ରାକ୍ଷୀ ତୁ ରହିଲୁ ସାକ୍ଷୀ…

ଭୁବନେଶ୍ୱର: ଭାଇ ଭଉଣୀଙ୍କ ମଧ୍ୟରେ ପବିତ୍ର ସମ୍ପର୍କ ଓ ସୁରକ୍ଷାର ବାର୍ତା ନେଇ ଆସିଥିଲା ରାକ୍ଷୀ ପୂର୍ଣ୍ଣମୀ। ଘରେ ଜମିଥିଲା ପିଠା ପଣାର ଆସର। ଭାଇ ହାତରେ ରାକ୍ଷୀ ବାନ୍ଧି କେଉଁଠି ଭଉଣୀଟିଏ ଆଶିଷ ଭିକ୍ଷା କରୁଥିଲା ତ କେଉଁଠି ନକହି ନକହି ସୁରକ୍ଷାର ଅଳି କରୁଥିଲା। ପୁଣି ସହରରେ ନିଆରା ଢଙ୍ଗରେ ରାକ୍ଷୀ ପାଳିଥିଲେ କିଛି ଅନୁଷ୍ଠାନ। କିଛି ଯୁବତୀମାନେ ହସ୍ପିଟାଲ୍‌ରେ ରୋଗୀମାନଙ୍କୁ ରାକ୍ଷୀ ବାନ୍ଧିଥିଲେ ତ ପୁଣି ପୁଲିସ୍‌ ଷ୍ଟେସନ୍‌ରେ ପୁଲିସ୍‌ଙ୍କ ହାତରେ ରାକ୍ଷୀ ବାନ୍ଧି ନାରୀ ସମାଜର ସୁରକ୍ଷା ପାଇଁ ଭଉଣୀଟିଏ ଭଳି ତାଙ୍କ ପାଖରେ ନିବେଦନ ବାଢ଼ିଥିଲେ। ସେହିପରି ରାଜେଶ ମହାରଣାଙ୍କ ସମେତ କିଛି ଯୁବକ ସାଥୀ ଆଜି ରାସ୍ତାଘାଟରେ ବୁଲୁଥିବା ଷଣ୍ଢମାନଙ୍କ ଶିଙ୍ଘରେ ରିଫ୍ଲେକ୍ଟର୍‌ ଟେପ୍‌ ବାନ୍ଧି ରାକ୍ଷୀ ପୂର୍ଣ୍ଣମୀରେ ଷଣ୍ଢମାନଙ୍କୁ ଦୁର୍ଘଟଣାରୁ ବର୍ତିବା ପାଇଁ ନିଆରା ଉଦ୍ୟମ କରିଛନ୍ତି। ପ୍ରାୟ ୨୫ଟି ଷଣ୍ଢ ଶିଙ୍ଘରେ ରିଫ୍ଲେକ୍ସ ଟେପ୍‌ ବାନ୍ଧିଥିଲେ ଏହି ଯୁବକମାନେ।

ରାକ୍ଷୀ ଯେ ବୟସର ମାପଦଣ୍ଡ ଲୋଡ଼େନି କି ଚିହ୍ନା ଅଚିହ୍ନା ଆବଶ୍ୟକ କରେନି, ତାହା ପ୍ରମାଣିତ କରିଛି ଗଙ୍ଗନଗରସ୍ଥିତ ବାସହୀନଙ୍କ ସହର ଆଶ୍ରୟସ୍ଥଳୀ। ଓଡ଼ିଶା ପତିତା ଉଦ୍ଧାର ସମିତିର ସମ୍ପାଦିକା ଆଭାରାଣୀ ଚୌଧୁରୀଙ୍କ ନେତୃତ୍ୱରେ ବାସହୀନଙ୍କ ହାତରେ ରାକ୍ଷୀ ବାନ୍ଧି ଭାତୃଭାବର ପରିବେଶ ସୃଷ୍ଟି କରିବାକୁ ଉଦ୍ୟମ କରାଯାଇଛି। ବାସହୀନ ବୃଦ୍ଧା ଓ ମହିଳାମାନେ ବାସହୀନ ବୃଦ୍ଧ ଏବଂ ପୁରୁଷଙ୍କ ହାତରେ ରାକ୍ଷୀ ବାନ୍ଧି ବନ୍ଦାପନା କରିଥିଲେ। ବକୁଲ ଫାଉଣ୍ଡେସନ୍‌ ପକ୍ଷରୁ ସୁଜିତ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଏଥର ରାକ୍ଷୀ ପୂର୍ଣ୍ଣମୀକୁ ନିଆରା ଢଙ୍ଗରେ ପାଳନ କରାଯାଇଥିଲା। ଫାଉଣ୍ଡେସନ୍‌ ପକ୍ଷରୁ ଗ୍ରିନ୍‌ ରାକ୍ଷୀ ସହିତ ଶଗଡ଼ରେ ସହର ସାରା ବୁଲିବୁଲି ଚାରା ବଣ୍ଟାଯାଇଥିଲା।

ସମ୍ବନ୍ଧିତ ଖବର