ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ନାଁ ଡ. ରଜନୀ ରଂଜନ। ପେସାରେ ଅଧ୍ୟାପନା, ହେଲେ ନିଶାରେ ମୁଖ୍ୟତଃ ସେ ଲେଖକ। ସାହିତ୍ୟର ବିଭିନ୍ନ ବିଭାଗକୁ ରହିଛି ତାଙ୍କର ସୁକ୍ଷ୍ମ ‌ପ୍ରବେଶ। ଜଣେ ଶିଶୁ ସାହିତ୍ୟିକ, କବି, ନାଟ୍ୟକାର, ସମାଲୋଚକ ଓ ପ୍ରବଚକ ଭାବେ ସେ ବେଶ୍‌ ପରିଚିତ। ତେବେ ଏସବୁଠୁ ଉପରେ ଓଡ଼ିଆ ଫିଲ୍ମର ସେ ହେଉଛନ୍ତି ଅନ୍ୟତମ ବ୍ୟସ୍ତତମ ବ୍ୟକ୍ତିତ୍ବ। ଜଣେ ଉଚ୍ଚକୋଟୀର ସଂଳାପ ଲେଖକ ଓ ଗୀତିକାର ଭାବେ ଓଡ଼ିଆ ଫିଲ୍ମର ଦର୍ଶକଙ୍କ ପାଖରେ ସେ ଖୁବ୍‌ ପରିଚିତ। ନିକଟରେ ସେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ୧୦୦ଟି ଫିଲ୍ମରେ ସଂଳାପ ଲେଖି ସେ ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସଂଳାପକାର ଭାବେ ତାଙ୍କର ୧୦୦ତମ ଫିଲ୍ମ ହେଉଛି ‘ରାଣ୍ଡିପୁଅ ଅନନ୍ତା’, ଯାହାର ସ୍କ୍ରିପ୍ଟ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତା’ପରେ ମଧ୍ୟ ଆହୁରି ୩ଟି ଫିଲ୍ମର କାମ ସେ ଆରମ୍ଭ କରି ସାରିଛନ୍ତି।

Advertisment

୧୯୫୯ ଡିସେମ୍ବର ୨୨ ତାରିଖରେ ଭୁବନେଶ୍ବର ଉପକଣ୍ଠରେ ଥିବା ବାଲିଅନ୍ତା ବ୍ଲକ୍‌ ବାଳକାଟିରେ ରଜନୀ ରଂଜନଙ୍କ ଜନ୍ମ। ବାଣୀବିହାରରୁ ଓଡ଼ିଆ ଭାଷା ଓ ସାହିତ୍ୟରେ ଉଚ୍ଚଶିକ୍ଷା ଲାଭ କରିବା ପରେ ୧୯୮୨ରେ ସେ ବାଳକାଟି କଲେଜରେ ଅଧ୍ୟାପନା ଜୀବନ ଆରମ୍ଭ କରିଥିଲେ। ରଜନୀଙ୍କର ପିଏଚ୍‌ଡିର ପ୍ରସଙ୍ଗ ଥିଲା ‘ମାର୍କଣ୍ଡେୟ ପୁରାଣ: ଏକ ଅଧ୍ୟୟନ’। ଜଣେ ଛାତ୍ରବତ୍ସଳ ଅଧ୍ୟକ୍ଷ ଭାବେ ସେ ୨୦୧୯ରେ ଭୁବନେଶ୍ବର ଦେବରାୟ କଲେଜରୁ ଅବସର ଗ୍ରହଣ କରିଛନ୍ତି।
ଶିଶୁ ସାହିତ୍ୟରେ ତାଙ୍କର ୧୪ଟି ବହି ପ୍ରକାଶିତ ହୋଇଛି। ଏଥିସହ ବୟସ୍କ ପାଠକଙ୍କ ପାଇଁ ତାଙ୍କର ଏକାଧିକ କବିତା ଓ ଗଳ୍ପ ସଂକଳନ, ଛୋଟ ନାଟକ, ଚିତ୍ର ନାଟକ ଓ ସମାଲୋଚନା ପୁସ୍ତକ ମଧ୍ୟ ରହିଛି। ୧୯୮୯ ମସିହାରେ 'ଏଇ ସଂଘର୍ଷ' ଚଳଚ୍ଚିତ୍ରରୁ ଗୀତିକାର ଭାବରେ ସେ ଓଲିଉଡ୍‌ରେ ପ୍ରବେଶ କରିଥିଲେ। ୧୯୯୨ ମସିହାରେ 'ମୋ ଭାଇ ଜଗା'ରୁ ସଂଳାପ ଲେଖିବା ଆରମ୍ଭ କରିଥିଲେ। ପରେ ପରେ 'ବୋଉ', 'ଏ ମନ ମାନେନା', 'ଜୟ ଜଗନ୍ନାଥ'(୧୬ଟି ଭାଷାରେ ନିର୍ମିତ), 'ପ୍ରେମ ରୋଗୀ', ‘ପ୍ରେମ ଅଢ଼େଇ ଅକ୍ଷର', 'ଲୋଫର', 'ପିଲାଟା ବିଗିଡ଼ି ଗଲା', 'ଗୁଡ୍‌ ବୟ୍‌', 'ବାଏ ବାଏ ଦୁବାଇ', 'ଲଭ୍‌ ଡଟ୍‌ କମ୍‌' ଓ ‘ରୁଦ୍ରାଣୀ' ଭଳି ୧୦୦ଟି ଚଳଚିତ୍ରରେ ସଂଳାପ ରଚନା କରି ସାରିଛନ୍ତି। ଏଥିସହ ୧୬ଟି ଫିଲ୍ମରେ ଗୀତ ରଚନା, ୩୪ଟିରେ ଚିତ୍ରନାଟ୍ୟ, ୭ଟିରେ କାହାଣୀ ରଚନା କରିବା ସହିତ ୧୧ଟି ଫିଲ୍ମରେ ନିଜେ ଅଭିନୟ ମଧ୍ୟ କରିଛନ୍ତି। ତାଙ୍କ ରଚିତ 'ବୋଉ' ଚଳଚ୍ଚିତ୍ରର ଶୀର୍ଷକ ଗୀତ ‘‘ମମତା ନଈରେ ସୁନା ବୋଇତ...’’, ‘ବାହୁଡିବେ ମୋ ଜଗା ବଳିଆ'ର ‘‘ମଲ୍ଲୀଫୁଲ ତିନିତିନିଟା...’’, 'ହସିବ ପୁଣି ମୋ ସୁନା ସଂସାର'ର ‘‘ଜୀଇଁବାର ମାନେ ଯଦି ଜୀବନ ହୁଏ...’’, ‘ଲଭ୍‌ ଡଟ୍‌ କମ୍‌'ର ‘‘ସବୁ ପାପର ପ୍ରାୟଶ୍ଚିତ ଥାଏ, ସବୁ ଭୁଲ୍‌ର କ୍ଷମା...’’ ଭଳି ଚର୍ଚ୍ଚିତ ଓ ଅର୍ଥପୂର୍ଣ୍ଣ ଗୀତଗୁଡ଼ିକ ଆଜି ବି ଲୋକେ ମନେ ପକାଉଛନ୍ତି।

ଛୋଟ ପରଦାରେ ମଧ୍ୟ ସେ ନିଜର ଯାଦୁ ଦେଖାଇଛନ୍ତି। ୨୨ଟି ଟେଲିଭିଜନ ଧାରାବାହିକରେ ସେ ସଂଳାପ, ଗୀତ ରଚନା ବା ଅଭିନୟ କରି ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ରଜନୀ ରଂଜନ ୨୦୦୭ ମସିହାରେ ‘ଭାଗ୍ୟଚକ୍ର’ ପାଇଁ ଶ୍ରେଷ୍ଠ ଗୀତିକାର ଏବଂ ୨୦୧୧ରେ ‘ମୁଁ ପ୍ରେମୀ ମୁଁ ପାଗଳ’ ପାଇଁ ଶ୍ରେଷ୍ଠ ସଂଳାପକାର ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ଏହି ଅବସରରେ ମଙ୍ଗଳବାର ସଂଧ୍ୟାରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଆର୍‌ଆର୍‌ ଇଭେଣ୍ଟସ୍‌ ଓ ନୃତ୍ୟ ପ୍ରତିଭା ପକ୍ଷରୁ ଆଯୋଜିତ କାର୍ଯ୍ୟକ୍ରମରେ ଡ, ରଜନୀ ରଂଜନଙ୍କୁ ସ୍ବତନ୍ତ୍ର ସମ୍ମାନ ପ୍ରଦାନ କରାଯିବ।