ଜଟଣୀ: ଆଉ ଦିନ କେଇଟା ପରେ ପବିତ୍ର ରାକ୍ଷୀପୂର୍ଣ୍ଣିମା ବା ରକ୍ଷାବନ୍ଧନ। ଏହାକୁ ନେଇ ସାଧାରଣ ବଜାରରେ ଭିନ୍ନ ଭିନ୍ନ ରକମର ଏବଂ ଗ୍ରାହକଙ୍କ ଚାହିଦା ଓ ମନପସନ୍ଦ ଅନୁଯାୟୀ ରାକ୍ଷୀ ବିକ୍ରି ଆରମ୍ଭ ହୋଇଗଲାଣି। ରଙ୍ଗବେରଙ୍ଗର ରାକ୍ଷୀ ପସରା ଏବେ ସହରର ପ୍ରମୁଖ ରାସ୍ତା କଡ଼ରେ ଆକର୍ଷଣ ସାଜିଛି। ପାଇକାରୀ ରାକ୍ଷୀ ବ୍ୟବସାୟ ପାଇଁ ଜଣାଶୁଣା ଜଟଣୀରେ ପାଇକାରୀ ବେପାର ଯେତିକି ବଢ଼ୁଛି, ଖୁଚୁରା ବଜାରରେ ମଧ୍ୟ ଗ୍ରାହକଙ୍କ ସେତିକି ଭିଡ଼ ହେବାରେ ଲାଗିଛି। ଅନ୍ୟପଟେ ଚଳିତବର୍ଷ ଆଶା ଅନୁସାରେ ଭଲ ବେପାର ହେଉ ନଥିବାରୁ ଜଟଣୀରେ ଉଭୟ ପାଇକାରୀ ଓ ଖୁଚୁରା ବେପାରୀମାନେ ସେତେ ଖୁସି ନଥିବା କହିଛନ୍ତି। ଚଳିତବର୍ଷ ବ୍ରାସ୍ଲେଟ୍, ଷ୍ଟୋନ୍ ଓ ଡୋରି ରାକ୍ଷୀର ଚାହିଦା ରହିଛି।
ସହରର ପ୍ରତି ଗଳିକନ୍ଦିରେ ଛୋଟଠାରୁ ଆରମ୍ଭ କରି ବଡ଼ ରାକ୍ଷୀ ଦୋକାନ ଓ ଷ୍ଟଲ୍ ଖୋଲିଛି। ଜଟଣୀ ରେଳବାଇ ମାର୍କେଟ୍ରେ ଥିବା ହୋଲସେଲ୍ ଦୋକାନୀମାନେ ଗୁଜୁରାଟ, ଦିଲ୍ଲୀ, କଲିକତା, ମୁମ୍ବାଇ, ଅହମ୍ମଦାବାଦ, ରାଜକୋଟ୍, ମହାରାଷ୍ଟ୍ର, ବିହାର, ଉତ୍ତରପ୍ରଦେଶ ଆଦି ରାଜ୍ୟରୁ ରାକ୍ଷୀ ଆଣିଛନ୍ତି। ପାଇକାରୀ ଦାମ୍ କମ୍ ଥିବାରୁ ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼ ଭଳି ଜିଲ୍ଲାରୁ ଛୋଟବଡ଼ ବ୍ୟବସାୟୀ ଏଠାରୁ ରାକ୍ଷୀ କିଣୁଛନ୍ତି। ଚଳିତବର୍ଷ ବଜାରରେ ବ୍ରାସଲେଟ୍, ଷ୍ଟୋନ୍, ଡୋରି ରାକ୍ଷୀର ଅଧିକ ଚାହିଦା ଥିବାବେଳେ ଅରୁଆ ଧାନ, ଗୁଜୁରାତି ଓ ଲବଙ୍ଗରେ ତିଆରି ଜଗନ୍ନାଥଙ୍କ ରାକ୍ଷୀ ମଧ୍ୟ ଅଧିକ ବିକ୍ରି ହେଉଛି। ବ୍ରେସ୍ଲେଟ୍ ରାକ୍ଷୀର ଦାମ ୪ଟଙ୍କାରୁ ଆରମ୍ଭ କରି ସର୍ବାଧିକ ୧୫୦ ଟଙ୍କା ରହିଥିବା ବେଳେ ଷ୍ଟୋନ୍ ରାକ୍ଷୀ ଦେଢ଼ ଟଙ୍କାରୁ ଆରମ୍ଭ କରି ସର୍ବାଧିକ ୨୦୦ ଟଙ୍କା ରହିଛି। କିଛି ସାମାଜିକ ସଂଗଠନ କର୍ମୀମାନେ ରାକ୍ଷୀ ଭିତରେ ବୃକ୍ଷ ମଞ୍ଜି ରଖି ବ୍ୟବହାର କରୁଛନ୍ତି। ଏହିସବୁ ରାକ୍ଷୀ ହୋଲସେଲ୍ ଦରରେ ଡଜନ୍ ପ୍ରତି ଏକ ଟଙ୍କାରୁ ଆରମ୍ଭ କରି ୨ ହଜାର ଟଙ୍କା ପର୍ଯ୍ୟନ୍ତ ଦରରେ ବିକ୍ରି ହେଉଛି।
ରାକ୍ଷୀ ବ୍ୟବସାୟ କରୁଥିବା ପ୍ରମୋଦ ସିଜନ୍ ସେଣ୍ଟର ମାଲିକ ପ୍ରମୋଦ ସାହୁ, ଲଳିତ ଭଣ୍ଡାର ମାଲିକ ଲଳିତ ବେବର୍ତ୍ତା, ମନୋଜ ସିଜନ୍ ସେଣ୍ଟର ମାଲିକ ମନୋଜ ସାହୁ, ମହାବୀର ଭଣ୍ଡାର ମାଲିକ ତ୍ରିଲୋଚନ ପଟ୍ଟନାୟକ କହନ୍ତି ଯେ, ଜଟଣୀରେ ପାଇକାରୀ ଭାବେ ୧୯୮୯ମସିହାରୁ ରାକ୍ଷୀ ବେପାର ବଢ଼ିଚାଲିଛି। ବାହାର ରାଜ୍ୟରୁ ଭଲ ରାକ୍ଷୀ ମଗାଇ ଏଠାରେ ସୁଲଭ ମୂଲ୍ୟରେ ବିକ୍ରି କରି ଆସୁଛୁ। ତେଣୁ କଟକ, ଭୁବନେଶ୍ୱର, ନୟାଗଡ଼, ଖୋର୍ଦ୍ଧା, ପୁରୀ ଭଳି ଜିଲ୍ଲାରୁ ବ୍ୟବସାୟୀମାନେ ଆସି ଏଠାରୁ ହୋଲସେଲ୍ ଦରରେ ରାକ୍ଷୀ କିଣି ନେଉଛନ୍ତି।