ଭୁବନେଶ୍ବର ରାମ ମନ୍ଦିର ପରିଚାଳନା ଦାୟିତ୍ବରେ ରହିବେ ନିର୍ବାହୀ ଅଧିକାରୀ

ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ

କଟକ : ଭୁବ‌େନଶ୍ବର ଶ୍ରୀରାମ ମନ୍ଦିର ପରିଚାଳନା ଦାୟିତ୍ବରେ ଦେବୋତ୍ତର କମିସନରଙ୍କ ଦ୍ବାରା ନିଯୁକ୍ତ ନିର୍ବାହୀ ଅଧିକାରୀ ରହିବେ। ହାଇକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନିର୍ବାହୀ ଅଧିକାରୀ ଏହି ଦାୟିତ୍ବ ନିର୍ବାହ କରିବେ ବୋଲି ଆଜି ଅନ୍ତରୀଣ ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ କୁମାରୀ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୧ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ଭୁବନେଶ୍ବରର ଶ୍ରୀରାମ ମନ୍ଦିରର ପରିଚାଳନା ଦାୟିତ୍ବ ମୂଳରୁ ଶ୍ରୀରାମ ମନ୍ଦିର ସେବା ସମିତି ହାତରେ ରହିଥିଲା। ସମିତି ମନ୍ଦିରର ପୂଜା, ନୀତିକାନ୍ତି ଓ ସଂପତ୍ତିର ପରିଚାଳନା କରୁଥିବା‌ ବେଳେ ପରବର୍ତ୍ତୀ ସମୟରେ ଦେବୋତ୍ତର କମିସନରଙ୍କ ନିକଟରେ ଏହି ମନ୍ଦିରକୁ ସର୍ବସାଧାରଣଙ୍କ ଠାକୁର ଭାବେ ଘୋଷଣା ପାଇଁ ଆବେଦନ କରାଯାଇଥିଲା। ଏହି ଆବେଦନ ବିଚାରାଧୀନ ଥିବା ବେଳେ ଗତ ବର୍ଷ ଅକ୍ଟୋବରରେ ଦୋବୋତ୍ତର କମିସନର ଶ୍ରୀରାମ ମନ୍ଦିର ପରିଚାଳନା ପାଇଁ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ଦେଇଥିଲେ। ନିର୍ବାହୀ ଅଧିକାରୀଙ୍କୁ ମନ୍ଦିର ପରିଚାଳନା ଦାୟିତ୍ବ ହସ୍ତାନ୍ତର ପାଇଁ ଦେବୋତ୍ତର କମିସନର ନିର୍ଦ୍ଦେଶ ଦେଇଥିଲେ। ଦେବୋତ୍ତର କମିସନରଙ୍କ ଏପରି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଶ୍ରୀରାମ ମନ୍ଦିର ସେବା ସମିତି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥି‌ଲା। ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି ଏହି ପ୍ରସଂଗରେ ସ୍ଥିତାବସ୍ଥା ଜାରି କରିଥିଲେ। ମାମଲାରେ ଅନ୍ୟ ପକ୍ଷମାନେ ଇଣ୍ଟରଭେନର ପିଟିସନ୍ ଦାଖଲ କରିଥିଲେ। ଏଥିସହିତ ପୂର୍ବରୁ ଜାରି କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶ ଉଠାଇବା ପାଇଁ ପିଟିସନ୍ ଦାଖଲ କରାଯାଇଥିଲା। ଆଜି ହାଇକୋର୍ଟରେ ମୂଳ ପିଟିସନ୍ ସହିତ ଅନ୍ତରୀଣ ଆବେଦନର ଶୁଣାଣି ହୋଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅମିତ ପ୍ରସାଦ ବୋଷ, ନିରଂଜନ ହୋତା ଓ ଇଣ୍ଟରଭେନରଙ୍କ ତରଫରୁ ଆଇନଜୀବୀ ସତ୍ୟନାରାୟଣ ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର