ଭୁବନେଶ୍ବର: ଦେଶର ବିଭିନ୍ନ ସ୍ଥାନରେ ଏଟିଏମ୍ ତାଡ଼ି ଲୁଟ୍ କରୁଥିବା ଦୁଇ କୁଖ୍ୟାତ ଅନ୍ତଃରାଜ୍ୟ ଲୁଟେରାଙ୍କୁ କମିସନରେଟ୍ ପୁଲିସ ଗିରଫ କରିଛି। ଦେଢ ମାସର ଛକାପଞ୍ଝା ପରେ ରାଜୁ ଓରଫ ମିଜନୁର ରେହମାନ ଓ ରୁସ୍ତମକୁ ଦିଲ୍ଲୀରୁ ଗିରଫ କରାଯାଇଥିବା ବିଶେଷ ସୁତ୍ରରୁ ଜଣାପଡିଛି। ଉଭୟଙ୍କୁ କମିସନରେଟ୍ ପୁଲିସ କଡ଼ା ସୁରକ୍ଷା ଭିତରେ ଭୁବନେଶ୍ବର ଆଣୁଥିବା ଜଣାପଡ଼ିଛି। କଳିକତାର ଏହି ଦୁଇ ଅନ୍ତଃରାଜ୍ୟ ଲୁଟେରା ଏଟିଏମ୍କୁ ଉଠାଇନେଇ ଅନ୍ୟ ଏକ ସ୍ଥାନରେ ମେସିନ୍ ତାଡ଼ି ଟଙ୍କା ଲୁଟ୍ କରିବାରେ ମାହିର ଥିଲେ। ଦୁଇ ଜଣଙ୍କୁ ଭୁବନେଶ୍ବର ଆଣି ଜେରା କରିବା ପରେ ଓଡିଶାରୁ ଅନ୍ୟ ରାଜ୍ୟ ପର୍ଯନ୍ତ ଲମ୍ବିଥିବା ଏଟିଏମ୍ ଲୁଟ୍ର ଖୁଲାସା ହୋଇପାରିବ।
ଚଳିତ ବର୍ଷ ଜାନୁଆରି ୨୪ ତାରିଖ ରାତିରେ ଲିଙ୍ଗରାଜ ଥାନା ଶ୍ରୀରାମନଗରସ୍ଥିତ ଏସ୍ବିଆଇ ଏଟିଏମ୍ ତାଡ଼ି ପାଖାପାଖି ୨୨ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା। ସ୍ପେସାଲ୍ ସ୍କ୍ବାଡ୍, ପିଓପିଡି ଟିମ୍ ଓ ଲିଙ୍ଗରାଜ ଥାନା ପୁଲିସ୍ର ଦେଢ଼ ମାସର କସରତ ପରେ ଏହି ଗ୍ୟାଙ୍ଗ୍ର ପର୍ଦ୍ଦାଫାସ୍ କରାଯାଇଥିଲା। ୨ ମାଷ୍ଟରମାଇଣ୍ଡ ଫେରାର୍ ଥିଲେ ହେଁ କମିସନରେଟ୍ ପୁଲିସ ପଞ୍ଝାରେ ଗ୍ୟାଙ୍ଗ୍ର ୬ ସଦସ୍ୟ ଧରାପଡିଥିଲେ। ଦୁଇ ଦୁଇଟି ହତ୍ୟା ମାମଲାରେ ଜାମିନରେ ଥିବା ସ୍ଥାନୀୟ ଅଭିଯୁକ୍ତ ଭିକି ଓରଫ୍ ଦେବିପ୍ରସାଦ ମଲିଆ ଓ ତା’ର ୫ ସହଯୋଗୀଙ୍କ ସହ ରାଜୁ ଓ ରୁସ୍ତମ୍ ମିଶି ଏହି ଗ୍ୟାଙ୍ଗ୍ ଗଢ଼ିଥିଲେ। ଭିକି ଜେଲ୍ରେ ଥିବାବେଳେ ରାଜୁ ସହ ସଂପର୍କରେ ଆସିଥିଲେ। ଜେଲ୍ରୁ ବାହାରିବା ପରେ ୮ ଜଣିଆ ଗ୍ୟାଙ୍ଗ ଗଠନ କରି ଶ୍ରୀରାମନଗର ଏଟିଏମ୍ ଲୁଟ୍ କରିଥିଲେ। ଏହି ଲୁଟ୍ କରିବାପରେ ରାଜୁ ଓ ରୁସ୍ତମ ୧୦ ଲକ୍ଷ ଟଙ୍କା ଧରି କଲିକତା ଚମ୍ପଟ ମାରିଥିଲେ। ତେଣୁ ରାଜୁ ଓ ରୁସ୍ତମଙ୍କୁ ଧରିବା ପାଇଁ କମିସନରେଟ୍ ପୁଲିସ୍ର ଏକ ସ୍ବତନ୍ତ୍ର ଟିମ୍ ପ୍ରଥମେ କୋଲକାତା ଓ ପରେ ଦିଲ୍ଲୀରେ ଡେରା ପକାଇଥିଲା। ଶେଷରେ ଦୁଇ ଅଭିଯୁକ୍ତ ରାଜୁ ଓ ରୁସ୍ତମଙ୍କ ଲୁଚକାଳି ଖେଳ ଶେଷ ହୋଇଛି।
ସୂଚନାଯୋଗ୍ୟ, ୨୦୨୨ ମସିହାରେ ଧଉଳି ଥାନା ଇନ୍ଦିରା କଲୋନିରୁ ହୋଇଥିବା ଏଟିଏମ୍ ଲୁଟ୍ ମାମଲାରେ ରାଜୁର ସଂପୃକ୍ତି ଥିଲା। ଏହାପରେ ସେମାନେ ଶ୍ରୀରାମନଗର ଏଟିଏମ୍ ତାଡ଼ି ନେବାକୁ ନୀଳ ନକ୍ସା ପ୍ରସ୍ତୁତ କରିଥିଲେ। ଘଟଣା ଦିନ ରାତିରେ ସେମାନେ ଏକ ମାଲବାହୀ ଅଟୋ ଚୋରି କରି ସେଥିରେ ତଡ଼ା ହୋଇଥିବା ଏଟିଏମ୍ ଲଦି ଗଙ୍ଗୁଆ କୂଳକୁ ଯାଇଥିଲେ। ସେଠାରେ ଏଟିଏମ୍କୁ ଭାଙ୍ଗି ଟଙ୍କା ବଣ୍ଟାବଣ୍ଟି କରିଥିଲେ। ନିଷ୍ପତ୍ତି ଅନୁସାରେ ରାଜୁ ଓ ରୁସ୍ତମ୍ ୧୦ ଲକ୍ଷ ଟଙ୍କା ନେଇ ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ବସ୍ ଯୋଗେ କୋଲକାତା ପଳାଇଥିଲେ। ସେହିଭଳି ଗ୍ୟାଙ୍ଗ୍ର ଅନ୍ୟତମ ସଦସ୍ୟ ତଥା ସାଇବର ଲୁଟେରା ଆକାଶ ୩ ଲକ୍ଷ ଓ ଭିକିଙ୍କ ଗୋଷ୍ଠୀ ପ୍ରାୟ ୯ ଲକ୍ଷ ଟଙ୍କା ନେଇଯାଇ ଥିଲେ।