ରାମମନ୍ଦିର ବିବାଦ: ନୂଆ ବୋର୍ଡକୁ ମିଳୁନି ଦାୟିତ୍ବ

ଭୁବନେଶ୍ବର: ରାମ ମନ୍ଦିରରେ ଆର୍ଥିକ କାରବାରର କାଗଜପତ୍ର ମନ୍ଦିର ଟ୍ରଷ୍ଟ ବୋର୍ଡ ଦାଖଲ ନ କରିବାରୁ ଟ୍ରଷ୍ଟ୍‌ ବୋର୍ଡକୁ ଅବୈଧ ଘୋଷଣା କରାଯାଇଛି। ଚଳିତ ମାସ ୧ ତାରିଖ ଦିନ ଏକ ଅନ୍ତରୀଣ ଟ୍ରଷ୍ଟ୍‌ ବୋର୍ଡ ଗଠନ କରାଯାଇଛି। ନୂଆ ଟ୍ରଷ୍ଟବୋର୍ଡକୁ ପୁରୁଣା ବୋର୍ଡ ତୁରନ୍ତ କାର୍ଯ୍ୟଭାର ହସ୍ତାନ୍ତର କରିବା ପାଇଁ ଦେ‌ବୋତ୍ତର କମିସନ ଆଦେଶ ଦେଇଥିଲେ ମଧ୍ୟ ପୁରୁଣା ବୋର୍ଡ କାର୍ଯ୍ୟଭାର ଦେଉ ନାହିଁ। ଏଣୁ ଆଜି ପୁଣି ଥରେ ଦେବୋତ୍ତର କମିସନ ତାଗିଦ କରିଛନ୍ତି। ସୋମବାର ସୁଦ୍ଧା ଦାୟିତ୍ବ ହସ୍ତାନ୍ତର କରା ନଗଲେ ଓଡ଼ିଶା ହିନ୍ଦୁ ଧର୍ମ ଆଇନ ଦଫା ୧୨ ବଳରେ ‌ଦାୟିତ୍ବ ହସ୍ତାନ୍ତର କରାଯିବ ବୋଲି ଦେବୋତ୍ତର କମିସନର ବିରଜା ପ୍ରସାଦ ଦତ୍ତ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ ଯେ, ରାମମନ୍ଦିରର ପୁରୁଣା ଟ୍ରଷ୍ଟ ବୋର୍ଡକୁ ୪୦ ବର୍ଷର ଆୟବ୍ୟୟ ହିସାବ ତଲବ କରାଯାଇଥିଲା। ହେଲେ ଏହି ବୋର୍ଡ ନିର୍ଦ୍ଧାରିତ ସମୟରେ ଦାଖଲ କରିପାରିଲା ନାହିଁ। ଏଣୁ ଏହି ବୋର୍ଡକୁ ଅବୈଧ ଘୋଷଣା କରିବା ସହ ଗତ ୧ ତାରିଖରେ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର ଅଧ୍ୟକ୍ଷଙ୍କ ସମେତ ଓଡ଼ିଶା ସ୍ଥାବର ସମ୍ପତ୍ତି ନିୟାମକ କର୍ତ୍ତୃପକ୍ଷ (ଓରେରା) ସଦସ୍ୟ ତଥା ପୂର୍ବତନ ଜିଲ୍ଲା ଜଜ୍‌ ନିରଞ୍ଜନ ସାହୁ, ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ, ଖାରବେଳ ନଗର ଜୋନ୍‌ ସହକାରୀ ପୁଲିସ କମିସନର ଓ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କୁ ନେଇ ଅନ୍ତରୀଣ ଟ୍ରଷ୍ଟି ଗଠନ କରାଯାଇଥିଲା। ଏଥି ସହ ନିର୍ବାହୀ ଅଧିକାରୀ ଭାବେ ଜଣେ ଓଆରଏସ୍‌ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଥିଲା। ଏହି ଟ୍ରଷ୍ଟି ସମସ୍ତ ଆୟବ୍ୟୟ ଓ ପରିଚାଳନାଗତ ନିଷ୍ପତ୍ତି ନେବା ସହ ସଦସ୍ୟମାନେ ମିଶି ଜଣେ ଅନ୍ତରୀଣ ମ୍ୟାନେଜିଂ ଟ୍ରଷ୍ଟି ମନୋନୀତ କରିବାକୁ ନିର୍ଦ୍ଦେଶ ଥିଲା। କିନ୍ତୁ ପୂର୍ବତନ ଟ୍ରଷ୍ଟ ବୋର୍ଡ ଦାୟିତ୍ବ ହସ୍ତାନ୍ତର କରୁ ନଥିବାରୁ କାର୍ଯ୍ୟ ଅଧାରେ ଅଟକିଛି।

ସମ୍ବନ୍ଧିତ ଖବର