ୍ୟକାରୀ କରି ପ୍ରତି ୱାର୍ଡକୁ ଆହୁରି ବିକଶିତ କରିବା ପାଇଁ ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଛନ୍ତି। ପ୍ରଥମ ନିର୍ବାଚନୀ ସଭା ହୋଇଥିବାରୁ ସବୁ ସ୍ଥାନରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା।
ଏହି ସଭାରେ ବିଜେଡି ରାଜ୍ୟ ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର, ସଞ୍ଜୟ ଅଗ୍ରୱାଲ, ଦାଶରଥୀ ନାୟକ, ସଞ୍ଜୟ ବଳିୟାରସିଂ, ଚିତ୍ତରଞ୍ଜନ ଦାସ, ଦିଲ୍ଲୀପ ନାୟକ, ଭୋଳାନାଥ ମହାରଣା, ଦିଲ୍ଲୀପ ଦାସଶର୍ମା, ନିମେଇଁ ଦାସ, ପୁରଞ୍ଜନ ପାଢ଼ୀ, ଅଜୟ ଜେନା, ମହେଶ୍ବର ବିଶ୍ବାଳ, ରାମ ବେହେରା, ଗଣେଶ ନାୟକ, ପ୍ରଶାନ୍ତ ସ୍ବାଇଁ, ଭୁବନେଶ୍ବର ଛାତ୍ର ବିଜେଡି ସଭାପତି ସୁବାସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।