ଭୁବନେଶ୍ୱର: ଆସୁଛି ରାଖୀ ପୂର୍ଣ୍ଣିମା। ଭାଇ ଭଉଣୀଙ୍କ ସମ୍ପର୍କର ମହତ୍ତ୍ୱକୁ ଦର୍ଶାଉଥିବା ଏହି ଦିନଟିକୁ ଭାଇ ଓ ଭଉଣୀମାନେ ଚାହି ବସିଛନ୍ତି। ତେବେ ବର୍ତ୍ତମାନ ରାଖୀ ପରମ୍ପରା ବଦଳୁଛି। ଏବେ ରାଖୀ କେବଳ ଭାଇମାନଙ୍କ ହାତରେ ପିନ୍ଧାଇବାରେ ସୀମିତ ହୋଇନାହିଁ। ସାଙ୍ଗ ଠାରୁ ଆରମ୍ଭ କରି ଭାଉଜମାନଙ୍କୁ ରାଖୀ ବାନ୍ଧିବାର ପରମ୍ପରା ଆରମ୍ଭ ହେଲାଣି। ତେଣୁ ସେହି ଅନୁସାରେ ଅନ୍ଲାଇନ୍ ଓ ସାଧାରଣ ବଜାରରେ ଭିନ୍ନ ଭିନ୍ନ ରକମର, ଗ୍ରାହକଙ୍କ ଚାହିଦା ଓ ପସନ୍ଦ ଅନୁଯାୟୀ ରାଖୀ ଉପଲବ୍ଧ ହେଉଛି। ଉଭୟ ଭାଇ ଓ ଭାଉଜଙ୍କ ହାତରେ ବନ୍ଧା ହେବାକୁ ତିଆରି ହୋଇଥିବା ‘ଭୈୟା ଭାବି ରାଖୀ’ର ଦାମ୍ ୨୫୦ରୁ ୩୦୦ ଟଙ୍କା ଭିତରେ ରହିଛି। ବଜାରରେ ଏବେ ପାରମ୍ପରିକ ରାଖୀଠାରୁ ଆରମ୍ଭ କରି ରୁଦ୍ରାକ୍ଷ ମାଳ, ବ୍ରେସ୍ଲେଟ୍, ଲାଇଟ୍, ଡୋରେମନ୍, ବେନ୍ଟେନ୍, ଛୋଟା ଭୀମ୍, ମୟୂର ପୁଚ୍ଛ, କପଡ଼ା, ଷ୍ଟୋନ୍ ରାଖୀ ମିଳୁଛି। ଏଥିପାଇଁ ବଜାର ଚଳଚଞ୍ଚଳ ହୋଇପଡ଼ିଲାଣି। ଡିଜାଇନ ଅନୁସାରେ ଏସବୁର ଦାମ୍ ୧୦ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।
ଚାହିଦାରେ ଜୈବ ଅନୁକୂଳ ଓ କଷ୍ଟମାଇଜ ରାଖୀ
ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ନକରି ଝୋଟ, ସୁତୁଲି, କାଠ, ସବାଇ ଘାସ, ବିଭିନ୍ନ ପ୍ରକାର ଓ କପଡ଼ାରେ ପ୍ରସ୍ତୁତ ରାଖୀ ବର୍ତ୍ତମାନ ବଜାରକୁ ଆସିଛି। ବହୁ ଅନୁଷ୍ଠାନ ତଥା ଡିଜାଇନର ଏହି ରାଖୀ ଉଭୟ ଅନଲାଇନ୍ ଓ ଅଫ୍ଲାଇନ୍ରେ ବିକ୍ରି କରୁଛନ୍ତି। ସାମାଜିକ ଅନୁଷ୍ଠାନ ୟୁଥ୍ ଫର ସେବା ପକ୍ଷରୁ କଖାରୁ, ଭେଣ୍ଡି, ଜହ୍ନି, ବିନ୍, ବିରି, ଧାନ, ମୁଗ, ମସୁର ଡାଲିର ମଞ୍ଜି ମୋଟା ପେପର, ବୋର୍ଡ ଓ ସୂତା ବ୍ୟବହାର କରି ରାଖୀ ପ୍ରସ୍ତୁତ କର୍ମଶାଳା ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି। ଅନୁଷ୍ଠାନର ଜ୍ଞାନରଞ୍ଜନ ଦାସଙ୍କ କହିବା ଅନୁଯାୟୀ ଏହି ଜୈବ ଅନୁକୂଳ ରାଖୀ ବୃକ୍ଷର ସଂଖ୍ୟା ବଢ଼ାଇବା ସହିତ ପ୍ରଦୂଷଣ କମ୍ କରିବାରେ ସାହାଯ୍ୟ କରିବ। ସେହିପରି ଚଳିତ ରାଖୀ ପୂର୍ଣ୍ଣିମାରେ ଆକର୍ଷଣ ସାଜିବ କଷ୍ଟମାଇଜ୍ ରାଖୀ। ଏଥିରେ ଭାଇଭଉଣୀଙ୍କ ଯୋଡ଼ାଫଟୋ, ନଚେତ୍ କେବଳ ଭାଇ କିମ୍ୱା ଭଉଣୀଙ୍କ ଫଟୋ, ଜଗନ୍ନାଥଙ୍କ ପଟ୍ଟଚିତ୍ର, ଭାଇଭଉଣୀଙ୍କ ନାମ ଲେଖା ଥିବା ରାଖୀ ମଧ୍ୟ ସହରର ବିଭିନ୍ନ ଷ୍ଟୋର ସମେତ ଅନ୍ଲାଇନ୍ରେ ମିଳୁଛି। ଏନେଇ ‘ଲିଟିଲ୍ ଵମେନ’ ବ୍ରାଣ୍ଡର ଧୂପାନ୍ୱିତା ମଲ୍ଲିକଙ୍କ କହିବା ଅନୁଯାୟୀ ସେ ଲୋକଙ୍କ ଚାହିଦା ମୁତାବକ ଡିଜାଇନ, ଉତ୍ପାଦ ବ୍ୟବହାର କରି ରାଖୀ ପ୍ରସ୍ତୁତ କରୁଛନ୍ତି। ଏଗୁଡ଼ିକର ମୂଲ୍ୟ ୨୫୦ଟଙ୍କାରୁ ଆରମ୍ଭ ହେଉଛି।