ରାଜଧାନୀରୁ ଗିରଫ ହେଲା ମଧ୍ୟସ୍ଥ ରାଜକୁମାର

‘ପୁଷ୍ପା’ ଷ୍ଟାଇଲରେ ପାଣି ଟ୍ୟାଙ୍କରରେ ମଦ ଚାଲାଣ ଘଟଣା

ଭୁବନେଶ୍ବର: ରକ୍ତଚନ୍ଦନ କାଠ ଚୋରା ଚାଲାଣ ଉପରେ ଆଧାରିତ ବହୁଚର୍ଚ୍ଚିତ ଫିଲ୍ମ ‘ପୁଷ୍ପା’ ତରିକାକୁ ଆପଣାଇଛନ୍ତି ନିଶା ମାଫିଆ। ଗତ ୧ତାରିଖରେ ପାଣି ଟ୍ୟାଙ୍କର୍‌ରେ ଅରୁଣାଚଳପ୍ରଦେଶରୁ ସମ୍ବଲପୁର ଚାଲାଣ ହେଉଥିବା ମଦ ଢେଙ୍କାନାଳରୁ ଧରାପଡ଼ିବା ପରେ ରାକେଟର ଗୁମର ଫିଟିଥିଲା।

ମଦ ମାଫିଆ ସମ୍ବଲପୁରର ହୋଇଥିବା ବେଳେ ଏଥିରେ ମଧ୍ୟସ୍ଥ ଥିଲା ଭୁବନେଶ୍ବର ଅଞ୍ଚଳର ଜଣେ ଯୁବକ। ଫେରାର ଥିବା ମଧ୍ୟସ୍ଥ ରାଜକୁମାର ଓରଫ୍ ଜଗନ୍ନାଥ ସାହୁକୁ ଅବକାରୀ ଟିମ୍ ଧଉଳି ଥାନା ଅନ୍ତର୍ଗତ ନୂଆଗାଁରୁ ଗିରଫ କରିଛି। ଏକ ୪ ମହଲା ନିର୍ମାଣାଧୀନ କୋଠାରୁ ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ୍ ଗତରାତିରେ ତାକୁ ଉଠାଇ ନେଇଥିଲା। ତା’ ନିକଟରୁ ପ୍ରେସ୍ ଲେଖାଥିବା ଏକ ରେନୋ ଡଷ୍ଟର୍‌ କାର୍ (ଓଡି୦୨ବିଏଚ୍-୯୭୬୭)ମଧ୍ୟ ଜବତ କରାଯାଇଛି। ଯାଞ୍ଚ ପରେ କାର୍‌ରୁ ୯ଲକ୍ଷ ୬୯ ହଜାର ୫ ଶହ ଟଙ୍କା, ୧୨୦୦ ଗ୍ରାମ୍‌ର ଗଞ୍ଜେଇ ମିଳିଥିଲା। ଏହି ମାମଲାରେ ଜଗନ୍ନାଥକୁ କୋର୍ଟଚାଲାଣ କରାଯାଇଛି।

ଅବକାରୀ ଅଧିକାରୀଙ୍କ ସୂଚନା ଅନୁସାରେ, ଅରୁଣାଚଳପ୍ରଦେଶରୁ ଗତ ୧ ତାରିଖରେ ଆସୁଥିବା କଣ୍ଟେନର୍‌କୁ ଢେଙ୍କାନାଳରେ ଧରା ଯାଇଥିଲା। ପାଣି ଟ୍ୟାଙ୍କର୍‌ ଭଳି ଦେଖାଯାଉଥିବା ଗାଡ଼ିର ତଳ ଭାଗରୁ ୧୦୭୦ ପେଟି ମଦ ଜବତ ହୋଇଥିଲା। ଏହାର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା। ଏହି ଘଟଣାରେ କଣ୍ଟେନର୍‌ ଚାଳକ ହରିୟାଣା ସୋନିପତ ଅଞ୍ଚଳର ବିଜେନ୍ଦ୍ର ସିଂ, ହେଲପର୍‌ ସତୀଶ ନଦଲ ଓ ଢେଙ୍କାନାଳ ଜିଲ୍ଲା ମୋଟଗାଁ ଥାନା ଗୋଡ଼ିଡ଼ିହ ଅଞ୍ଚଳର ଅବିନାଶ ମହାରଣାକୁ ଗିରଫ କରାଯାଇଥିଲା।

ଏହି ମଦ ସମ୍ବଲପୁରର ମାଫିଆ ଅଙ୍କିତ ପ୍ରସାଦ ପାଖକୁ ଯାଉଥିବା ତଦନ୍ତରୁ ଜଣାପଡ଼ିଥିଲା। ଅଙ୍କିତକୁ ଚିହ୍ନଟ କରାଯାଇଥିବା ବେଳେ ସେ ଫେରାର ହୋଇଯାଇଥିଲା। ୧୧ ଦିନ ଧରି ମଧ୍ୟସ୍ଥ ରାଜକୁମାରର ପିଛା କରାଯିବା ପରେ ଗତକାଲି ତାକୁ ଗିରଫ କରାଯାଇଛି। ସେହିପରି ମଦ ପଠାଇଥିବା ବେପାରୀକୁ ମଧ୍ୟ ଖୋଜା ଚାଲିଛି। ଅରୁଣାଚଳ ପ୍ରଦେଶରେ ଏହି ବିଦେଶୀ ମଦ ବଟଲିଂ ହେଉଥିବା ବେଳେ ଚୋରାରେ ଓଡ଼ିଶା ଅଣାଯାଉଛି। ଓଡ଼ିଶାରେ ରାଜ୍ୟ ସରକାରଙ୍କ ଲେବୁଲ ଲଗାଯାଇ ବିକ୍ରି କରାଯାଉଛି। ଗୋଟିଏ କଣ୍ଟେନର୍‌ ଆସିଲେ ମାଫିଆଙ୍କୁ ୩୦ଲକ୍ଷ ଟଙ୍କା ମୁନାଫା ମିଳିଥାଏ।

ସମ୍ବନ୍ଧିତ ଖବର