ଭୁବନେଶ୍ବର : ସାମାଜିକ ସଂଗଠନ ‘କର ଫାଉଣ୍ଡେସନ୍’ ପକ୍ଷରୁ ଷ୍ଟ୍ରିଟ୍‌ ଚିଲ୍‌ଡ୍ରେନ୍ ଡେ’ ଅବସରରେ ଏକ ପଦଯାତ୍ରା ରାମମନ୍ଦିର ଛକରୁ ମାଷ୍ଟର୍ କ୍ୟାଣ୍ଟିନ୍ ଛକ ପର୍ଯ୍ୟନ୍ତ ବାହାରିଥିଲା। ଏହାର ଥିମ୍ ଥିଲା ‘ଭିକ୍ଷା ନୁହେଁ ଶିକ୍ଷା’। କର ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ତଥା ଅଭିନେତା ଚନ୍ଦନ କର କହିଥିଲେ, ବର୍ତ୍ତମାନ ସମୟରେ ରାସ୍ତାରେ ଶିଶୁଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଭିନ୍ନ ଛକରେ ସେମାନେ ଭିକ୍ଷାବୃତ୍ତି କରୁଥିବା ଦେଖିବାକୁ ମିଳୁଛି। ସମାଜର ପ୍ରତିଷ୍ଠିତ ବ୍ୟକ୍ତି ଓ ଅନୁଷ୍ଠାନ ଏପରି କିଛି ପିଲାଙ୍କ ଦାୟିତ୍ବ ନେଲେ ସେମାନେ ମୁଖ୍ୟସ୍ରୋତକୁ ଫେରିପାରିବେ। ଏ ଦିଗରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ପଦଯାତ୍ରାର ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଖଦି ବୋର୍ଡର ସଭାପତି ସଂଗ୍ରାମ କେଶରୀ ପାଇକରାୟ, ପୁଲିସ୍‌ ଏସିପି ମାନସ ଗଡ଼ନାୟକ ଓ ସମାଜସେବୀ ବାସୁଦେବ ଭଟ୍ଟ ଯୋଗ ଦେଇଥି‌େଲ। ଅନ୍ୟମାନଙ୍କ ମଧ୍ୟରେ ଗୀତାଞ୍ଜଳି କର, ଦୁଷ୍ମନ୍ତ ପଣ୍ଡା, ସୂରଜ ତ୍ରିପାଠୀ, ଜ୍ଞାନ, ବାଳକୃଷ୍ଣ, ଶେଖର ମହାନ୍ତି, ଶାନ୍ତି ସ୍ବରୂପ, ଅରବିନ୍ଦ କାନୁନ୍‌ଗୋ, ବର୍ଷା, ବିନୋଦ ରାଉତ, ନଳିନୀକାନ୍ତ ନାୟକ, ପ୍ରିୟଙ୍କା, ରୋଜି, ରିଙ୍କି, ଅଜିତ ଓ ଦୀପକ ପ୍ରମୁଖ ଉପସ୍ଥିତ ଥିଲେ।