ବଦଳିଲା ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଡ୍ରେସ୍‌‌‌କୋଡ୍‌, ସମ୍ବଲପୁରୀ ପୋଷାକ ପିନ୍ଧିବେ ଛାତ୍ରୀ

ଭୁବନେଶ୍ବର: ସମ୍ବଲପୁରୀ ‌ପୋଷାକ ପିନ୍ଧିବେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଛାତ୍ରୀ। ଛାତ୍ରୀଙ୍କ ଆଗ୍ରହ ତଥା ଓଡ଼ିଶାର ପରିଚୟକୁ ବିଶ୍ବ ଦରବାରରେ ପ୍ରତିପାଦିତ କରିବା ପାଇଁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏନେଇ ପିଜି କାଉନସିଲ୍‌ ବୈଠକରେ ସ୍ଥିର ହେବା ସହ ସିଣ୍ଡିକେଟ୍‌ ମୋହର ଲାଗିଛି। ୨୦୧୯-୨୦ ଶିକ୍ଷାବର୍ଷରେ ନାମ ଲେଖାଉଥିବା ସ୍ନାତକ, ସ୍ନାତକୋତ୍ତର ଓ ବି.ଏଡ୍‌ ଛାତ୍ରୀଙ୍କ କ୍ଷେତ୍ରରେ ଏହା ଲାଗୁ କରାଯିବ ବୋଲି ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର୍‌ ସରିତା ସୁପକାର କହିଛନ୍ତି। ନିଷ୍ପତ୍ତି ଅନୁଯାୟୀ, ସ୍ନାତକୋତ୍ତର ଛାତ୍ରୀଙ୍କ ସାଲୱାର/ଚୁଡ଼ିଦାରର ରଙ୍ଗ ଧଳା ରହିବ। ଦୁପଟା ବି ଧଳା ରଙ୍ଗର ହେବ। ତେବେ କୁର୍ତ୍ତା ଓ କମିଜ୍‌ର ରଙ୍ଗ ଅଲଗା ରହିବ। ସ୍ନାତକୋତ୍ତର ଛାତ୍ରୀମାନେ ଡାର୍କ ପିଙ୍କ୍‌ ରଙ୍ଗର କୁର୍ତ୍ତା ଓ କମିଜ୍‌ ପିନ୍ଧିବେ। ତେବେ ସ୍ନାତକ ଓ ବି.ଏଡ୍‌ ଛାତ୍ରୀଙ୍କ ପୋଷାକର ଉପର ବଦଳିବ। ସେମାନଙ୍କ ସାଲୱାର/ଚୁଡ଼ିଦାରର ରଙ୍ଗ ଧଳା ରହିବ। ଦୁପଟା ବି ଧଳା ରଙ୍ଗର। କୁର୍ତ୍ତା ଓ କମିଜ୍‌ ବ୍ଲୁ ରଙ୍ଗର ହେବ। ଯେଉଁ ଛାତ୍ରୀମାନେ ଚଳିତ ଶିକ୍ଷାବର୍ଷ‌ରେ ନାମ ଲେଖାଇବେ, ସେମାନଙ୍କ କ୍ଷେତ୍ରରେ ନୂଆ ପୋଷାକ ନିୟମ ଲାଗୁ କରାଯିବ। ଦ୍ବିତୀୟ ଓ ତୃତୀୟ ବର୍ଷର ଛାତ୍ରୀମାନଙ୍କ କ୍ଷେତ୍ରରେ ସେହି ପୁରୁଣା ଲାଗୁ ରହିବ। କୌଣସି ପରିବର୍ତନ କରାଯିବ ନାହିଁ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ପ୍ରଫେସର୍‌ ସୁପକାର ଆହୁରି କହିଛନ୍ତି ଯେ ସମ୍ବଲପୁରୀ ପୋଷାକ ଓଡ଼ିଶାର ସଂସ୍କୃତି ସହ ଯୋଡ଼ି ହୋଇରହିଛି। ସମ୍ବଲପୁରୀ ‌ପୋଷାକ ମୁଖ୍ୟତଃ ଓଡ଼ିଶାର ପୋଷାକ ଭାବେ ପରିଚିତ। ସେହି ଦୃଷ୍ଟିରୁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ରାଜ୍ୟ, ଦେଶ ଓ ବିଦେଶରେ ଓଡ଼ିଶାର ପ୍ରତିନିଧିତ୍ବ କରୁଛନ୍ତି। ତେଣୁ ସମ୍ବଲପୁରୀ ପୋଷାକ କରିବାକୁ ସ୍ଥିର ହୋଇଛି। ସ୍ନାତକ ପାଠ୍ୟକ୍ରମ‌ରେ‌ ଡ୍ରେସ୍‌ କୋଡ୍‌ ଲାଗୁ ହେବା ପରେ କେବେ ବି ପରିବର୍ତ୍ତନ ହୋଇନଥିଲା। ତେବେ ଡ୍ରେସ୍‌‌କୋଡ୍‌ ପରିବର୍ତନ ଲାଗି ଛାତ୍ରୀମାନେ ବାରମ୍ବାର ଦାବି କରିଆସୁଥିଲେ। ତାହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି।

ସୂଚନାଯୋଗ୍ୟ ଯେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଏବେ ସାରା ରାଜ୍ୟ ତଥା ଦେଶର ଛାତ୍ରୀମାନେ ଶିକ୍ଷା ଗ୍ରହଣ କରୁଛନ୍ତି। କଳା, ବିଜ୍ଞାନ ଓ ବାଣିଜ୍ୟ ସ୍ବାତକରେ ପ୍ରାୟ ୨୫୦୦ଛାତ୍ରୀ ପଢ଼ୁଥିବା ବେଳେ ୧୦ଟି ସ୍ନାତକୋତ୍ତର ପାଠ୍ୟକ୍ରମରେ ୧୫୦୦ରୁ ଅଧିକ ଛାତ୍ରୀ ଶିକ୍ଷାଗ୍ରହଣ କରୁଛନ୍ତି।

ସମ୍ବନ୍ଧିତ ଖବର