ଆସନ୍ତା ୧୧ ତାରିଖରେ ପବିତ୍ର ରାଖୀପୂର୍ଣ୍ଣିମା। ରେଶମୀ ଡୋରିରେ ସେନେହ ଓ ମମତାର ମାଳିଗୁନ୍ଥି ଭାଇ ହାତେ ଭଉଣୀ ରାଖୀ ବାନ୍ଧି ଶୁଭ ମନାସିବ। ପ୍ରତି ବଦଳରେ ଭଉଣୀର ସମ୍ମାନ ରକ୍ଷାର ପ୍ରତିଶ୍ରୁତି ଦେବ ଭାଇ। ଗତ ୨ ବର୍ଷ ହେଲା କରୋନା କଟକଣାରେ ଏହି ପର୍ବ ବେଶି ଜାକଜମକରେ ପାଳନ ହୋଇନଥିବା ବେଳେ ଚଳିତ ବର୍ଷ ମାସକ ଆଗରୁ ବ୍ୟବସାୟୀମାନେ ଅଣ୍ଟା ଭିଡ଼ିଲେଣି। ସହରର ପ୍ରତିଟି ଗଳିକନ୍ଦିରେ ମେଲିଲାଣି ରାଖୀପସରା।

Advertisment

କମିସନରେଟ୍ ପୁଲିସ ପକ୍ଷରୁ ୮୫ଟି ଦୋକାନକୁ ଅନୁମତି ମିଳିଥିଲେ ବି ସହରରେ ମାଳମାଳ ରାଖୀ ପସରା ମେଲିଛି। ମାଳି, କୁନ୍ଦନ, ଏଡି ଷ୍ଟୋନ୍, କ୍ରିଷ୍ଟାଲ ଆଦି ଫ୍ୟାନ୍ସି ରାଖୀ ବଦଳରେ ଏବେ ଧାନ, ଚାଉଳ, ସୋରିଷ ଆଦି ଶସ୍ୟଜାତୀୟ ରାଖୀ ସହ କାଇଁଚ ଓ କଉଡ଼ି ଭଳି ପରିବେଶ ଅନୁକୂଳ ରାଖୀ ବଜାରର ଆକର୍ଷଣ ସାଜିଛି। ଏଥିସହ ରାଖୀ ପର୍ବକୁ ଅନେକ ସଚେତନ ନାଗରିକ ପରିବେଶ ଅନୁକୂଳ କରିବାକୁ ଲାଗି ପଡ଼ିଛନ୍ତି। ରାସାୟନିକ ରଙ୍ଗ ବଦଳରେ ହର୍ବାଲ ରଙ୍ଗ ଏବଂ ଫ୍ୟାନ୍ସି ସାମଗ୍ରୀ ବଦଳରେ ପାରମ୍ପରିକ ଝୋଟ, ସୁତୁଲି, ସବାଇଘାସ, କପଡ଼ା ଓ ତୁଳସୀ ମାଳି ବ୍ୟବହାର ଉପରେ ପ୍ରାଧାନ୍ୟ ଦେଇଛନ୍ତି। କିଏ ରାଖୀ ଭିତରେ ବୃକ୍ଷ ମଞ୍ଜି ରଖି ‘ରାଖୀ ପୋତିଲେ ଗଛ ଉଠିବ’ର ସ୍ଲୋଗାନ ବି ଦେଉଛନ୍ତି। ରାଖୀକୁ ନେଇ ବିଭିନ୍ନ ମହଲର ଉତ୍ସାହ ଓ ଭିନ୍ନ ଭିନ୍ନ ବର୍ଗର ପ୍ରୟାସକୁ ନେଇ ଏଥରର ଉପସ୍ଥାପନା...

ଚାହିଦାରେ ଦ୍ରୌପଦୀ ମୁର୍ମୁ ରାଖୀ

publive-image

ପୋଖରୀପୁଟ ଅଞ୍ଚଳର ସୁଶାନ୍ତ ସାହୁ ତିଆରି କରିଛନ୍ତି ‘ଦ୍ରୌପଦୀ ମୁର୍ମୁ ରାଖୀ’। ଉଲ୍‌ରେ ରାଖୀ ତିଆରି କରି ଏହା ଉପରେ ରାଷ୍ଟ୍ରପତିଙ୍କ ଫଟୋ ଲଗାଯାଇଛି। ଓଡ଼ିଆ ଆଦିବାସୀ ମହିଳା ଏବେ ରାଷ୍ଟ୍ରମୁଖ୍ୟ। ଦେଶ ତଥା ଦେଶବାସୀଙ୍କ ରକ୍ଷାର ଗୁରୁଦାୟିତ୍ବ ଏବେ ତାଙ୍କ ଉପରେ। ଏଣୁ ରାଖୀରେ ସେ ମହାମହିମଙ୍କ ଫଟୋକୁ ସ୍ଥାନ ଦେଇଛନ୍ତି। ସେହିପରି ଧଳା ଧାନ, କଳା ଧାନ, ବାଜରା, ପିସ୍ତା ଓ ସୂର୍ଯ୍ୟମୁଖୀ ଭଳି ଏକାଧିକ ମଞ୍ଜିରେ ସେ ରାଖୀ ପ୍ରସ୍ତୁତ କରିଛନ୍ତି। ରାଖୀ ପ୍ରସ୍ତୁତିରେ ସୁଶାନ୍ତଙ୍କ ସ୍ତ୍ରୀ ଅନୂସୟା ସହଯୋଗ କରିଛନ୍ତି। ୧୦ରୁ ୧୨୦ଟଙ୍କା ପର୍ଯ୍ୟନ୍ତ ରାଖୀ ଏଠାରେ ଉପଲବ୍ଧ ରହିଥିବା କଥା ସୁଶାନ୍ତ କହିଛନ୍ତି।

ଅନଲାଇନ୍‌ରେ କାଠ ଓ ସବାଇଘା‌ସ ରାଖୀ

publive-image IndiaMART

କମ୍ପ୍ୟୁଟର ଇଂଜିନିୟର ମନୀଷା ସାମଲ ପରିବେଶ ଅନୁକୂଳ ରାଖୀ ତିଆରି କରିଛନ୍ତି। ଗତ ୨ବର୍ଷ ହେଲା ତାଙ୍କ କଳିଙ୍ଗ ବିହାରସ୍ଥିତ ଘରେ ସେ ପ୍ରସ୍ତୁତ କରୁଛନ୍ତି କାଠ ଓ ସବାଇଘାସ ରାଖୀ। ସେହିପରି ସେ ଝୋଟ, ସବାଇଘାସ, ସୁତୁଲି, କପଡ଼ା ଓ ତୁଳସୀ ମାଳିରେ ତିଆରି କରୁଛନ୍ତି ବିଭିନ୍ନ ପ୍ରକାରର ସ୍ବତନ୍ତ୍ର ରାଖୀ। କେବଳ ପରିବେଶ ଅନୁକୂଳ ରାକ୍ଷୀ ନୁହେଁ, ସେ ଏହାକୁ ପ୍ୟାକିଙ୍ଗ କରିବା ପାଇଁ ସବାଇ ଘାସର ଡବା ଓ କଟନ କପଡ଼ା ପୁଟୁଳି ମଧ୍ୟ ବ୍ୟବହାର କରୁଛନ୍ତି। ତାଙ୍କ ନିର୍ମିତ ରାଖୀ ପ୍ୟାକେଟ୍‌ରେ ଏକ ରାଖୀ ସହ ଚନ୍ଦନ, ସିନ୍ଦୂର ଓ ଚାଉଳ ପ୍ୟାକ୍ କରନ୍ତି। ଏହାସହ ଏହି ପ୍ୟାକେଟ୍‌ରେ ଭାଇଙ୍କ ପାଇଁ କାଗଜରେ ତିଆରି ଏକ ସୁନ୍ଦର ଗ୍ରିଟିଙ୍ଗସ୍ କାର୍ଡ ମଧ୍ୟ ଉପଲବ୍ଧ ହେଉଛି। ଏହାକୁ ମନୀଷା ରାଜଧାନୀ ତଥା ରାଜ୍ୟ ବାହାରେ ଅନ୍‌ଲାଇନ୍‌ରେ ବିଭିନ୍ନ ସ୍ଥାନକୁ ପଠାଉଥିବା ବେଳେ ଚଳିତ ବର୍ଷ ସେ ୫୦୦ରୁ ଅଧିକ ରାଖୀ ତିଆରି କରିଛନ୍ତି। ରାଖୀ ଓ ରାଖୀ ପ୍ୟାକେଜ୍‌ର ମୂଲ୍ୟ ୧୫୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

ରାଖୀରୁ ବାହାରିବ ଚାରା

ରାଖୀ ଭିତରେ ବିହନ ରଖି ବକୁଳ ଫାଉଣ୍ଡେସନ୍ ପକ୍ଷରୁ ପ୍ରସ୍ତୁତ କରାଯାଇଛି ବିହନ ରାଖୀ। ରାଖୀ ପୂର୍ଣ୍ଣିମା ପରେ ଏହି ରାଖୀକୁ ମାଟିରେ ପୋତିଲେ ଏଥିରୁ ଚାରା ବାହାରିବ। ଏହି ବିହନ ରାଖୀ ଦେଖିବାକୁ ଖୁବ୍ ସୁନ୍ଦର ହୋଇଥିବା ବେଳେ ଏଥିରେ ବ୍ୟବହାର ହୋଇଥିବା କପଡ଼ା ଓ ସୂତା ସବୁ ପ୍ରାକୃତିକ ରଙ୍ଗରେ ଓ ହାତ ତିଆରି ସୂତାରେ ନିର୍ମିତ। ପ୍ରତ୍ୟେକ ରାଖୀ ଓ ସେଥିରେ ଥିବା କାର୍ଡରେ ପ୍ରାୟ ୫ରୁ ୬ ପ୍ରକାରର ମଞ୍ଜି ରହିଛି। ତେବେ କେବଳ ବିହନ ରାଖୀକୁ କେହି ଖାଲି କିଣି ପାରିବେ ନାହିଁ। କାହାକୁ ଉପହାର ଦେବା ପାଇଁ ଗଛ କିଣିଲେ ଏହି ବିହନ ରାଖୀ ତାଙ୍କୁ ମାଗଣା ମିଳିବ। ଭିନ୍ନ ଭିନ୍ନ ଧରଣର ଫୁଲ ଗଛ, ତୁଳସୀ, ବାସଙ୍ଗ ପରି ଔଷଧୀୟ କିମ୍ବା ଆମ୍ବ, ଜାମୁ ଭଳି ଗଛକୁ ଆକର୍ଷଣୀୟ ଧଳା ବାଉଁଶ ଟୋକେଇ କିମ୍ବା କ୍ଲାସି ଜଟ୍ ପ୍ୟାକେଜିଂରେ ଯୋଗାଇ ଦେବା ସହ ଗଛଗୁଡ଼ିକ ସହ ନିଜ ମନ ମୁତାବକ ଭିନ୍ନ ଭିନ୍ନ ଦରର ବିହନ ରାଖୀ ଗ୍ରାହକମାନେ କିଣିପାରିବେ ବୋଲି ବକୁଳ ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି। ଗଛ ସହିତ ରାଖୀ ୨୦୦ ଟଙ୍କାରୁ ୪୦୦ ଟଙ୍କା ପର୍ଯ୍ୟନ୍ତ ଉପଲବ୍ଧ ରହିଛି। ଏହାକୁ ବକୁଳ ଲାଇବ୍ରେରି ସତ୍ୟନଗରରୁ ଲୋକେ ସଂଗ୍ରହ କରିପାରିବେ।

ଆକର୍ଷଣରେ ରାଖୀ ପ୍ୟାକେଜ୍

publive-image Shop special package of rakhi

ଚନ୍ଦନ, ସିନ୍ଦୂର, ଚାଉଳ, ଦୀପ ଓ ରାଖୀ ଆଦିକୁ ଦେଇ ସ୍ବତନ୍ତ୍ର ପ୍ୟାକେଜ ଏବେ ବଜାରରେ ଉପଲବ୍ଧ। ବଜାରରେ ଏହି ସ୍ବତନ୍ତ୍ର ରାଖୀ ପ୍ୟାକେଜ ୩୦ ଟଙ୍କାରୁ ୧୦୦ ଟଙ୍କା ମଧ୍ୟରେ ମିଳୁଛି। ବିଭିନ୍ନ ଅନଲାଇନ୍‌ ସାଇଟ୍‌ରେ ମଧ୍ୟ ରାଖୀ ପ୍ୟାକେଜ୍ ସହ ଚକୋଲେଟ୍, ମଗ୍, ଡ୍ରାଏ ଫ୍ରୁଟ୍ସ୍ ବିଭିନ୍ନ ପ୍ରକାର ଉପହାର ଉପଲବ୍ଧ ହେଉଛି। ଏସବୁର ଦାମ୍ ୨୪୯ରୁ ଆରମ୍ଭ କରି ୫୯୯ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିପରି ଛୋଟ ପିଲାଙ୍କ ପାଇଁ ଲାଇଟ୍ ରାଖୀ, ଜଗନ୍ନାଥ, ସ୍ପାଇଡର୍ ମ୍ୟାନ୍, ଛୋଟାଭୀମ୍, ମୋଟୁ ପତଲୁ ଭଳି କାର୍ଟୁନ ରାଖୀ ରହିଛି। ଓଁ, କଉଡ଼ି, ରୁଦ୍ରାକ୍ଷ, ଫୁଲ, ତୁଳା ଓ କାଗଜ ରାଖୀର ମୂଲ୍ୟ ୧୦ ଟଙ୍କା ରହିଥିବା ବେଳେ ବଡ଼ ଜଗନ୍ନାଥ, ମୟୂର ଚୂଳ ଓ ରଙ୍ଗିନ ମାଳିରେ ତିଆରି ହୋଇଥିବା ରାଖୀର ମୂଲ୍ୟ ୪୦ ଟଙ୍କା ରହିଛି। ଷ୍ଟୋନ ଓ ଚେନ୍ ରାଖୀର ମୂଲ୍ୟ ୬୦ରୁ ଆରମ୍ଭ କରି ୫୫୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଗତବର୍ଷ ତୁଳନାରେ ଏଥର ରାଖୀର ଦର ବଢ଼ିଛି ବୋଲି ରସୁଲଗଡ଼ ଛକ ଅସ୍ଥାୟୀ ରାଖୀ ବ୍ୟବସାୟୀ ସୁଶାନ୍ତ କୁମାର ରାଉତ କହିଛନ୍ତି।