ଜଟଣୀ: ଜଟଣୀରେ ରାଖୀ ବଜାର ସରଗରମ ହୋଇଉଠିଛି। ରଙ୍ଗବେରଙ୍ଗର ରାକ୍ଷୀ ପସରାରେ ବଜାର ସଜେଇ ହୋଇଛି। ନିତିଦିନିଆ ବଜାର ଏବେ ରାଖୀ ପସରାରେ ବେଶ୍ ସୁନ୍ଦର ଦିଶୁଛି। ତେବେ ହୋଲ୍ସେଲ୍ ରାଖୀ ବ୍ୟବସାୟ ପାଇଁ ମଧ୍ୟ ଜଣାଶୁଣା ଜଟଣୀ। ତେଣୁ ସ୍ଥାନୀୟ ଗ୍ରାହକଙ୍କ ଆଖପାଖର ବ୍ୟବସାୟୀ ମଧ୍ୟ ଏବେ ବଜାରରେ ବେଶ୍ ଭିଡ଼ କରୁଛନ୍ତି। ତେବେ ଚଳିତ ବର୍ଷ ଆଶା ଅନୁସାରେ ବେପାର ହେଉନଥିବାରୁ ଜଟଣୀରେ ଉଭୟ ହୋଲ୍ସେଲ୍ ଓ ଖୁଚୁରା ବେପାରୀ ସେତେଟା ଖୁସି ନ ଥିବା ଜଣାପଡ଼ିଛି। ଜଟଣୀରେ ରାଖୀ ବ୍ୟବସାୟ ମାସକ ପୂର୍ବରୁ ଆରମ୍ଭ ହୋଇଯାଏ। ସେହି ଅନୁସାରେ ସହରର ଗଳିକନ୍ଦିରେ ଏଥର ଛୋଟଠାରୁ ଆରମ୍ଭ କରି ବଡ଼ ବଡ଼ ଦୋକାନ ଓ ଷ୍ଟଲ୍ ଖୋଲା ହୋଇଛି। ବିଶେଷକରି ଜଟଣୀ ରେଳବାଇ ମାର୍କେଟ୍ରେ ପ୍ରମୋଦ ସିଜନ୍ ସେଣ୍ଟର, ଲଳିତ ଭଣ୍ଡାର, ମନୋଜ ସିଜନ୍ ସେଣ୍ଟର, ମହାବୀର ଭଣ୍ଡାର ଆଦି ହୋଲ୍ସେଲ୍ ଦୋକାନ ଖୋଲିଛି। ଏହି ବଡ଼ ବଡ଼ ଦୋକାନୀମାନେ କୋଲକାତା, ରାଜକୋଟ, ଅହମଦାବାଦ, ଗୁଜରାଟ, ମହାରାଷ୍ଟ୍ର, ବିହାର, ଉତ୍ତରପ୍ରଦେଶ, ମୁମ୍ବାଇ ଆଦି ଅଞ୍ଚଳରୁ ରାଖୀ ଆଣିଛନ୍ତି।
ଖୋର୍ଦ୍ଧା, ନୟାଗଡ଼, ପୁରୀ ଆଦି ଜିଲ୍ଲାରୁ ଛୋଟବଡ଼ ବ୍ୟବସାୟୀମାନେ ଏଠାରୁ ରାକ୍ଷୀ କିଣୁଛନ୍ତି। ଚଳିତବର୍ଷ ବଜାରରେ ଷ୍ଟୋନ୍ ରାଖୀ, ଡୋରି ରାଖୀର ଅଧିକ ଚାହିଦା ରହିଛି। ଏଥିସହିତ ଲୁମ୍ବା ରାଖୀ, ଡୋରି, ରୁଦ୍ରାକ୍ଷ, ତିନିଢାକା, ମ୍ୟୁଜିକାଲ ଲାଇଟ୍, ମେଟାଲ୍, ବ୍ରାସଲେଟ୍, ଫେନ୍ସି, ତୁଳା ରାଖୀ, କାର୍ଟୁନ୍, ମେଟାଲ ରାଖୀ, ଷ୍ଟୋନ୍, ମାଳି ରାଖୀ ସହ ଚନ୍ଦନ, ସିନ୍ଦୁର ରାଖୀ ମଧ୍ୟ ମିଳୁଛି। ସେହିପରି ଲବଙ୍ଗ, ରୁଦ୍ରାକ୍ଷ, ଧାନ, ଅରୁଆ ଚାଉଳ, ଗୁଜରାତି ଆଦି ଶସ୍ୟଜାତୀୟ ରାକ୍ଷୀ ସହ କାଇଁଚ ଓ କଉଡ଼ି ଭଳି ପରିବେଶ ଅନୁକୂଳ ରାଖୀ ବଜାରର ଆକର୍ଷଣ ସାଜିଛି। କିଛି ସାମାଜିକ ସଂଗଠନ କର୍ମୀ ରାଖୀ ଭିତରେ ମଞ୍ଜି ରଖି ତିଆରି କରୁଛନ୍ତି। ପ୍ରମୋଦ ସିଜନ୍ ସେଣ୍ଟର ମାଲିକ ପ୍ରମୋଦ ସାହୁ, ଲଳିତ ଭଣ୍ଡାର ମାଲିକ ଲଳିତ ବେବର୍ତ୍ତା ଓ ମନୋଜ ସିଜନ୍ ସେଣ୍ଟର ମାଲିକ ମନୋଜ ସାହୁ କହନ୍ତି, ଜଟଣୀରେ ୧୯୮୯ମସିହାରୁ ରାଖୀ ବେପାର ବଢ଼ିଚାଲିଛି। ବାହାର ରାଜ୍ୟରୁ ଭଲ ରାଖୀ ମଗାଉଛୁ ଏବଂ ସୁଲଭ ମୂଲ୍ୟରେ ବିକୁଛୁ। ତେଣୁ ଖୋର୍ଦ୍ଧା, କଟକ, ଭୁବନେଶ୍ୱର, ନୟାଗଡ଼ ଓ ପୁରୀରୁ ବ୍ୟବସାୟୀମାନେ ଆସି ଏଠାରୁ କିଣି ନେଉଛନ୍ତି। ଚଳିତବର୍ଷ ୩୦ରୁ ୪୦ ପ୍ରତିଶତ ମାଲ୍ ବିକ୍ରି ହୋଇଛି। ତେବେ ବ୍ୟବସାୟୀମାନେ ପୂର୍ବ ବର୍ଷର ବଳକା ଥିବା ପୁରୁଣା ରାଖୀ ରଖିଥିବାରୁ ଚଳିତ ବର୍ଷ ଆମଠାରୁ କମ୍ ରାଖୀ କିଣୁଛନ୍ତି। ତେବେ ଖୁଚୁରା ଦୋକାନୀ ହେମନ୍ତ ସାହୁ କହନ୍ତି, ୧୦ଦିନ ପୂର୍ବରୁ ଖୁଚୁରା ଦୋକାନ ଆରମ୍ଭ ହେଲାଣି। ଚଳିତବର୍ଷ ଜଗନ୍ନାଥ ରାକ୍ଷୀ ଅଧିକ ବିକ୍ରି ହେଉଛି। ବର୍ତ୍ତମାନ ଭଲ ବେପାର ହେଉଛି ଏବଂ ଆଗକୁ ଆହୁରି ଭଲ ବେପାର ହେବ ବୋଲି ଆଶା ରଖୁଛୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/rakhi-market.jpg)