ଭୁବନେଶ୍ୱର : ଆରମ୍ଭ ହୋଇଛି ପବିତ୍ର ରମଜାନ୍ ମାସ। ଏହି ସମୟରେ ମୁସଲ୍ମାନ ସମ୍ପ୍ରଦାୟର ବ୍ୟକ୍ତିମାନେ ସକାଳୁ ସନ୍ଧ୍ୟା ଯାଏଁ ଉପବାସରେ ରହି କଠୋର ବ୍ରତ ପାଳନ କରନ୍ତି। ଏହି ସମୟରେ କିଛି ସ୍ୱତନ୍ତ୍ର ଖାଦ୍ୟର ଚାହିଦା ଅଧିକ ରହେ। ଏହି ଖାଦ୍ୟକୁ ନେଇ ରାଜଧାନୀର ବିଭିନ୍ନ ମସ୍ଜିଦ୍ ନିକଟରେ ଅସ୍ଥାୟୀ ବଜାର ବି ଖୋଲିଗଲାଣି।
ଇଦ୍ରେ ତଥା ରମ୍ଜାନ୍ ମାସରେ ଲଚ୍ଛାର ଚାହିଦା ସର୍ବାଧିକ ଥାଏ। ଏଥିପାଇଁ ନାରଙ୍ଗୀ, ହଳଦିଆ, ଧଳା ଆଦି ବିଭିନ୍ନ ରଙ୍ଗର ଲଚ୍ଛା ବଜାରରେ ଉପଲବ୍ଧ। ପ୍ରକାର ଅନୁଯାୟୀ, ଏହା କିଲୋ ପିଛା ୧୦୦ ଟଙ୍କାରୁ ୪୫୦ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ସେହିପରି ଖଜୁରା, ଫଲୁଦା, କାଜୁ, କିସ୍ମିସ୍, ସିମେଇ ଓ ହାଲ୍ଓ୍ଵା ଇତ୍ୟାଦିର ମଧ୍ୟ ସ୍ୱତନ୍ତ୍ର ଚାହିଦା ରହିଛି। ଦିନତମାମ ଉପବାସ ରହିଲା ପରେ ସନ୍ଧ୍ୟାରେ ପେଟ ଥଣ୍ଡା ରଖିବା ପାଇଁ ସମସ୍ତେ ଏହି ସବୁ ଖାଦ୍ୟ ଖାଇଥାନ୍ତି। ଏସବୁ ସାମଗ୍ରୀ ରାଉରକେଲା, କୋଲ୍କାତା, କଟକ ଓ ଟାଟା ଆଦି ଅଞ୍ଚଳରୁ ଆମଦାନୀ ହେଉଛି ବୋଲି ୟୁନିଟ-୪ ମସଜିଦ୍ ସମ୍ମୁଖରେ ଦୋକାନ ଦେଇଥିବା ଅଲ୍ଲି ଅହମ୍ମଦ କହିଛନ୍ତି। ଏକ ମାସ ପର୍ଯ୍ୟନ୍ତ ଏଠାରେ ଦୋକାନ ରହିବ ଓ ଚାହିଦାକୁ ଦୃଷ୍ଟିରେ ରଖି ପାଖାପାଖି ୨୦ ହଜାର ଟଙ୍କାରୁ ଅଧିକ ସାମଗ୍ରୀ ରଖାଯାଇଛି। ସକାଳ ଓ ସନ୍ଧ୍ୟାରେ ମସଜିଦ୍କୁ ଆସୁଥିବା ଲୋକମାନେ ଏଠାରୁ ଦରକାରୀ ଜିନିଷ କିଣି ନେଇଥା’ନ୍ତି। ଦିନକୁ ପ୍ରାୟ ୧୫୦୦ରୁ ଅଧିକ ଟଙ୍କାର ଖାଇବା ଜିନିଷ ବିକ୍ରି ହେଉଛି। ଏଠାରେ ଆଗ୍ରା ପିଠାର ମଧ୍ୟ ବହୁତ ଚାହିଦା ରହିଛି।
ଅସ୍ଥାୟୀ ବଜାରରେ କେବଳ ଖାଦ୍ୟ ସାମଗ୍ରୀ ନୁହେଁ, ରମଜାନ୍ ମାସର ଆଉ କିଛି ଦରକାରୀ ଜିନିଷ ମଧ୍ୟ ଏଠାରେ ବିକ୍ରି ହେଉଛି। ଏହା ମଧ୍ୟରେ ଅଛି ଅତର, ସୁର୍ମା, ଟୋପି, ମିସୁଆକ, ପ୍ରାର୍ଥନା ଆସନ ଓ ରୁମାଲ ଇତ୍ୟାଦି। ଖାଦ୍ୟ ସାମଗ୍ରୀ ପରି ଏସବୁର ବି ଭଲ ଚାହିଦା ରହିଛି ବୋଲି ଏସ.କେ. ଜାହିର ଉଦିନ କହିଥିଲେ।