ଛାତ୍ର ସଂସଦ ନିର୍ବାଚନ ବନ୍ଦର ପ୍ରତିବାଦ: ରମାଦେବୀରେ ଦୁଇ ଛାତ୍ରୀଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ବର: ଛାତ୍ର ସଂସଦ ନିର୍ବାଚନ ବନ୍ଦ ନିଷ୍ପତ୍ତି ପ୍ରତିବାଦରେ କ୍ୟାମ୍ପସରେ ବିରୋଧ ଜାରି ରହିଛି। ତିନି ଦିନ ହେଲା କଲେଜ ଓ ବିଶ୍ବବିଦ୍ୟାଳୟ ଛୁଟି ରହିଥିବାରୁ କ୍ୟାମ୍ପସ ନିଆଁ ସେତେଟା ବ୍ୟାପି ନ ଥିଲା। ତେବେ ଆଜି କ‌ଲେଜ ‌ଖୋଲିବା କ୍ଷଣି ପ୍ରବଳ ବିରୋଧ କରାଯାଇଛି। ଭୁବନେଶ୍ବରରୁ ବଲାଙ୍ଗିର ପର୍ଯ୍ୟନ୍ତ ଆନ୍ଦୋଳନ ହୋଇଛି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ‌ରେ ଛାତ୍ରୀଙ୍କ ବିରୋଧ ସବୁ ସୀମା ଟପିଛି। ନିଷ୍ପତ୍ତି ପ୍ରତିବାଦରେ ବିଶ୍ବବିଦ୍ୟାଳୟର ଗୋଟିଏ ଗୋଷ୍ଠୀର ଛାତ୍ରୀମାନେ ମୁଖ୍ୟ ଫାଟକରେ ତାଲା ପକାଇଥିଲେ। ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣାରେ ବସିଥିଲେ। ନିର୍ବାଚନ ବନ୍ଦ ପଛରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ହାତ ଥିବା ଦର୍ଶାଇ ସେମାନେ ମନ୍ତ୍ରୀଙ୍କ ଫଟୋରେ କଳା ବୋଳିଥିଲେ। ମନ୍ତ୍ରୀ ଶ୍ରୀ ସାହୁଙ୍କ ଫଟୋ ମଧ୍ୟ ପୋଡ଼ିଥିଲେ। ନିର୍ବାଚନ ବନ୍ଦ କରି ରାଜ୍ୟ ସରକାର ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବୋଲି ଛାତ୍ରୀମାନେ ଅଭିଯୋଗ କରିଥିଲେ। ଛାତ୍ରୀମାନଙ୍କ ବିରୋଧ ଜାରି ରହିଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀର ଛାତ୍ରୀମାନେ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରି ଆଗକୁ ଆସିଥିଲେ। ଫାଟକରେ କାହିଁକି ତାଲା ପକାଯାଇଛି ବୋଲି ପ୍ରଶ୍ନ ଉଠାଇଥିଲେ। ଏହାକୁ ନେଇ ନିର୍ବାଚନ ସପକ୍ଷବାଦୀ ଓ ବିପକ୍ଷବାଦୀ ଛାତ୍ରୀ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ହାତାହାତି ପରିସ୍ଥିତି ଉପୁଜିବାରୁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରୀଙ୍କୁ ବୁଝାସୁଝା କରିଥିଲା। ତଥାପି ପରିସ୍ଥିତି ଶାନ୍ତ ପଡ଼ି ନଥିଲା। ବେନିୟମ ଭାବେ କ୍ୟାମ୍ପସରେ ତାଲା ପକାଇଥିବା ଅଭିଯୋଗ‌ରେ ନିର୍ବାଚନ ସପକ୍ଷରେ ଥିବା ଛାତ୍ରୀମାନେ ସହିଦନଗର ଥାନାରେ ଏତଲା ଦେଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ନିର୍ବାଚନ ବନ୍ଦ ପ୍ରତିବାଦରେ କ୍ୟାପିଟାଲ ଲ’ କଲେଜରେ ବି ବିରୋଧ ହୋଇଛି। ଉଚ୍ଚଶିକ୍ଷ‌ା ବିଭାଗ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ବିରୋଧ କରି ପୂର୍ବାହ୍ନରେ ଏକ ଛାତ୍ରଗୋଷ୍ଠୀ କଲେଜ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନିଷ୍ପତ୍ତିର ପୁନର୍ବିଚାର କରିବା ସହ ଛାତ୍ରଛାତ୍ରୀଙ୍କ ଗାଣତାନ୍ତ୍ରିକ ଅଧିକାର କ୍ଷୁଣ୍ଣ କରା ନ ଯାଉ ବୋଲି ଦାବି କରିଛନ୍ତି। ନ ହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର