ରାଜଧାନୀରେ ରାଖୀ ପସରା‌: ଚାହିଦାରେ ସୁଶାନ୍ତଙ୍କ ପରିବେଶ ଅନୁକୂଳ ରାକ୍ଷୀ

ରାଜ୍ୟ ବାହାରେ ‘ତାସୁକେରୁ’ର କଷ୍ଟମାଇଜ୍‌ଡ ରାଖୀର ଚାହିଦା

କରୋନା ଅନେକ କିଛି ବଦଳାଇ ଦେଇଛି। ଲୋକଙ୍କ ଜୀବନ ଜୀବିକାକୁ ବିପନ୍ନ କରିଛି। ତେବେ ଏହା ମଧ୍ୟ ସତ୍ୟ ଯେ କରୋନା କିଛି ଲୋକଙ୍କ ପାଇଁ ନୂଆ ସୁଯୋଗ ଆଣିଛି। ରାଖୀ ପୂର୍ଣ୍ଣମୀକୁ ନଜରରେ ରଖି ଭୁବନେଶ୍ବର ପୋଖରୀପୁଟ ଅଞ୍ଚଳରେ ରହୁଥିବା ସାମାଜିକ କର୍ମୀ ତଥା ପରିବେଶବିତ୍‌ ସୁଶାନ୍ତ ସାହୁ ମଧ୍ୟ ନିଜର ଦୃଢ ଇଚ୍ଛାଶକ୍ତି ଏବଂ ପରିଶ୍ରମ ବଳରେ ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି। ସାଧାରଣତଃ ପୂର୍ବରୁ ତିଆରି ହେଉଥିବା ରାଖୀ ଏବଂ ଏଥିରେ ବ୍ୟବହୃତ ସାମଗ୍ରୀ ପରିବେଶ ପାଇଁ ବିପଦ ସୃଷ୍ଟି କରୁଥିଲା। ମାତ୍ର ସୁଶାନ୍ତ ନିଜର ଅଧ୍ୟବସାୟ ବଳରେ ପରିବେଶ ଅନୁକୂଳ ରାଖୀ ତିଆରି କରିଛନ୍ତି। ଧଳାଧାନ, କଳାଧାନ, ନାଲିଧାନ, ବାଜରା, ସୂର୍ଯ୍ୟମୁଖୀ, କଖାରୁ, ଚାରୁମଗଜ ଆଦି ବିହନ ସହ ତୁଳା, କାଠି, କାଗଜ, ନଡ଼ା, ସୂତା ଆଦିକୁ ବ୍ୟବହାର କରି ଏହି ରାଖୀ ପ୍ରସ୍ତୁତ କରିଛନ୍ତି। ଏଥିରେ ତାଙ୍କ ପତ୍ନୀ ଅନୁସୂୟା ସହଯୋଗ କରୁଛନ୍ତି। ଏହି ରାଖୀଗୁଡ଼ିକ ଆକର୍ଷଣୀୟ ହେବା ସହିତ ଲୋକଙ୍କ ପସନ୍ଦର ବସ୍ତୁ ପାଲଟିଛି। ରାଖୀକୁ ବର୍ତ୍ତମାନ ରାଜଧାନୀର ପୋଖରୀପୁଟ, ପଟିଆ, ଶୈଳଶ୍ରୀବିହାର, ଜଟଣୀ ଆଦି ଅଞ୍ଚଳକୁ ବିକ୍ରି ପାଇଁ ପଠାଯାଉଛି। ଗତବର୍ଷ କରୋନା ସମୟରୁ ଆରମ୍ଭ ହୋଇଥିବା ଏହି ସ୍ଵଦେଶୀ ମିସନ୍ ଚଳିତ ବର୍ଷ ୯୦ ପ୍ରକାର ରଙ୍ଗର ସୂତାକୁ ରାଖୀ ତିଆରିରେ ବ୍ୟବହାର କରାଯାଇଛି।

ବଜାରରେ ଅନ୍ୟ ରାଖୀର ମୂଲ୍ୟ ୨୦ ଟଙ୍କାରୁ ଆରମ୍ଭ କରି ସର୍ବାଧିକ ୮୦୦ ଟଙ୍କା ପର୍ଯ୍ୟନ୍ତ ଥିବା ବେଳେ ସୁଶାନ୍ତଙ୍କ ନିର୍ମିତ ରାଖୀଗୁଡ଼ିକ ୨୫ରୁ ୫୦ ଟଙ୍କା ମୂଲ୍ୟରେ ବିକ୍ରି କରାଯାଉଛି। ଦୁଇମାସ ମଧ୍ୟରେ ପ୍ରାୟ ହଜାରେ ରାଖୀ ତିଆରି କରାଯାଇଥିବା ସୁଶାନ୍ତ କହିଛନ୍ତି। ଲାଭ ପାଇଁ ନୁହେଁ, ବରଂ ସ୍ୱଦେଶୀ ଓ ପରିବେଶକୁ ସହୁଇଲା ଭଳି ସାମଗ୍ରୀର ବ୍ୟବହାର ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି। ରାଖୀ ମାଟି ସହ ମଣିଷର ସବୁଜିମାର ସମ୍ପର୍କ ଯୋଡ଼ିବାର ଏକ ପ୍ରୟାସ ବୋଲି ସୁଶାନ୍ତ କହିଛନ୍ତି। ସୂଚନାଯୋଗ୍ୟ, ଆମ ଦେଶରେ ପର୍ବପର୍ବାଣୀ ସମୟରେ ଚୀନ ତିଆରି ହଜାର ହଜାର କୋଟି ଟଙ୍କାର ସାମଗ୍ରୀ ବିକ୍ରି ହୋଇଥାଏ। ବଜାରରେ ଚୀନରୁ ଆସୁଥିବା ରାଖୀ ଅଧିକ ମୂଲ୍ୟରେ ବିକ୍ରି ହୁଏ। ଏହା ପରିବେଶ ପ୍ରତି ବିପଜ୍ଜନକ ମଧ୍ୟ। ଆଗକୁ ବିକଳ୍ପ ସ୍ବଦେଶୀ ସାମଗ୍ରୀମାନ ତିଆରି କରି ବଜାରରେ ଉପଲବ୍ଧ କରାଇବା ଆଶବ୍ୟକ ବୋଲି ସୁଶାନ୍ତ କୁହନ୍ତି। ଆସନ୍ତା ବର୍ଷ ତାଙ୍କ ଦ୍ବାରା ପ୍ରସ୍ତୁତ ରାଖୀ ଭାରତର କୋଣ ଅନୁକୋଣରେ ସୁଲଭ ମୂଲ୍ୟରେ ପହଞ୍ଚିବ ବୋଲି ତାଙ୍କ ଲକ୍ଷ୍ୟ ରହିଥିବା ସେ କହିଛନ୍ତି।

ଅନ୍‌ଲାଇନ୍‌ ରାଖୀ ବାକ୍ସ ଦୌଡ଼ରେ ସାମିଲ ହୋଇଛି ଓଡ଼ିଶାର ଅନ୍‌ଲାଇନ୍ ସପିଂ ଆପ୍ ‘ତାସୁକେରୁ’। ଏଥର ରାଖୀକୁ ଅଧିକ ସ୍ମରଣୀୟ କରିବା ପାଇଁ ତାସୁକେରୁ ଆରମ୍ଭ କରିଛି କଷ୍ଟମାଇଜ୍‌ଡ ଫଟୋ ରାଖୀ ବାକ୍ସ। ଏଥିରେ ଭାଇ, ଭଉଣୀଙ୍କ ଫଟୋ ଥିବା ରାଖୀ ସହିତ ରହୁଛି ଅରୁଆ ଚାଉଳ, ଚନ୍ଦନ, ସିନ୍ଦୂର ଓ ହଳଦୀ। କେବଳ ସେତିକି ନୁହେଁ ବାକ୍ସର ଅନ୍ୟପଟେ କିଛି ଡ୍ରାଏଫ୍ରୁଡ୍‌ ଯଥା ଆଲ୍‌ମଣ୍ଡ, କାଜୁ ଓ କିଛି ହାତ ତିଆରି ଚକ୍‌ଲେଟ ମଧ୍ୟ ରହୁଛି। ଫଟୋ ରାଖୀ, ୮୫ ଗ୍ରାମ୍‌ ଘର ତିଆରି ଚକ୍‌ଲେଟ୍‌ ରାଖୀର ମୂଲ୍ୟ ୧୯୯ ଟଙ୍କା ରହିଥିବା ବେଳେ, ଫଟୋ ରାଖୀ ସହ ଚକୋଲେଟ୍, କଚୋରିର ମୂଲ୍ୟ ୨୯୯ ଟଙ୍କା ରହିଛି। ସେହିଭଳି ଫଟୋ ରାଖୀ, ଚ‌କୋଲେଟ୍, ଆଲ୍‌ମଣ୍ଡ, କଚୋରିର ଏକ ପ୍ୟାକେଜ୍‌ର ମୂଲ୍ୟ ୩୯୯ ଟଙ୍କା ଧାର୍ଯ୍ୟ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ଭିତରୁ ଓ ବାହାରୁ ୩୭୮ଟି ସ୍ଥାନରେ ଏହି ରାଖୀ ଡବା ପହଞ୍ଚାଇ ସାରିଲେଣି। ମୁଖ୍ୟତଃ କେନ୍ଦ୍ରାପଡ଼ା, ଢେଙ୍କାନାଳ, ଭୁବନେଶ୍ବର, କଟକ, କଲିକତା ଓ ବ୍ରହ୍ମପୁର ଆଦି ଜିଲ୍ଲାରେ ଅଧିକ ବିକ୍ରି ହେଉଛି ଏହି ରାଖୀ ବାକ୍ସ।

ଏ ସମସ୍ତ କାମ ପାଇଁ ‘ତାସୁକେରୁ’ର ମୁଖ୍ୟ ଆଶୁତୋଷ ପାତ୍ରଙ୍କ ସହିତ ୨ ଜଣ ରାଖୀ ତିଆରିରେ ଓ ୩ ଜଣ ଘରେ ଚକୋଲେଟ୍‌ ତିଆରିରେ ସହଯୋଗ କରୁଛନ୍ତି। ଲକ୍‌ଡାଉନ୍ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଆତ୍ମନିର୍ଭର ଭାରତ’ ଓ ‘ଭୋକାଲ୍‌ ଫର ଲୋକାଲ୍‌’ ନାରାରେ ଅନୁପ୍ରାଣିତ ହୋଇ ରେଭେନ୍ସାରୁ ଆଇଏସ୍‌ଟି ଓ ପରେ ଏମ୍‌ସିଏ ପଢ଼ିଥିବା ଆଶୁତୋଷ ୱେବ୍‌ସାଇଟ ତଥା ମୋବାଇଲ ଆପ୍ ଜରିଆରେ ନିଜର ଏକ ଷ୍ଟାର୍ଟଅପ୍ ଆରମ୍ଭ କରିଥିଲେ। ଏହି ସଂସ୍ଥାର ନାମ କରିଥିଲେ ‘ତାସୁକେରୁ ’। ‘ତାସୁକେରୁ’ ହେଉଛି ଏକ ଜାପାନୀ ଶବ୍ଦ। ଯାହାର ଅର୍ଥ ହେଲା ଅନ୍ୟକୁ ସାହାଯ୍ୟ କରିବା। ଏହି ଅନ୍‌ଲାଇନ୍ ସପିଂ ପ୍ଲାଟଫର୍ମ ଜରିଆରେ ଆଶୁତୋଷ ପ୍ରଥମେ ତାଙ୍କର ଗ୍ରାହକମାନଙ୍କୁ ସ୍ୱଳ୍ପ ସମୟରେ ଓ ଠିକ୍ ମୂଲ୍ୟରେ ରାଜଧାନୀ, କଟକ ଓ ଏହାର ଆଖପାଖ ଅଞ୍ଚଳରେ ମିଳୁଥିବା ପ୍ରସିଦ୍ଧ ଜିନିଷ ତଥା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀକୁ ଉପଲବ୍ଧ କରାଇବା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଆଶୁତୋଷଙ୍କ ଦୃଢ଼ ମନବଳ ଓ କଠିନ ପରିଶ୍ରମ ବଳରେ ତାଙ୍କର ଏହି ଛୋଟିଆ ପ୍ରୟାସଟି ସଫଳ ହୋଇ ପାରିଛି।

ସମ୍ବନ୍ଧିତ ଖବର