ରାମମନ୍ଦିର ଛକ ପାର୍କିଂରେ ଜୁଲୁମ୍‌

ଛୋଟ ଟଙ୍କିକିଆ କଏନ୍‌ ଅଚଳ, ଠିକା ଦେଇ ଅଚିନ୍ତା ବିଏମ୍‌ସି

ଭୁବନେଶ୍ବର : ରାମମନ୍ଦିର ଛକରେ ଥିବା ବିଏମ୍‌ସି ପାର୍କିଂରେ ଜୁଲୁମ୍‌ ଚାଲିଛି। ଠିକା ନେଇଥିବା ରାଜେଶ ଦାସଙ୍କ କର୍ମଚାରୀ ଗାଡ଼ି ମାଲିକଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ଠିକାଦାରଙ୍କ ନାମରେ ଏଭଳି ଅଭିଯୋଗ ପୂର୍ବରୁ ଥିଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଆଜି କିନ୍ତୁ ସୀମା ଲଂଘିଛି। ଛୋଟ ଛୋଟ ଟଙ୍କିକିଆ କଏନ୍‌କୁ ଠିକାଦାର ଅଚଳ କରି ଦେଇଛନ୍ତି। ପାର୍କିଂ ଫି ବାବଦକୁ ଯଦି କେହି ଏହି ଟଙ୍କିକିଆ ଦେଉଛି ତେବେ ଠିକାଦାର ନେଉନାହାନ୍ତି। ବରଂ ପାଲଟା ଦୁର୍ବ୍ୟବହାର କରୁଛନ୍ତି। ଆଜି ଜଣେ ପାର୍କିଂ ଫି ବାବଦକୁ ଏହି ଟଙ୍କିକିଆ କଏନ୍‌ ଦେବାରୁ ଠିକାଦାରଙ୍କ ଏଜେଣ୍ଟ ଗାଡ଼ିମାଲିକଙ୍କୁ ଦୁର୍ବ୍ୟବହାର କରିଛି। ଦୀର୍ଘ ସମୟ ଧରି ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ଶେଷରେ ଏଜେଣ୍ଟଙ୍କ ଚାପ ଓ ଦୁର୍ବ୍ୟବହାରରେ ଅତିଷ୍ଠ ହୋଇ ଗାଡ଼ି ମାଲିକ କଏନ୍‌ଗୁଡ଼ିକୁ ଫେରାଇ ଆଣି ନୋଟ୍‌ ଦେବାକୁ ବାଧ୍ୟ ହୋଇଛନ୍ତି। ଏ ନେଇ ସେ ବିଏମ୍‌ସିକୁ ଟ୍ବିଟ୍‌ ଜରିଆରେ ଅଭିଯୋଗ କରିଛନ୍ତି। ହେଲେ ବିଏମ୍‌ସି ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ବରଂ ଠିକାଦାରଙ୍କୁ ମୌନ ସମ୍ମତି ଜଣାଇଛି। ଗାଡ଼ିମାଲିକ ଏକ ଭିଡିଓ ଅପ୍‌ଲୋଡ୍‌ କରି ବିଏମ୍‌ସିକୁ ଦୁର୍ବ୍ୟବହାରର ପ୍ରମାଣ ଦେଇଥିଲେ ମଧ୍ୟ ବିଏମ୍‌ସିର ନିରବତା କେବଳ ସମ୍ପୃକ୍ତ ଗାଡ଼ିମାଲିକଙ୍କୁ ନୁହେଁ, ବରଂ ଅନେକଙ୍କୁ ବ୍ୟଥିତ କରିଛି।

ଦେବଦତ୍ତଙ୍କ ଅଭିଯୋଗ ମୁତାବକ, ଆଜି ସେ ମାର୍କେଟ ଯାଇଥିବା ବେଳେ ରାମମନ୍ଦିର ସମ୍ମୁଖରେ ଗାଡ଼ି ରଖିଥିଲେ। ଗାଡ଼ି ଆଣିବା ବେଳେ ସେଠା‌ରେ ଥିବା ଠିକାଦାରଙ୍କ ଏଜେଣ୍ଟ ତାଙ୍କୁ ପାର୍କିଂ ଫି’ ମାଗିଥିଲେ। ଫି’ ବାବଦକୁ ସେ ଛୋଟ ଛୋଟ ଟଙ୍କିକିଆ କଏନ୍‌ ଦେଇଥିଲେ। ହେଲେ ସମ୍ପୃକ୍ତ ଏଜେଣ୍ଟ ତାହାକୁ ନେଇନଥିଲେ। ଛୋଟ ଟଙ୍କିକିଆ ଚଳୁନି, ଏହାକୁ ନେବାକୁ ଆମକୁ ମନା କରାଯାଇଛି ବୋଲି ଯୁକ୍ତି କରିଥିଲେ। ଏଜେଣ୍ଟଙ୍କା ନା ପଚାରିବାରୁ ସେ କହିଥିଲେ, ୫ ଟଙ୍କା ଦେଇ ପାରୁନ, ମୋ ନାଁ ଜାଣିଲେ କଣ କରିବ? ଏଭଳି ଅନେକ ଅବାନ୍ତର ଯୁକ୍ତି କରିବା ସହ କଏନ୍‌କୁ ବଦଳାଇବାକୁ ବାଧ୍ୟ କରିଥିଲେ। ନିକଟ ଅତୀତରେ ଏଭଳି ଟଙ୍କିକିଆ ଚଳୁନଥିବା ନେଇ ଅନେକ ଛୋଟ ଛୋଟ ବ୍ୟବସାୟୀ ଅଭିଯୋଗ କରିବା ପରେ ବିଭିନ୍ନ ମହଲରେ ତତ୍ପରତା ପ୍ରକାଶ ପାଇଥିଲା। ବ୍ୟାଙ୍କ୍‌ ପକ୍ଷରୁ ବ୍ୟବସାୟୀ ଓ ଗ୍ରାହକଙ୍କୁ ସଚେତନ କରାଯାଇଥିଲା। ବ୍ୟାଙ୍କ୍‌ରେ ଏ ସବୁ ଜମା କରାଯାଇ ପାରିବ ବୋଲି କୁହାଯାଇଥିଲା। କିନ୍ତୁ ଅନେକ ବ୍ୟବସାୟୀ ଏହାକୁ ମାନୁ ନାହାନ୍ତି। ଏପଟେ ପାର୍କିଂ ସ୍ଥଳରେ ଠିକାଦାର ଜୁଲୁମ୍‌ କରୁଛନ୍ତି। ବିଏମ୍‌ସିର ଜଣେ ଅଧିକାରୀ ଟଙ୍କିକିଆ ଅଚଳ ବୋଲି ଆମେ କହିନାହିୁଁ ବୋଲି କହିଛନ୍ତି। କିନ୍ତୁ ଏଭଳି ଜୁଲୁମ୍‌ କଲେ ବା ଦୁର୍ବ୍ୟବହାର କଲେ କ’ଣ କାର୍ଯ୍ୟାନୁଷ୍ଠାନ ହେବ ସେ ନେଇ ନିରବ ରହିଛନ୍ତି।

ସମ୍ବନ୍ଧିତ ଖବର