ଆଶଙ୍କାରେ ରାମକୃଷ୍ଣ କୁଷ୍ଠ କଲୋନି ବାସିନ୍ଦା, କେବେ ମିଳିବ ସ୍ଥାୟୀ ପଟ୍ଟା ?

୧୨୪ ପରିବାର ପାଇଁ ନାହାନ୍ତି ଜଣେ ବି ଡ୍ରେସର, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରୁ ବଞ୍ଚିତ

ଭୁବନେଶ୍ବର: ରାଜଧାନୀର ଛାତି ଉପରେ ଥିବା ୟୁନିଟ୍-୩ ରାମକୃଷ୍ଣ କୁଷ୍ଠ କଲୋନିର ୧୨୪ ପରିବାର ନିଜର ସ୍ଥାୟୀ ପଟ୍ଟା ନେଇ ଆଶା ଓ ଆଶଙ୍କାରେ ରହିଛନ୍ତି। ଅପରପକ୍ଷରେ କୁଷ୍ଠ ଆକ୍ରାନ୍ତ ଲୋକଙ୍କ ପାଇଁ କଲୋନିରେ ସରକାରଙ୍କ ପକ୍ଷରୁ କୌଣସି ଡ୍ରେସରଙ୍କୁ ନିଯୁକ୍ତ କରାଯାଇ ନାହିଁ। ଏପରିକି ସେମାନଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରୁ ମଧ୍ୟ ବଞ୍ଚିତ କରାଯାଇଥିବା କଲୋନିବାସୀ କହିଛନ୍ତି। ରାଜଧାନୀରେ ଥିବା ୫ଟି କୁଷ୍ଠ କଲୋନି ଭିତରେ ରହିଛି ରାମକୃଷ୍ଣ କଲୋନି। ସେଠାରେ ଏବେ ୧୨୪ ପରିବାର ରହୁଛନ୍ତି। କଲୋନିର ଅଧିକାଂଶ ଲୋକ ଭିକ୍ଷାବୃତ୍ତି କରି ପେଟ ପୋଷୁଛନ୍ତି। ଯେଉଁ କୁଷ୍ଠ ଆକ୍ରାନ୍ତମାନେ ବିକଳାଙ୍ଗ ହୋଇ ଯାଇଛନ୍ତି, ସେମାନଙ୍କ ପାଇଁ ଟ୍ରାଇସାଇକେଲର ଆବଶ୍ୟକତା ପଡ଼ୁଛି। ମାତ୍ର ସରକାରଙ୍କ ପକ୍ଷରୁ ଏହି ସାଇକେଲ ଯୋଗାଣ ହୋଇ ନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। କିଛି ବଦାନ୍ୟ ସଂଗଠନ ବିକଳାଙ୍ଗ ବ୍ୟକ୍ତିମାନଙ୍କ ପାଇଁ ଟ୍ରାଇ ସାଇକେଲର ବ୍ୟବସ୍ଥା କରିଥିବା ‌କଲୋନିବାସୀ କହିଛନ୍ତି। କଲୋନିରେ ଏବେ ୪୦/୫୦ଜଣ କୁଷ୍ଠରେ ଆକ୍ରାନ୍ତ ହୋଇ ବିକଳାଙ୍ଗ ହୋଇ ଘା’ ହୋଇଥିବା ବ୍ୟକ୍ତି ରହୁଛନ୍ତି। ଅଧିକାଂଶ ସମୟରେ ସେମାନଙ୍କ ଡ୍ରେସିଂ କରିବାର ଆବଶ୍ୟକତା ପଡ଼ୁଛି। ଏଭଳି ପରିସ୍ଥିତିରେ ନିକଟସ୍ଥ କୌଣସି ଡାକ୍ତରଖାନା କିମ୍ବା ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ‌କାହାରିକୁ ନିଯୁକ୍ତ କରାଯାଇ ନାହିଁ। ଯାହାଫଳରେ ୟୁନିଟ୍‌-୩ରୁ କୁଷ୍ଠରୋଗୀମାନଙ୍କୁ ଡୁମଡୁମାସ୍ଥିତ ଗାନ୍ଧୀଜୀ ଶାନ୍ତି ନିକେତନ ଘରୋଇ ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପଡ଼ୁଛି। ଯଦିଓ କଲୋନିରେ ଜଣେ ସ୍ବେଚ୍ଛାସେବୀ ଡ୍ରେସର ଅଛନ୍ତି ମାତ୍ର ସେ ନିଜ କାମରେ ବାହାରକୁ ପଳାଇବା ପରେ ଡ୍ରେସିଂ କରିବା ସମ୍ଭବ ହେଉନାହିଁ।

ସେହିପରି କଲୋନିର କୌଣସି ପରିବାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ନ ଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଯୋଜନା ଆରମ୍ଭ କରାଯିବା ସମୟରେ କଲୋନିରେ ରହୁଥିବା ପରିବାର ଲୋକଙ୍କ ସମସ୍ତ ତଥ୍ୟ ନିଆ ଯାଇଥିଲା। ତେବେ କାର୍ଡ ବଣ୍ଟନ ସମୟରେ ଏଥିରେ ପ୍ରବଳ ତ୍ରୁଟି ଦେଖିବାକୁ ମିଳିଥିଲା। ଏହି କାରଣରୁ କାର୍ଡଗୁଡ଼ିକୁ ଫେରାଇ ନିଆ ଯାଇଥିବା କହିଛନ୍ତି କଲୋନିର ସଂପାଦକ ଟିକି ରାଉତ। ସରକାରଙ୍କ ପକ୍ଷରୁ ଆଉଥରେ ଏହି କାର୍ଡ ବଣ୍ଟନ ହୋଇ ନ ଥିବା ସେ କହିଛନ୍ତି। ତାଙ୍କ କହିବା କଥା, ରାଜ୍ୟ ସରକାରଙ୍କ ନିକଟରେ ଦୀର୍ଘଦିନ ହେବ କଲୋନିବାସିନ୍ଦା ସେମାନଙ୍କୁ ସ୍ଥାୟୀ ଘର ଓ ପଟ୍ଟା ପ୍ରଦାନ କରିବା ପାଇଁ ଦାବି କରି ଆସୁଛନ୍ତି। ମାତ୍ର ସରକାରଙ୍କ ପକ୍ଷରୁ ଏ ନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ। କୁଷ୍ଠ ଲୋକମାନେ ଏହି କଲୋନିରେ ଦୀର୍ଘବର୍ଷ ଧରି ରହି ଆସୁଥିଲେ ହେଁ, ଆଜି ପର୍ଯ୍ୟନ୍ତ ସ୍ଥାୟୀ ବାସିନ୍ଦା ହୋଇପାରି ନାହାନ୍ତି। ପୂର୍ବରୁ ଥରେ ରେଳବାଇ ପକ୍ଷରୁ ସଂପ୍ରସାରଣ କରାଯିବା ସମୟରେ କଲୋନିକୁ ଭାଙ୍ଗି ଦିଆଯାଇଥିଲା। ଫଳରେ ଲୋକମାନେ ଏହାର ପାଖକୁ ଉଠି ଆସିଥିଲେ। ସେବେଠାରୁ ଲୋକଙ୍କ ମନରେ କଲୋନି ଭାଙ୍ଗିଯିବାର ଭୟ ରହିଛି। ସରକାର ଅନ୍ୟ ବସ୍ତିକୁ ଥଇଥାନ କରିବାକୁ ଯୋଜନା କରୁଥିବା ବେଳେ କୁଷ୍ଠ କଲୋନି ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଶ୍ରୀ ରାଉତ କହିଛନ୍ତି। ରାଜଧାନୀର ୫ କୁଷ୍ଠର କଲୋନିର ସାଧାରଣ ସଂପାଦକ ପ୍ରଭାକର ସାହୁଙ୍କ କହିବା ମୁତାବକ, ସ୍ଥାୟୀ କରିବା ପାଇଁ ଆକ୍ରାନ୍ତମାନେ ଦାବି କରି ଆସୁଛନ୍ତି। ଯଦି ଏହି ସ୍ଥାନରେ ଥଇଥାନ ନେଇ କୌଣସି ସମସ୍ୟା ରହିଛି ତେବେ ରାଜଧାନୀର କୌଣସି ସ୍ଥାନରେ କଲୋନିବାସୀଙ୍କୁ ଥଇଥାନ କରାଯାଉ। କଲୋନିର ଅନେକ ଶିକ୍ଷିତ ଯୁବକ ରହିଥିଲେ ହେଁ ପରିବାରର ପିତାମାତାଙ୍କ ସ୍ଥାୟୀ ପଟ୍ଟା ନ ଥିବାରୁ ପିଲାମାନଙ୍କୁ ଆବାସିକ କିମ୍ବା ଜାତିଗତ ପ୍ରମାଣପତ୍ର ମିଳିପାରୁ ନାହିଁ। କୁଷ୍ଠ ଆକ୍ରାନ୍ତ ବ୍ୟକ୍ତିମାନଙ୍କୁ ଭିକ୍ଷାବୃତ୍ତିରୁ ଦୂରେଇ ରଖିବା ପାଇଁ ସରକାର ଯୋଜନା କରୁଛନ୍ତି, ଏଭଳି ପରିସ୍ଥିତିରେ ଆନ୍ଧ୍ର, ବିହାର ସରକାର କୁଷ୍ଠ ଆକ୍ରାନ୍ତଙ୍କ ପାଇଁ ଯେଉଁଭଳି ପେନସନ୍ ପ୍ରଦାନ କରିବାର ବ୍ୟବସ୍ଥା କରନ୍ତୁ ବୋଲି ଶ୍ରୀ ସାହୁ ଦାବି କରିଛନ୍ତି। ରାଜ୍ୟ କୁଷ୍ଠ ଅଧିକାରୀ ଡା.ଶକ୍ତିପ୍ରସାଦ ପାଢ଼ୀ କହିଛନ୍ତି, କୁଷ୍ଠ କଲୋନିଗୁଡ଼ିକରେ ଡ୍ରେସର ସୁବିଧା ପାଇଁ ନିକଟରେ ସରକାରଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ୨୦ଜଣ ବ୍ୟକ୍ତିଙ୍କୁ ନେଇ ଡ୍ରେସିଂ ତାଲିମ୍ ଦିଆଯାଇଛି। ଏଥିରେ ରାଜଧାନୀର ୨ଜଣ ବ୍ୟକ୍ତି ରହିଛନ୍ତି। ସେମାନଙ୍କୁ ତୁରନ୍ତ କାମ ଆରମ୍ଭ କରିବାକୁ କୁହାଯାଇଛି। ରାମକୃଷ୍ଣ କଲୋନି ବାସିନ୍ଦା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ସେମାନଙ୍କ କାଗଜପତ୍ର ଦେଇ କାର୍ଡ କରିବା ପାଇଁ ଆଗେଇ ଆସିବା ଦରକାର। ପୂର୍ବରୁ ସେମାନଙ୍କୁ ବିଏସ୍‌କେୱାଇ କାର୍ଡରେ ତ୍ରୁଟି ଥିବା ଦର୍ଶାଇ ଫେରାଇ ନିଆଯିବା ସଂପର୍କରେ କୌଣସି ଖବର ନାହିଁ। ହିନ୍ଦ କୁଷ୍ଠ ନିବାରଣ ସଂଘ ରାଜ୍ୟରେ ଯେତେସବୁ କଲୋନି ରହିଛି ତାହାର ଦେଖାଶୁଣା କରୁଛି। ତେଣୁ ଏ ସଂପର୍କରେ ସଂଘ ଅଧିକ ସୂଚନା ଦେଇପାରିବ ବୋଲି ଡା. ପାଢ଼ୀ କହିଛନ୍ତି।

ସମ୍ବନ୍ଧିତ ଖବର