ଦେବୋତ୍ତର ବିଭାଗ ହାତରେ ରାମମନ୍ଦିର ପରିଚାଳନା, ୪୦ ବର୍ଷରେ କାରବାର ୪୦ କୋଟି

ଭୁବ‌ନେଶ୍ୱର: ଶେଷରେ ଦେବୋତ୍ତର ବିଭାଗର ବିଜୟ ହୋଇଛି। ଭୁବନେଶ୍ବର ଖାରବେଳ ନଗରରେ ଥିବା ରାମମନ୍ଦିର ପରିଚାଳନା ଦାୟିତ୍ବ ଦେବୋତ୍ତର ବିଭାଗ ହାତକୁ ଆସିଛି। ମନ୍ଦିରକୁ ପରିଚାଳନା କରୁଥିବା ଶ୍ରୀରାମ ମନ୍ଦିର ସେବା ସମିତିକୁ ଅବୈଧ ଘୋଷଣା ହାଇକୋର୍ଟରେ କାଏମ୍‌ ରହିବା ପରେ ଗତକାଲି ଅନ୍ତରୀଣ ଟ୍ରଷ୍ଟ ବୋର୍ଡ ଏହାର ପରିଚାଳନା ଦାୟିତ୍ବ ନେଇଛି। ଅନ୍ତରୀଣ ଟ୍ରଷ୍ଟ ବୋର୍ଡର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିମଳ ପାତ୍ର ମନ୍ଦିର ପରିଚାଳନା ସମିତି ସମ୍ପାଦକ ନନ୍ଦକିଶୋର ଅଗ୍ରୱାଲାଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ବ୍ୟାଙ୍କ ପାସ୍‌ବୁକ୍‌ ସମେତ ସମସ୍ତ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଆନୁଷ୍ଠାନିକ ଭାବରେ ସେ ଗ୍ରହଣ କରିଛନ୍ତି। ଗତକାଲିଠାରୁ ନୂଆ ଅନ୍ତରୀଣ ଟ୍ରଷ୍ଟ ବୋର୍ଡ ବିଧିବଦ୍ଧ ଭାବରେ ମନ୍ଦିରର ପରିଚାଳନା ଆରମ୍ଭ କରିଛି। ଏହି ଅନ୍ତରୀଣ ବୋର୍ଡରେ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର ଅଧ୍ୟକ୍ଷଙ୍କ ସମେତ ଓଡ଼ିଶା ସ୍ଥାବର ସମ୍ପତ୍ତି ନିୟାମକ କର୍ତ୍ତୃପକ୍ଷ(ଓରେରା) ସଦସ୍ୟ ତଥା ପୂର୍ବତନ ଜିଲ୍ଲା ଜଜ୍‌ ନିରଞ୍ଜନ ସାହୁ, ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ, ଖାରବେଳ ନଗର ଜୋନ୍‌ ସହକାରୀ ପୁଲିସ କମିସନର ଓ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ରହିଛନ୍ତି। ନିର୍ବାହୀ ଅଧିକାରୀ ଭାବେ ଓଆରଏସ୍‌ ଅଫିସର ବିମଳ ପାତ୍ରଙ୍କୁ ଦାୟିତ୍ବ ଦିଆଯାଇଛି।

ଦେବୋତ୍ତର ବିଭାଗଠାରୁ ପ୍ରାପ୍ତ ସୂଚନା ମୁତାବକ, ପାଖାପାଖି ୪୦ ବର୍ଷ ତଳେ ସରକାରୀ ଜାଗାରେ ଏହି ମନ୍ଦିର ତିଆରି ହୋଇଥିଲା। ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଏଠାରେ ମନ୍ଦିର ନିର୍ମାଣ କରିବା ପାଇଁ ସରକାରଙ୍କଠାରୁ ବିଧିବଦ୍ଧ ଭାବରେ ଜମି ପାଇବା ସହ ସ୍ବୀକୃତିପ୍ରାପ୍ତ ହୋଇଥିଲା। ଜମି ନେବା ସମୟରେ ସରକାରଙ୍କ ସହ ଏକ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଥିଲା। ମନ୍ଦିର ନିର୍ମାଣ ହେବା ପରେ ଶ୍ରୀରାମ ମନ୍ଦିର ସେବା ସମିତି ଏହାକୁ ପରିଚାଳନା କରୁଥିଲା। ଘରୋଇ ମନ୍ଦିର ପାଇଁ ସରକାରଙ୍କଠାରୁ ଜମି ନେଇ ନିଜ ସମ୍ପ୍ରଦାୟର ମନ୍ଦିର ନିର୍ମାଣ କରିବା ପାଇଁ ଚୁକ୍ତି ଥିଲେ ମଧ୍ୟ ମନ୍ଦିର ନିର୍ମାଣ କରାଯିବା ପରେ ବିଭିନ୍ନ ସମୟରେ ସାଧାରଣ ଭକ୍ତଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଦାନ ସ୍ବରୂପ ଗ୍ରହଣ କରାଯାଇଥିଲା। ୪୦ ବର୍ଷରେ ୪୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା କାରବାର ହୋଇଥିବା ବେଳେ ଏହାର ହିସାବ ରଖା ଯାଇନଥିଲା। କେଉଁ ଉତ୍ସରୁ ଆସିଲା, କେଉଁ କ୍ଷେତ୍ରରେ ଖର୍ଚ ହେଲା, ତାହାର ହିସାବ ନଥିବା ଅଭିଯୋଗ ହେବା ପରେ ଗତ ବର୍ଷ ଏପ୍ରିଲରେ ଦେବୋତ୍ତର କମିସନର୍ ବିରଜା ପ୍ରସାଦ ଦତ୍ତ ମନ୍ଦିର ଉପରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ କୌଣସି କାଗଜପତ୍ର ତଥା ଲେଜର ପ୍ରଦର୍ଶନ କରାଯାଇ ପାରିନଥିଲା। ବ୍ୟକ୍ତିଗତ କିମ୍ବା କୌଣସି ସମ୍ପ୍ରଦାୟର ମନ୍ଦିର ହେଲେ ମଧ୍ୟ ସାଧାରଣ ଜନତାଙ୍କଠାରୁ ଦାନ ସଂଗ୍ରହ କରାଯାଉଥିବାରୁ ଓଡ଼ିଶା ହିନ୍ଦୁ ଧର୍ମ ଆଇନ ଦଫା ୧/୩(୧୨) ମୁତାବକ ସମିତି ଦୋଷୀ ହୋଇଥିଲା। ଏଣୁ ସମସ୍ତ ସଦସ୍ୟଙ୍କ ଉପରେ ଆଇନ ଅନୁଯାୟୀ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ, ସେନେଇ କାରଣ ଦର୍ଶାଇବାକୁ ସମିତିକୁ ନୋଟିସ୍‌ କରାଯାଇଥିଲା। ସମିତି ନୋଟିସ୍‌ର ସନ୍ତୋଷ ଜନକ ଉତ୍ତର ଦେଇନଥିଲା। ଏଣୁ କମିସନର ଏକ ଅନ୍ତରୀଣ ଟ୍ରଷ୍ଟ ବୋର୍ଡ ଗଠନ କରିବା ସହ କାର୍ଯ୍ୟଭାର ଗ୍ରହଣ କରିବା ପାଇଁ ଆଦେଶ ଦେଇଥିଲେ। ଏହି କାର୍ଯ୍ୟାନୁଷ୍ଠାନକୁ ଚାଲେଞ୍ଜ କରି ଶ୍ରୀରାମ ମନ୍ଦିର ସେବା ସମିତି ହାଇକୋର୍ଟ ଯାଇଥିଲା। ହାଇକାର୍ଟରେ ସମିତି ଆବେଦନ ନାକଚ ହୋଇଥିବା ବେଳେ ଦେବୋତ୍ତର ଆୟୁକ୍ତଙ୍କ ଆଦେଶ କାଏମ୍‌ ରହିଥିଲା।

ସମ୍ବନ୍ଧିତ ଖବର