ରାମମନ୍ଦିର ବିବାଦ, ଅନ୍ତରୀଣ ଟ୍ରଷ୍ଟ ବୋର୍ଡ ଉପରେ ରହିତାଦେଶ

ଭୁବନେଶ୍ଵର: ରାମ ମନ୍ଦିରରେ ଆର୍ଥିକ ଅନିୟମିତତା ନେଇ ପୁରୁଣା ଟ୍ରଷ୍ଟ ବୋର୍ଡ ରଦ୍ଦ ସହ ନୂତନ ଟ୍ରଷ୍ଟ ବୋର୍ଡ ଗଠନ ନେଇ ଦେବୋତ୍ତର କମିସନର ଦେଇଥିବା ଆଦେଶ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କମିସନରଙ୍କ ଦ୍ବାରା ଗଠିତ ନୂଆ ଟ୍ରଷ୍ଟ ବୋର୍ଡ ରାମମନ୍ଦିର ପରିଚାଳନାରେ ହସ୍ତକ୍ଷେପ କରିପାରିବ ନାହିଁ ବୋଲି ଆଦେଶ ହୋଇଛି। ଗତକାଲି ହୋଇଥିବା ଆଦେଶ ଦେବୋତ୍ତର କମିସନର୍‌ଙ୍କ ନିକଟରେ ପହଞ୍ଚିନଥିଲେ ମଧ୍ୟ ରାମ ମନ୍ଦିର ପକ୍ଷରୁ ସତ୍ୟପାଠ ଜରିଆରେ ଦାଖଲ ହୋଇଛି। ଫଳରେ କମିସନ ଗଠନ କରିଥିବା ଅନ୍ତରୀଣ ଟ୍ରଷ୍ଟବୋର୍ଡକୁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ଆଦେଶ ପରେ କାର୍ଯ୍ୟାନୁଷ୍ଠାନ ବାବଦରେ ସ୍ପଷ୍ଟ ହେବ ବୋଲି ଦେବୋତ୍ତର କମିସନର ବିରଜା ପ୍ରସାଦ ଦତ୍ତ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଭୁବନେଶ୍ବର ରାମମନ୍ଦିର ପରିଚାଳନା କରୁଥିବା ସମିତି ପକ୍ଷରୁ ଭକ୍ତଙ୍କଠାରୁ ଦାନ ସଂଗ୍ରହ କରାଯାଉଥିଲା। କିନ୍ତୁ ଏହି ଦାନ ଅର୍ଥର ଆୟବ୍ୟୟ ହିସାବ ଦେବୋତ୍ତର କମିସନଙ୍କୁ ଦେଉନଥିଲେ। ତା’ସହ ଏଠାରେ ମନ୍ଦିର କରିବା ପାଇଁ ସରକାରଙ୍କଠାରୁ ଜମି ନିଆଯାଇଥିଲେ ମଧ୍ୟ ଘର ନିର୍ମାଣ କରି ଭଡ଼ା ଲଗାଯାଇଥିଲା। ଏଭଳି କିଛି ଅନିୟମିତତାର ଅଭିଯୋଗ ପାଇ ଦେବୋତ୍ତର କମିସନର୍‌ ଗତ ବର୍ଷ ଜୁନ୍‌ରେ ଚଢ଼ଉ କରିଥିଲେ। ରାମମନ୍ଦିରର ପୁରୁଣା ଟ୍ରଷ୍ଟ ବୋର୍ଡକୁ ୪୦ ବର୍ଷର ଆୟବ୍ୟୟ ହିସାବ ତଲବ କରିଥିଲେ।

ସମ୍ବନ୍ଧିତ ଖବର