ଭୁବନେଶ୍ବର : ୧୯୪୭, ଜୁଲାଇ ମାସ କଥା। ଯେକୌଣସି ମୁହୂର୍ତ୍ତରେ ଦେଶ ସ୍ବାଧୀନ ହେବ ବୋଲି ଚାରିଆଡ଼େ କୋଳାହଳ, ଉତ୍ସାହ ଓ ଉଦ୍ଦୀପନା। ଅନ୍ୟପଟେ ଓଡ଼ିଶାର ରାଜଧାନୀ କଟକରୁ ଭୁବନେଶ୍ବରକୁ ସ୍ଥାନାନ୍ତର ଲାଗି ଚଳଚଞ୍ଚଳ ହୋଇପଡ଼ିଥାଏ ଦ୍ବୈତନଗରୀ। ଏମିତି ଏକ ସମୟରେ ଭୁବନେଶ୍ବରକୁ ଆସୁଥିବା ସମସ୍ତ ଅତିଥି, ଉତ୍ତୁଙ୍ଗ ବ୍ୟକ୍ତିତ୍ବ, ବଡ଼ ବଡ଼ ଅଟ୍ଟାଳିକା ଓ ରେଳ ଷ୍ଟେସନ ଆଦି ନିର୍ମାଣ ପାଇଁ ନିୟୋଜିତ ଇଂଜିନିୟର୍, ଆର୍କିଟେକ୍ଟ ଓ ଶ୍ରମିକଙ୍କ ପାଇଁ ହୋଟେଲର ଆବଶ୍ୟକତା ପଡ଼ିଲା। ହେବାକୁ ଯାଉଥିବା ରାଜଧାନୀର ଏହି ଆବଶ୍ୟକତା ପୂରଣ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ କଟକ ଚୌଧୁରୀ ବଜାରସ୍ଥିତ ଜଳଖିଆ କ୍ୟାଣ୍ଟିନ୍ର ମାଲିକ ରାଜକିଶୋର ସାହୁଙ୍କୁ ଭୁବନେଶ୍ବରକୁ ଆମନ୍ତ୍ରିତ କରିଥିଲେ। ଏହା ପରଠାରୁ ଆରମ୍ଭ ହୋଇଥିଲା ଭୁବନେଶ୍ବରର ଅନ୍ୟତମ ବଡ଼ ଛକ ‘ରାଜମହଲ ଛକ’ ନାମକରଣର କାହାଣୀ।
ରାଜକିଶୋର ସାହୁଙ୍କ ନାତି ତଥା ରାଜମହଲ ହୋଟେଲର ଅନ୍ୟତମ ସତ୍ତ୍ବାଧିକାରୀ ସୀତାରାମ ସାହୁ କହିଛନ୍ତି, କଟକ ଦରଘା ବଜାରରେ ଆମ ଘର। ମୋ ବୁଢ଼ା ବାପା ରାଜକିଶୋର ସାହୁ ସେଠାରେ ହିଁ ରହୁଥିଲେ। ଆମର ଦରଘା ବଜାରରେ ଗୋଟିଏ ଜଳଖିଆ ଦୋକାନ ଥିବା ବେଳେ ଚୌଧୁରୀ ବଜାରରେ କ୍ୟାଣ୍ଟିନ ଥିଲା। ଯେତେବେଳେ ଭୁବନେଶ୍ବରକୁ ରାଜଧାନୀ କରିବାକୁ ଚିନ୍ତା କରାଗଲା, ମହତାବ ବାବୁ ମୋ ବୁଢ଼ା ବାପାଙ୍କୁ ଏଠାକୁ ଡାକି ଆଣିଥିଲେ। ଏବେକା ରାଜମହଲ ପାଖାପାଖି ମାଷ୍ଟର କ୍ୟାଣ୍ଟିନ, ୟୁନିଟ୍-୨ ସରକାରୀ କ୍ବାର୍ଟର୍ସ, ଭୁବନେଶ୍ବର ବସ୍ଷ୍ଟାଣ୍ଟ୍(ସେତେବେଳେ ଏଜି ଛକରେ ଥିଲା)ଥିବାରୁ ମହତାବ ବାବୁ ମୋ ବୁଢ଼ା ବାପାଙ୍କୁ ଏହି ଠାରେ ଖଣ୍ଡେ ଜାଗା ଦେଇଥିଲେ। ସେତେବେଳେ ପୁରୁଣା ଭୁବନେଶ୍ବରରୁ ଏବେକାର ମାଷ୍ଟରକ୍ୟାଣ୍ଟିନ ବା ତା’ ଆଗକୁ କିଛି ବି ଜନବସତି ନଥିଲା। ଚାରିଆଡ଼େ ଘଞ୍ଚ ଜଙ୍ଗଲ। ମୋ ବୁଢ଼ା ବାପା ୧୯୪୭ ମସିହା ଜୁଲାଇ ମାସରୁ ହିଁ ସେହି ଜଙ୍ଗଲ ଭିତରେ ଏକ କ୍ୟାବିନ୍ କରି ପ୍ରଥମେ ଜଳଖିଆ ଓ ମିଠା ବିକ୍ରି ଆରମ୍ଭ କରିଥିଲେ। ସେହି କ୍ୟାବିନ୍ରେ ହିଁ ସେ ରହୁଥିଲେ। ସେତେବେଳେ ଏହି ସ୍ଥାନରେ ମହାବଳ ବାଘ ମଧ୍ୟ ବିଚରଣ କରୁଥିଲେ ବୋଲି ବୁଢ଼ା ବାପା ବହୁ ସମୟରେ ଆମକୁ କହିଛନ୍ତି। କିଛି ଦିନ ପରେ ବାଘ ଡରରେ ବୁଢ଼ାବାପା ଆଉ ସେହି କ୍ୟାବିନ୍ରେ ନ ରହି ୟୁନିଟ-୨ରେ ଥିବା ସରକାରୀ କ୍ବାର୍ଟର୍ସରେ ପରିବାର ସହ ରହିଥିଲେ। ସେଠାରେ ଦୋକାନ ରହିଥିଲା ଓ ଜଳଖିଆରୁ ଧୀରେଧୀରେ ଭାତ ମିଲ୍ ବିକ୍ରି ବି ଆରମ୍ଭ ହୋଇଯାଇଥିଲା। ସେତେବେଳେ ମିଲ୍ ପିଛା ୪ରୁ ୫ ଟଙ୍କା ରହିଥିଲା ଓ ସେ ସମୟରେ ଦିନକୁ ୫ ହଜାର ଟଙ୍କାର ବେପାର ହେଉଥିଲା ବୋଲି ଶ୍ରୀ ସାହୁ କହିଛନ୍ତି।
୧୯୬୨ ମସିହା ଆଡ଼କୁ ଏହି କ୍ୟାବିନ୍ ଭାଙ୍ଗି ରାଜୁ ସାହୁ ନିର୍ମାଣ କରିଥିଲେ ଖାଇବା ସହ ରହିବା ହୋଟେଲ। ଏହି ହୋଟେଲ ଥିଲା ରାଜକିଶୋରଙ୍କର ସ୍ବପ୍ନର ମହଲ। ଏଣୁ ଏହାର ନାମ ରଖାଗଲା ‘ରାଜମହଲ ହୋଟେଲ’। ଏଥିରେ ୧୯ଟି ରୁମ୍ ସହ ରେସ୍ତୋରାଁ ବି ରହିଥିଲା। ଜାତୀୟ ସ୍ତରର ନେତାମନ୍ତ୍ରୀ ଆସିଲେ, ଏହିଠାରୁ ହିଁ ଖାଦ୍ୟ ବରାଦ କରାଯାଉଥିଲା। ରାଜଧାନୀର ପ୍ରଥମ ହୋଟେଲ ହୋଇଥିବାରୁ ହୋଟେଲର କ୍ରେଜ୍ ବେଶ୍ ବଢ଼ିବାରେ ଲାଗିଲା ଓ ସେହି ଅଞ୍ଚଳର ଏହା ଏକ ଲ୍ୟାଣ୍ଡ୍ମାର୍କ ପାଲଟିଗଲା। ୧୯୬୩ ମସିହା ଆଡ଼କୁ ହୋଟେଲ ନାମରେ ଛକର ନାମ ବି ଲୋକମୁଖରେ ‘ରାଜମହଲ ଛକ’ ହୋଇଗଲା। ୧୯୭୦ ମସିହା ବେଳକୁ ହୋଟେଲର ଚାହିଦାକୁ ଦେଖି ଆହୁରି ୧୧ଟି ନୂଆ ରୁମ୍ ଖୋଲାଗଲା। ମୋଟ ୩୦ ରୁମ୍ ବିଶିଷ୍ଟ ଏହି ହୋଟେଲ ଓ ଏହାର ଖାଦ୍ୟ ଖାଲି ରାଜଧାନୀ ନୁହେଁ, ସାରା ରାଜ୍ୟରେ ପ୍ରସିଦ୍ଧି ଅର୍ଜନ କଲା।
୧୯୮୦ ମସିହା ବେଳକୁ ରାଜଧାନୀର ବିଭିନ୍ନ ଅଞ୍ଚଳ ଓ ଛକର ନାମ ମହାପୁରୁଷ ବା ରାଜବଂଶ ନାମରେ ନାମିତ କରିବାକୁ ଯୋଜନା ହେଲା। ରାଜମହଲ ଛକର ନାମ ପରିବର୍ତ୍ତନ କରି ‘ସ୍ବାମୀ ବିବେକାନନ୍ଦ ଛକ’ ବୋଲି ଘୋଷଣା କରାଗଲା। କିନ୍ତୁ ରାଜମହଲ ଛକ ନାମଟି ଲୋକଙ୍କ ଭିତରେ ଏତେ ଲୋକପ୍ରିୟ ହୋଇସାରିଥିଲା ଯେ, ନୂଆ ନାମକୁ କେହି ଗ୍ରହଣ କଲେ ନାହିଁ।
୨୦୦୫ ମସିହା ଆଡ଼କୁ ରାଜକିଶୋରଙ୍କ ନାତିମାନେ ହୋଟେଲରେ ଆହୁରି ୧୦ଟି ରୁମ୍ ଯୋଡ଼ିଥିଲେ। ବର୍ତ୍ତମାନ ହୋଟେଲରେ ମୋଟ ୪୦ଟି ରୁମ୍ ରହିଛି। ଖାଇବା ହୋଟେଲଟି ବନ୍ଦ ରହିଛି। ହୋଟେଲର କିଛି ରୁମ୍ର ନବୀକରଣ କାର୍ଯ୍ୟ ମଧ୍ୟ ଚାଲିଛି। ତେବେ ଆଗକୁ ହୋଟେଲର ପୁରୁଣା କୋଠାକୁ ଭାଙ୍ଗି ଆଧୁନିକ ରୂପରେ ହୋଟେଲ ଲୋକାର୍ପିତ କରିବାକୁ ସତ୍ତ୍ବାଧିକାରୀମାନେ ଲକ୍ଷ୍ୟ ରଖିଛନ୍ତି। ଅନ୍ୟପଟେ ସେତେବେଳେ ଜଙ୍ଗଲ ଥିବା ଅଞ୍ଚଳଟି ଏବେ ବାପୁଜୀନଗର ଭାବେ ପରିଚୟ ପାଇଥିବା ବେଳେ ବାଘ ବୁଲୁଥିବା ସେଇ ନିର୍ଜ୍ଜନ ସ୍ଥାନଟି ଏବେ ‘ରାଜମହଲ ଛକ’ ଭାବେ ରାଜଧାନୀର ଅନ୍ୟ ଏକ ପରିଚୟ ପାଲଟିଛି।
ଉପସ୍ଥାପନା: ସସ୍ମିତା ସାହୁ
ଫଟୋ: ଅସିତ ଶତପଥୀ