ଭୁବନେଶ୍ବର : ସ୍ମାର୍ଟ ସିଟିର ପ୍ରତ୍ୟେକ ବସିନ୍ଦାଙ୍କୁ ସାଧାରଣ ପରିବହନ ବ୍ୟବସ୍ଥାରେ ସାମିଲ କରିବାକୁ ବିଏସ୍ସିଏଲ୍ (ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍) ଉଦ୍ୟମ ଜାରି ରଖିଛି। ଏଥିପାଇଁ ନିୟମିତ ସଚେତନତା ସୃଷ୍ଟି କରାଯାଉଛି। ଏହି କ୍ରମରେ ଶନିବାର ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏଥିରେ ୬୦ଜଣ ପ୍ରଗତି ସାଥୀଙ୍କ ସମେତ ବିଏସ୍ସିଏଲ୍ କର୍ମଚାରୀ ଯୋଗ ଦେଇଥିଲେ। ସରକାରୀ ପରିବହନ ବ୍ୟବସ୍ଥାକୁ ଆପଣାଇବା ପାଇଁ ସଚେତନତା ସୃଷ୍ଟି କରୁଥିବା ପ୍ଲାକାର୍ଡ ଧରି ସେମାନେ ରାଜମହଲ ଛକରୁ ବାହାରି ଆଇକନିକ୍ ଟେମ୍ପୁଲ୍ ପ୍ଲାଜା ପର୍ଯ୍ୟନ୍ତ ଯାଇଥିଲେ। ହାମାରା ବଚ୍ପନ୍ ଟ୍ରଷ୍ଟ ସହଯୋଗରେ ଏହି ଶୋଭାଯାତ୍ରା ଆୟୋଜନ ହୋଇଥିଲା।
ଏକ ସୁସ୍ଥ ପରିବେଶ ସୃଷ୍ଟି କରିବା ପାଇଁ ସାଧାରଣ ପରିବହନ ବ୍ୟବସ୍ଥାରେ ସମସ୍ତେ ସାମିଲ ହେବା ଆବଶ୍ୟକ। ସରକାରୀ ପରିବହନ ବ୍ୟବସ୍ଥା ଆପଣେଇବା ଦ୍ବାରା ପରିବେଶକୁ ରକ୍ଷା କରାଯାଇପାରିବ। ନିଜ ନିଜ ଗାଡ଼ି ବ୍ୟବହାର ଫଳରେ ଯେଉଁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି, ତାହା ମଧ୍ୟ କମିବ। ଏଥିପାଇଁ ମୋ ସାଇକେଲ୍ ବ୍ୟବସ୍ଥା ରହିଛି। ଖୁବ୍ଶୀଘ୍ର ଏକ ‘ପବ୍ଲିକ୍ ଟ୍ରାନ୍ସ୍ପୋର୍ଟ ଜୋନ୍’ ପ୍ରସ୍ତୁତ ହେବାକୁ ଯାଉଛି। ଏଠାରେ ପ୍ରତିଟି ଘରକୁ ପବ୍ଲିକ୍ ଟ୍ରାନ୍ସପୋର୍ଟ ବ୍ୟବସ୍ଥା ସଂଯୋଗ କରାଯିବ। ଘରୁ ବାହାରିଲେ ଯିବା ପାଇଁ ସୁବିଧା ମିଳିବ। ଘରକୁ ଆସିବାକୁ ହେଲେ ଘର ପର୍ଯ୍ୟନ୍ତ ପବ୍ଲିକ୍ ଟ୍ରାନ୍ସ୍ପୋର୍ଟ ସୁବିଧା ମିଳିବ ବୋଲି ବିଏସ୍ସିଏଲ୍ ମହାପ୍ରବନ୍ଧକ କମଲଜିତ ଦାସ ସୂଚନା ଦେଇଛନ୍ତି। ତା’ ଛଡ଼ା ଖୁବ୍ଶୀଘ୍ର ଇଲେକ୍ଟ୍ରୋନିକ୍ ଯାନ ଚାର୍ଜ କରିବା ପାଇଁ ୬ଟି ଚାର୍ଜିଂ ଷ୍ଟେସନ୍ ସ୍ଥାପନ ହେବାକୁ ଯାଉଥିବା ସେ ସୂଚନା ଦେଇଛନ୍ତି।