ଭୁବନେଶ୍ୱର: ମାତ୍ର ୩୯ବର୍ଷ ବୟସେର ସ୍ବାମୀ ବିବେକାନନ୍ଦଙ୍କ ମୃତ୍ୟୁ ହୋଇଥିଲା। ସ୍ବଳ୍ପ ସମୟର ଜୀବନ ଭିତରେ ସେ ନିଜର ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଥିଲେ। ତାଙ୍କ ଆଦର୍ଶ ଚିରକାଳ ପାଇଁ ସମାଜରେ ଉଜ୍ଜୀବିତ ରହିବ। ଛାତ୍ରଛାତ୍ରୀ ଓ ଯୁବପିଢ଼ି ଏଥିରେ ଅନୁପ୍ରାଣିତ ହେବା ଆବଶ୍ୟକ। ରାମକୃଷ୍ଣ ମିସନ୍ ପକ୍ଷରୁ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଆୟୋଜିତ ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମରେ ଅତିଥିମାନେ ଏପରି ମତପ୍ରକାଶ କରିଛନ୍ତି। ମିସନ୍ ପରିସରରେ ଥିବା ବିବେକାନନ୍ଦ ହଲ୍ରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇ କହିଥିଲେ, ଛାତ୍ରଛାତ୍ରୀମାନେ ବିବେକାନନ୍ଦଙ୍କ ଆଦର୍ଶକୁ ଭଲ ଭାବେ ଜାଣି ତାହାକୁ ନିଜ ଜୀବନରେ ଲଗାଇବା ଉଚିତ। ବିବେକାନନ୍ଦଙ୍କ ଆଦର୍ଶରେ ଗଠିତ ରାମକୃଷ୍ଣ ମିସନ୍ ସମାଜର ଆଲୋକବର୍ତ୍ତିକା ହେଉ। ମିସନର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ୨୫ଲକ୍ଷ ଟଙ୍କା ମଞ୍ଜୁର କରିଥିବା ନେଇ ସେ ସୂଚନା ଦେଇଥିଲେ। ଶ୍ରୀ ପଣ୍ଡା ନିଜେ ଏହି ମିସନର ଛାତ୍ର ହୋଇଥିବାରୁ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ଯୋଗ ଦେଇ ‘ସମ୍ବାଦ’ ସମ୍ପାଦକ ତଥା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, ବିଶ୍ବ ଦରବାରରେ ସ୍ବାମୀ ବିବେକାନନ୍ଦ ନୂଆ ଭାରତ ପାଇଁ ସମ୍ମାନ ଆଣିଥିଲେ। ଚିକାଗୋ ସମ୍ମିଳନୀରେ ସେ ଯେଉଁ ବାର୍ତ୍ତା ଦେଇଥିଲେ, ତାହା ହିଁ ଭାରତକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା। ଆମେ ଉଚ୍ଚାରଣ ବା ଆଚରଣରେ ତାଙ୍କୁ ଅନୁସରଣ କଲେ ବା ତାଙ୍କ ବାର୍ତ୍ତା ପ୍ରତିଫଳିତ ହେଲେ, ତାହା ତାଙ୍କ ପାଇଁ ଶ୍ରେଷ୍ଠ ସମ୍ମାନ ହେବ। ସ୍ବଳ୍ପ ସମୟର ଜୀବନ ଭିତରେ ହିଁ ସେ ତାଙ୍କ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଥିଲେ। ଲମ୍ବା ଜୀବନ ଜିଇଁବାରେ କୌଣସି ମୂଲ୍ୟ ନଥାଏ। ବୟସର ମାପକାଠିରେ ଯୌବନକୁ ପରିଭାଷିତ କରିହେବ ନାହିଁ। ପ୍ରବଳ ଇଚ୍ଛାଶକ୍ତି ଯେଉଁମାନଙ୍କର ଅଛି, ସେମାନେ ହିଁ ଯୁବକ। ଏଭଳି ଜଣେ ଯୁବକ ଥିଲେ ସ୍ବାମୀ ବିବେକାନନନ୍ଦ। କେବଳ ସମାନତା ନୁହେଁ, ବିବେକାନନ୍ଦ ସମାଜରେ ସମନ୍ବୟ ଉପରେ ଗୁରୁତ୍ବାରୋପ କରିଥିଲେ। ପ୍ରକୃତିରେ କୌଣସି ଜିନିଷ ସମାନ ନୁହେଁ। ପାଞ୍ଚ ଆଙ୍ଗୁଠି ସମାନ ନାହିଁ। ସାନ ବଡ଼ ଅଛି ବୋଲି ବିଭିନ୍ନ କାର୍ଯ୍ୟ କରି ହେଉଛି। ଈଶ୍ବର ପ୍ରକୃତିକୁ ଏଭଳି ତିଆରି କରିଛନ୍ତି, ସମାନତାକୁ ପ୍ରାଧାନ୍ୟ ଦେଇନାହାନ୍ତି। ପ୍ରାଧାନ୍ୟ ଦେଇଛନ୍ତି ସମନ୍ବୟକୁ। ସାନ-ବଡ଼, ଦୁର୍ବଳ-ସବଳ, ଉଚ୍ଚ-ନୀଚ ଏ ସବୁକୁ ମିଶାଇ ଯେଉଁ ପ୍ରକୃତିକୁ କଳ୍ପନା କରାଯାଇଛି, ତାହାର ମୂଳମନ୍ତ୍ର ହେଉଛି ସମନ୍ବୟ। ଏଣୁ ଏହି ସମନ୍ବୟ ପ୍ରତିଷ୍ଠା ଉପରେ ସମସ୍ତଙ୍କର ଉଦ୍ୟମ ଜରୁରୀ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ରାମକୃଷ୍ଣ ମିସନ ଅଧ୍ୟକ୍ଷ ସ୍ବାମୀ ଆତ୍ମପ୍ରଭାନନ୍ଦଜୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ତ୍ରିପୁରାସ୍ଥିତ ରାମକୃଷ୍ଣ ମଠର ସନ୍ନ୍ୟାସୀ ସ୍ବାମୀ ଶିବଜ୍ଞାନାନନ୍ଦଜୀ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ସକାଳେ ଏକ ଶୋଭାଯାତ୍ରା ମିସନ ପରିସରରୁ ବାହାରି ସହର ପରିକ୍ରମା କରିଥିଲା। ଦ୍ବିତୀୟ ଅଧିବେଶନରେ ସ୍ବାମୀ ଆର୍ଯ୍ୟାନନ୍ଦ, ସ୍ବାମୀ ଅଭୟାନନ୍ଦ, ସ୍ବାମୀ ଶିବଜ୍ଞାନାନନ୍ଦ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।