ଭୁବନେଶ୍ବର : ବିଏମ୍ସିର ବିନା ଅନୁମତିରେ ଜନ୍ମଦିନ ଉତ୍ସବ ପାଳନ କରିବା ମହଙ୍ଗା ପଡ଼ିଛି। ବିଏମ୍ସି ପକ୍ଷରୁ ଆୟୋଜକଙ୍କଠାରୁ ୫ହଜାର ଟଙ୍କା ଜରିମାନା ସହ ରାମମନ୍ଦିର ପରିସରରେ ଥିବା ମଣ୍ଡପକୁ ବିଏମ୍ସି ସିଲ୍ କରିଛି। ରାମମନ୍ଦିର ପରିସରରେ ଥିବା ଉତ୍ସବ ହଲ୍ରେ ଆଜି ଏକ ଜନ୍ମଦିନ ଉତ୍ସବ ପାଳନ ହେଉଥିଲା। ତେବେ ଏଥିପାଇଁ ବିଏମ୍ସିରୁ ଅନୁମତି ଅଣାଯାଇନଥିବା ନେଇ ବିଏମ୍ସି କର୍ତ୍ତୃପକ୍ଷଙ୍କୁ ଖବର ମିଳିଥିଲା। ଏହାପରେ ବିଏମ୍ସି ଦକ୍ଷିଣ-ପୂର୍ବ ଜୋନ୍ ଜୋନାଲ ଡେପୁଟି କମିସନର ଅଂଶୁମାନ ରଥଙ୍କ ନେତୃତ୍ବରେ ଫ୍ଲାଇଂ ସ୍କ୍ବାଡ୍ ମଣ୍ଡପରେ ଚଢ଼ଉ କରିଥିଲା। ଆୟୋଜକଙ୍କୁ ବିଏମ୍ସି ଅନୁମତିପତ୍ର ମାଗିଥିଲେ ହେଁ ସେ ଦେଖାଇ ପାରିନଥିଲେ। ଏହାପରେ ବିଏମ୍ସି ମଣ୍ଡପରୁ ସମସ୍ତ ଅତିଥିଙ୍କୁ ବାହାର କରିବା ସହ ଆୟୋଜକଙ୍କଠାରୁ ୫ହଜାର ଟଙ୍କା ଜରିମାନା ଆଦାୟ କରିଥିଲା। ଏହାସହ ରାମମନ୍ଦିର କର୍ତ୍ତୃପକ୍ଷ ବିନା ବିଏମ୍ସି ଅନୁମତିପତ୍ରରେ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଅନୁମତି ଦେଇଥିବାରୁ ବିଏମ୍ସି ମଣ୍ଡପକୁ ସିଲ୍ କରିଦେଇଥିଲା।
ଆଉ ଦୁଇ ସଂସ୍ଥା ବି ସିଲ୍
ଭୁବନେଶ୍ବର : କୋଭିଡ୍ ନିୟମାବଳି ଭାଙ୍ଗିବା ଏବଂ ବିନା ଅନୁମତିରେ ଭୋଜି ଆୟୋଜନ କରିବାକୁ ନେଇ ବିଏମ୍ସି ଦକ୍ଷିଣ ପଶ୍ଚିମ ଜୋନ୍ର ଆଜି ଦୁଇଟି ସଂସ୍ଥାକୁ ସିଲ୍ କରିଛି। ଦୁଇଟି ଯାକ ସଂସ୍ଥାକୁ ବିଏମ୍ସି ୪୮ଘଣ୍ଟା ପାଇଁ ବନ୍ଦ କରିଛି। ତେବେ ଆଜି ଦିନରେ ପଳାସପଲ୍ଲୀସ୍ଥିତ ଅକ୍ସଫୋର୍ଡ ଟ୍ୟୁଟୋରିଆଲ୍ରେ ବହୁ ସଂଖ୍ୟାରେ ପିଲାମାନେ ସାର୍ଟିଫିକେଟ୍ ନେବା ପାଇଁ ଏକତ୍ରିତ ହୋଇଥିଲେ। ବିଏମ୍ସି ଚେକିଂ ବେଳେ ଏଭଳି ଅଭାବନୀୟ ସ୍ଥିତି ଦେଖିବା ପରେ ଏହି ଘରୋଇ ଟ୍ୟୁଟୋରିଆଲ୍କୁ ସିଲ୍ କରିଥିଲା। ସେହିଭଳି ସନ୍ଧ୍ୟାରେ ନୂଆପଲ୍ଲୀ ନିକଟସ୍ଥ ହୋଟେଲ୍ ପ୍ରେସିଡେନ୍ସିର କନଭେନ୍ସନ୍ ହଲ୍କୁ ଜୋନାଲ୍ ଡେପୁଟି କମିସନର୍ ରବିନାରାୟଣ ଜେଠୀ ସିଲ୍ କରିଛନ୍ତି। ହୋଟେଲ୍ ପକ୍ଷରୁ ଭୋଜି ଆୟୋଜନ ହେବାକୁ ନେଇ କୌଣସି ଅନୁମତି ନିଆଯାଇନଥିବା ବେଳେ ମାତ୍ରାଧିକ ଲୋକ ଏକାଠି ହୋଇଥିଲେ। କାହାରି ମୁହଁରେ ମାସ୍କ୍ ନଥିଲା ଓ ସମସ୍ତେ ସାମାଜିକ ଦୂରତା ଭଙ୍ଗ କରିଥିଲେ। ଯେଉଁଥିପାଇଁ ଏହି ହଲ୍କୁ ସିଲ୍ କରାଯାଇଥିଲା।