ବିରଳ ରୋଗରେ ପୀଡ଼ିତ ରାକେଶ: ଉଚ୍ଚତା ବଢ଼ୁଛି, ହାତ ଲମ୍ବା ହୋଇଯାଉଛି

ଅସ୍ତ୍ରୋପଚାର ପାଇଁ ଯିବେ ଦିଲ୍ଲୀ ଏମ୍‌ସ, ଆର୍ଥିକ ସହାୟତା ପାଇଁ ଅନୁରୋଧ କଲେ

ଭୁବନେଶ୍ବର: ‘ମାର୍ଫନ ସିଣ୍ଡ୍ରୋମ’ ସହିତ ‘ଏଓଟିକ ଡିସେକ୍ସନ’ ନାମକ ଏକ ବିରଳ ରୋଗରେ ପୀଡ଼ିତ ଖୋର୍ଧା ଜିଲ୍ଲା ବଦଳା ଗାଁର ରାକେଶ ବେଉରା(୩୨)। ଏମ୍ସ ଭୁବନେଶ୍ବରେ ଚିକିତ୍ସିତ ହେଉଥିବା ରାକେଶଙ୍କ ଅସ୍ତ୍ରୋପଚାର ପାଇଁ ଏଠାରେ ସୁବିଧା ନାହିଁ। ତେଣୁ ତାଙ୍କୁ ଦିଲ୍ଲୀରେ ଏମ୍ସକୁ ରେଫର୍‌ କରିଛନ୍ତି ଏମ୍ସ ଭୁବନେଶ୍ବରର କାଡିଓଟ୍ରିକ ଆଣ୍ଡ ଭାସ୍କୁଲାର (ସିଟିଭିଏସ)ର ଡାକ୍ତର ରୁଦ୍ର ପ୍ରତାପ ମହାପାତ୍ର। ଏ ସଂକ୍ରାନ୍ତରେ ଏମ୍ସ ଦିଲ୍ଲୀ ହୃଦରୋଗ ବିଭାଗ ଏଓଟିକ ବିଶେଷଜ୍ଞ ଡାକ୍ତର ପ୍ରଫେସର ଶିବ କୁମାର ଚୌଧୁରୀଙ୍କ ସହିତ ଆଲୋଚନା ହୋଇଛି। ଉଭୟ ଏମ୍ସ ପକ୍ଷରୁ ସମସ୍ତ ସହାୟତା ସତ୍ତ୍ବେ ୧୫ ଲକ୍ଷ ଖର୍ଚ ହେବ ବୋଲି ଆକଳନ କରାଯାଉଛି। ରାକେଶଙ୍କ ମା’ ଜଣେ ମାନସିକ ରୋଗୀ। ରାକେଶ ଛୋଟ ଦୋକାନ କରି ଜୀବିକା ନିର୍ବାହ କରୁଛନ୍ତି। ଏତେ ଅର୍ଥ ଯୋଗାଡ଼ ତାଙ୍କ ପାଇଁ ଅସମ୍ଭବ ହୋଇ ପଡ଼ିଛି। ତେଣୁ ନିଜ ଜୀବନ ବଞ୍ଚାଇବା ଲାଗି ପ୍ରଶାସନ ଏବଂ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି ରାକେଶ।

ରାକେଶ କହିଛନ୍ତି, ପ୍ରାୟ ୪ ମାସ ପୂର୍ବରୁ ଅଚାନକ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଏମ୍ସ ଭୁବନେଶ୍ବରର ପ୍ରଥମେ ମେଡିସିନ ଏବଂ ପରେ ହୃଦରୋଗ ବିଭାଗରେ ଦେଖାଇଥିଲେ। ହୃଦରୋଗ ବିଭାଗର ୩ ଜଣିଆ ବିଶେଷଜ୍ଞ ଟିମ୍‌ ପରୀକ୍ଷା କରିବା ପରେ ରାକେଶଙ୍କୁ ମାର୍ଫନ ସିଣ୍ଡ୍ରୋମ ହୋଇଥିବା ଜଣାପଡ଼ିଥିଲା। ତୁରନ୍ତ ଅସ୍ତ୍ରୋପଚାର ପାଇଁ କୁହାଯାଇଥିଲା। ପରେ ରାକେଶ ୬ ନମ୍ବର ସ୍ବାସ୍ଥ୍ୟ କେନ୍ଦ୍ର, ଅମ୍ରି ଓ ଆପୋଲୋ ହସ୍ପିଟାଲରେ ଦେଖାଇଥିଲେ। ସମସ୍ତେ ମାର୍ଫନ ସିଣ୍ଡ୍ରୋମ ହୋଇଥିବା କହିବା ପରେ ସେ ପୁଣି ଏମ୍ସ ଫେରିଆସି ଡାକ୍ତର ମହାପାତ୍ରଙ୍କ ତତ୍ବାବଧାନରେ ଚିକିତ୍ସା ଆରମ୍ଭ କରାଇଥିଲେ। ଡାକ୍ତର ମହାପାତ୍ର କହିଛନ୍ତି, ମାର୍ଫନ ସିଣ୍ଡ୍ରୋମରେ ରୋଗୀ ଲମ୍ବା ହେବା ସହିତ, ହାତ ବଢ଼ି ଚାଲେ। ଏଥିସହିତ ଆଖି, କାନର ସମସ୍ୟା ଦେଖାଯାଏ।

ଏହା ଜୀବନ ନିଏ ନାହିଁ। ତେବେ ରାକେଶଙ୍କ ଏଓଟିକ ଡିସେକ୍ସନ ସମସ୍ୟା ତାଙ୍କ ପାଇଁ ଘାତକ ହୋଇଛି। ଏଓଟିକ ସମସ୍ୟା ଥିଲେ ରକ୍ତ ପରଦା ଦୁର୍ବଳ ହୋଇ ଫାଟିଯାଇ ରୋଗୀଙ୍କ ଜୀବନ ନେଇପାରେ। ତେଣୁ ତାଙ୍କୁ ଏଓଟିକ ସର୍ଜରି ପାଇଁ ପରାମର୍ଶ ଦିଆଯାଇଛି। ଏମ୍ସ ଭୁବନେଶ୍ବରରେ ଆଜି ପର୍ଯ୍ୟନ୍ତ ଏଭଳି ଅସ୍ତ୍ରୋପଚାର ହୋଇ ନାହିଁ। ଏମ୍ସ ଦିଲ୍ଲୀରେ ସ୍ବତନ୍ତ୍ର ଭାବରେ ଏଓଟିକର ସ୍ବତନ୍ତ୍ର ପ୍ରଶିକ୍ଷଣ ନେଇଥିବା ଡାକ୍ତର ଶିବ କୁମାର ଚୌଧୁରୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ଅସ୍ତ୍ରୋପଚାର କରାଯିବା ପାଇଁ ତାଙ୍କ ସହିତ ଆଲୋଚନା କରାଯାଉଛି। ସମୁଦାୟ ଚିକିତ୍ସା ଖର୍ଚ ମିଶାଇଲେ ୧୫ ଲକ୍ଷ ଟଙ୍କାରୁ ଅଧିକ ହେବ। ତେଣୁ ରାକେଶ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ଜନସାଧାରଣ ହିଁ ତାଙ୍କର ଏକମାତ୍ର ଭରସା। ଏଭଳି ସ୍ଥିତିରେ କେହି ସହୃଦୟ ବ୍ୟକ୍ତି ବା ଅନୁଷ୍ଠାନ ତାଙ୍କୁ ସହାୟତା କରିବାକୁ ଚାହିଁଲେ ଏସ୍‌ବିଆଇର ଆକାଉଣ୍ଟ ନମ୍ବର ୩୦୯୫୫୩୦୫୯୧୩ (ଆଇଏଫଏସସି ଏସବିଆଇଏନ୦୦୦୮୨୧୬) ଅର୍ଥ ପଠାଇ ପାରିବେ କିମ୍ବା ୭୩୭୭୫୬୫୯୧୪ ନମ୍ବରରେ ଫୋନ କରି ଆର୍ଥିକ ସହାୟତା କରିପାରିବେ।

ସମ୍ବନ୍ଧିତ ଖବର