ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସ୍‌ ଭାଗ୍ୟ ଚିଠି ଓ କମିଟିରେ ଅଟକିଛି

କର୍ତୃପକ୍ଷ ଓ ଉଚ୍ଚଶିକ୍ଷା ବିଭାଗ ମଧ୍ୟରେ ତା‌ଳମେଳ ରହୁନି! ଆଜି ଉଦ୍‌ଘାଟିତ ହେବ ପ୍ରଶାସନିକ କୋଠା, ନିମନ୍ତ୍ରଣପତ୍ରରେ ବିଧାୟକଙ୍କ ନାଁ ନାହିଁ

ଭୁବ‌ନେଶ୍ବର : ଚିଠି ନେଣଦେଣ ଚାଲିଛି। କମିଟି ପରେ କମିଟି ଗଠନ ହେଉଛି। ତଥାପି ଫିଟିପାରୁନି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଭାଗ୍ୟ। ରମା‌ଦେବୀ ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟ ୨୦୧୫ରେ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇବା ଦିନଠାରୁ ଦ୍ବିତୀୟ କ୍ୟାମ୍ପସ ଖୋଜା ଚାଲିଛି ଯେ ଏପର୍ଯ୍ୟନ୍ତ ସରୁଛି। କେବେ ସରିବ ସେ ନେଇ କାହା ପାଖରେ ଉତ୍ତର ନାହିଁ। ବିଶ୍ବବିଦ୍ୟାଳୟ କର୍ତୃପକ୍ଷ କିଛି କହିପାରୁ ନ ଥିବା ବେଳେ ଉଚ୍ଚଶିକ୍ଷା ବିଭାଗ ଏକ ପ୍ରକାର ନିରବ। କେବଳ ଯାହା ମଝିରେ ମଝିରେ ଉଚ୍ଚଶିକ୍ଷା ବିଭାଗର ଅଧିକାରୀମାନେ ଚିଠି ଲେଖି ବିଶ୍ବବିଦ୍ୟାଳୟ ଭିତ୍ତିଭୂମି ତଥ୍ୟ ମାଗୁଛନ୍ତି। ହେଲେ ଦ୍ବିତୀୟ କ୍ୟାମ୍ପସ୍‌ କଥା କେହି ବି ଚିନ୍ତା କରୁ ନାହାନ୍ତି। ଫଳ ସ୍ବରୂପ ରାଜ୍ୟର ଏହି ପ୍ରଥମ ତଥା ଏକମାତ୍ର ମହିଳା ବିଶ୍ବବିଦ୍ୟାଳୟ ଏବେ ବି ସମସ୍ୟା ଘେରରେ ଘାଣ୍ଟି ହେଉଛି।

ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବା ପରେ ଦୁଇ ଜଣ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ୩ରୁ ଅଧିକ ସଚିବ ବିଭାଗ ଦାୟିତ୍ବରେ ରହିଲେଣି। ଏକାଧିକ କୁଳସଚିବ ବି ଦାୟିତ୍ବ ନିର୍ବାହ କରି ସାରିଲେଣି। ତେବେ କୁଳପତି ପ୍ରଫେସର ପଦ୍ମଜା ମିଶ୍ର ୪ ବର୍ଷ ମଧ୍ୟରେ ପ୍ରଥମେ ବିଶ୍ବବିଦ୍ୟାଳୟର ଓଏସ୍‌ଡି ଓ ପରେ ସ୍ଥାୟୀ କୁଳପତି କାର୍ଯ୍ୟଭାର ନେଲେ। ଅବଶ୍ୟ ଆଉ ୮ ମାସ ପରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ। ଏହି ସମୟ ମଧ୍ୟରେ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ଚିହ୍ନଟ ହୋଇପାରୁଛି କି ନାହିଁ, ତାହା ଦେଖିବାକୁ ବାକି ରହିଛି।

ଅନ୍ୟପକ୍ଷରେ ବର୍ତମାନର ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଦାୟିତ୍ବ ଗ୍ରହଣ କରିବା ପରେ ୮ ମାସ ମଧ୍ୟରେ ବିଶ୍ବବିଦ୍ୟାଳୟର ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେଇ ସାରିଲେଣି। ତେବେ ଦ୍ବିତୀୟ କ୍ୟାମ୍ପସ ଉପରେ ସେତେଟା ଗୁରୁତ୍ବ ଦେଉ ନାହାନ୍ତି। ଗୋଟିଏ ପଟେ ମନ୍ତ୍ରୀ ଶ୍ରୀ ସ‌ାହୁ ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରତି ଅହେତୁକ ଅନୁକମ୍ପା ଦେଖାଉଥିବା ବେଳେ ଅନ୍ୟପଟେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟକୁ କାହିଁକି ଅଣଦେଖା କରାଯାଉଛି ତାହାକୁ ନେଇ କ୍ୟାମ୍ପସରେ ଜୋରଦାର ଚର୍ଚ୍ଚା ହେଉଛି।

ଆଶ୍ଚର୍ଯ୍ୟର ବିଷୟ ହେଉଛି, ଭୁବନେଶ୍ବର ସହର ଓ ଉପକଣ୍ଠରେ ଶତାଧିକ ଏକର ସରକାରୀ ଜମି ଜବରଦଖଲରେ ରହିଛି। ରାଜ୍ୟ ସରକାର ଘରୋଇ ଶିକ୍ଷାନୁଷ୍ଠାନକୁ ହାତ ଖୋଲି ମାଗଣାରେ ଜମି ଯୋଗାଇ ଦେଉଛନ୍ତି। ହେ‌ଲେ ନାରୀ ଶିକ୍ଷାକୁ ପ୍ରାଥମିକତା ଦେଉଥିବା ଏହି ସରକାର ପ୍ରଥମ ମହିଳା ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ଲାଗି ଜମି ଯୋଗାଇ ନ ପାରିବା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଜମି ଚୟନ ଲାଗି ଚାପ ପକାଉ ନାହାନ୍ତି ନା ରାଜ୍ୟ ସରକାର ଦେବାକୁ ଚାହୁଁନାହାନ୍ତି। ଏହାକୁ ନେଇ ଏବେ ସନ୍ଦେହ‌ ସୃଷ୍ଟି ହେଲାଣି। ଏଭଳି ସ୍ଥିତିରେ ଦୀର୍ଘ ବର୍ଷ ପରେ ପ୍ରଶାସନିକ କୋଠାର ଭାଗ୍ୟ ଖୋଲିବାକୁ ଯାଉଛି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ ମଙ୍ଗଳବାର ଏହାକୁ ଉଦ୍‌ଘାଟନ କରିବେ।

ନିମନ୍ତ୍ରଣପତ୍ରରେ ବିଧାୟକଙ୍କ ନାଁ ନାହିଁ
ମଙ୍ଗଳବାର ୫ମ ପ୍ରତିଷ୍ଠା ଦିବସ ପାଳନ ଉତ୍ସବରେ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଲାଲ୍‌ ମୁଖ୍ୟଅତିଥି, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେବେ। ଏନେଇ ଗତ ସପ୍ତାହରେ ଏକ ନିମନ୍ତ୍ରଣପତ୍ର ଛପାଯାଇଥିଲା। ତେବେ ଏଥିରେ ସ୍ଥାନୀୟ ତଥା ମଧ୍ୟ ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନାମ ନ ଥିଲା। ତାଙ୍କୁ ଅତିଥି ଭାବେ ଡକାଯାଇ ନ ଥିବା ଜଣାପଡ଼ିବା ପରେ ‌ଗୋଟିଏ ଗୋଷ୍ଠୀର ଛାତ୍ରୀ ବିଧାୟକଙ୍କୁ କାହିଁକି ଡକାଯାଇ ନାହିଁ ବୋଲି ପ୍ରଶ୍ନ ଉଠାଇଥିଲେ। କିନ୍ତୁ କର୍ତୃପକ୍ଷ ଆଜି ଅପରାହ୍ନରେ ଗଣମାଧ୍ୟମକୁ ପଠାଇଥିବା ଅନ୍ୟ ଏକ ନିମନ୍ତ୍ରଣପତ୍ରରେ ବିଧାୟକ ଶ୍ରୀ ଜେନାଙ୍କ ନାଁ ରହିଥିବା ଦେଖିବାକୁ ମିଳିଛି। ତେବେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନିମନ୍ତ୍ରଣ କରାଯାଇନଥିବାରୁ କ୍ୟାମ୍ପସରେ ଆଉ ଗୋଟିଏ ଗୋଷ୍ଠୀର ଛାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର