ଭୁବନେଶ୍ବର: ଗୁରୁ ଗୋପାଳ ପଣ୍ଡା ଏକାଡେମି ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ୩ ଦିନିଆ ଓଡ଼ିଶୀ ରାଗ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ସଂଗୀତ ଓ ନୃତ୍ୟ ସହ ପୂଜ୍ୟପୂଜାର ଅନୁଭବ ନେଇଥିଲେ ଦର୍ଶକ। ଏହି ଅବସରରେ ଗୁରୁ ରାମହରି ଦାସଙ୍କ ଗୁରୁ ସିଂହାରୀ ସମ୍ମାନ, ବୀଣାପାଣି ନାୟକଙ୍କୁ ଭଗବତୀ ସ୍ମୃତି ସମ୍ମାନ ଏବଂ ରୂପକ କୁମାର ପରିଡ଼ାଙ୍କୁ ଗୁରୁ ଗୋପାଳ ପଣ୍ଡା ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା। ସମ୍ମାନ ସ୍ବରୂପ ସମସ୍ତ ପ୍ରତିଭାଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ସହ ମାନପତ୍ର, ଉପଢୌକନ ଓ ଫଳକ ପ୍ରଦାନ କରାଯାଇଥିଲା। ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଶିଷ୍ଟ ଔପନ୍ୟାସିକ ଶାନ୍ତନୁ ଆଚାର୍ଯ୍ୟ, ବରିଷ୍ଠ ସାମ୍ବାଦିକ କିଶୋର ଦ୍ବିବେଦୀ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିବା ବେଳେ ଗୁରୁ ଗୋପାଳ ପଣ୍ଡା ଉପସ୍ଥିତ ଥିଲେ।
ମୁମ୍ବାଇର ଶିଳ୍ପୀ ସଙ୍ଗୀତା ଚମୁହା ରାଗ ଭୀମପଲାସୀରେ ହିନ୍ଦୁସ୍ତାନୀ ସଂଗୀତ ପରିବେଷଣ କରିଥିଲେ। ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ବିଶ୍ବରଞ୍ଜନ ଓ ସୁମନ୍ତ। ପରେ କର୍ଣ୍ଣାଟକୀ ସଂଗୀତ ପରିବେଷଣ କରିଥିଲେ ଏୗଶ୍ବର୍ଯ୍ୟା ବିଦ୍ୟା। ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ଏସ୍.ସାଇରାମ ଓ ଚାରୁଲତା। ପରେ ସଂଗୀତା ପଣ୍ଡା ଓଡ଼ିଶୀ ସଙ୍ଗୀତ ପରିବେଷଣ କରିଥିଲେ। ଶେଷରେ ଓଡ଼ିଶୀ ଶିଳ୍ପୀ ଗୁରୁ ନିରଞ୍ଜନ ରାଉତ ଓ ସାଥୀ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।