ଭୁବନେଶ୍ବର: ନ୍ୟାସନାଲ ଆସେସ୍‌ମେଣ୍ଟ ଆଣ୍ଡ ଆକ୍ରିଡିଟେସନ୍‌ କାଉନସିଲ୍‌(ନାକ୍‌)ର ପ୍ରଥମ ଗସ୍ତରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟକୁ ‘ବି++’ ଗ୍ରେଡ୍‌ ମିଳିଛି। ୨୦୧୫ରେ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇବା ପରେ ବିଶ୍ବବିଦ୍ୟାଳୟର ପାଠ୍ୟକ୍ରମ ବଢ଼ିଛି, ହେଲେ ଭିତ୍ତିଭୂମିରେ କୌଣସି ପରିବର୍ତ୍ତନ ହୋଇପାରି ନାହିଁ। ସ୍ବଚ୍ଛ ସୁନ୍ଦର କ୍ୟାମ୍ପସ ସାଙ୍ଗକୁ ନୂଆକୋଠା ହୋଇଛି। କ୍ୟାମ୍ପସ ଆଲୋକୀକରଣ ସାଙ୍ଗକୁ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ସମୃଦ୍ଧ ଆଲୁମନି ରହିଛି। ଶିକ୍ଷାଦାନରେ ବେଶ୍‌ ଆଗରେ ରହିଛି। ତା’ସତ୍ତ୍ବେ ଭିତ୍ତିଭୂମି ଅଭାବ, ଶିକ୍ଷକ-ଅଣଶିକ୍ଷକ ପଦବି ଖାଲି, ଖେଳପଡ଼ିଆ ଅଭାବ, ଉନ୍ନତମାନର ଗବେଷଣା ନହେବା, ରାଜ୍ୟ ତଥା ଦେଶ ବାହାର ଛାତ୍ରୀଙ୍କୁ ଆକୃଷ୍ଟ କରିବାରେ ବିଫଳ ହେବା ବିଶ୍ବବିଦ୍ୟାଳୟ ପାଇଁ ଆହ୍ବାନ ସୃଷ୍ଟି କରିଛି। ୨୦୨୯ ଅକ୍ଟୋବର ୨ ପର୍ଯ୍ୟନ୍ତ ଏହି ମାନ୍ୟତା ବଜାୟ ରହିବ ବୋଲି ନାକ୍‌ କର୍ତ୍ତୃପକ୍ଷ କହିଛନ୍ତି।

Advertisment

ପ୍ରଥମ ପର୍ଯ୍ୟାୟରେ ଭଲ କରିଛୁ: କୁଳପତି
ପ୍ରଥମ ପର୍ଯ୍ୟାୟରେ ଆମେ ଭଲ ବେଞ୍ଚ୍‌ ମାର୍କରେ ପହଞ୍ଚିପାରିଛୁ। ୨୦୧୫ ପୂର୍ବରୁ ନାକ୍‌ ଗସ୍ତ କରିଥିଲେ। ସେତେବେଳେ ଯେଉଁ ପଦ୍ଧତିରେ ମୂଲ୍ୟାୟନ କରାଯାଉଥିଲା, ୨୦୧୬ରେ ତାହାକୁ ପରିବର୍ତ୍ତନ କରାଯାଇଛି। ନୂଆ ପାର୍ଟନରେ ହୋଇଥିବାରୁ ଆମେ ଯେଉଁ ଗ୍ରେଡ୍‌ ପାଇଛୁ, ସେଥିରେ ସନ୍ତୁଷ୍ଟ। ଭିତ୍ତିଭୂମି ଅଭାବ, ଖେଳପଡ଼ିଆ ଅଭାବ ରହିଛି। ସ୍ଥାୟୀ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ହୋଇପାରୁ ନାହିଁ। କୁଳପତି, କୁଳସଚିବ, ଅଧ୍ୟାପକଙ୍କ ପାଇଁ କ୍ବାର୍ଟର୍ସ ଅଭାବ ରହିଛି। ନହେଲେ ଆହୁରି ଭଲ ଗ୍ରେଡ୍‌ ମିଳିପାରିଥାନ୍ତା। ଏଥିରେ ଲୁଚାଇବାର କୌଣସି କାରଣ ନାହିଁ କି ପୁଣିଥରେ ଆବେଦନ କରିବାର ପ୍ରଶ୍ନ ଉଠୁନି ବୋଲି କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ପ୍ରକାଶ କରିଛନ୍ତି। 

ନାକ୍‌ ପକ୍ଷରୁ ୭ଟି ମାନଦଣ୍ଡ ଆଧାରରେ ବିଶ୍ବବିଦ୍ୟାଳୟର ମୂଲ୍ୟାୟନ କରାଯାଇଛି। ଗସ୍ତ ସମୟରେ ନାକ୍‌ ପ୍ରତିନିଧି ଦଳକୁ ୩ଟି ଦିଗ ଅଧିକ ଆକୃଷ୍ଟ କରିଥିଲା। ‌ଯେଉଁଥିରେ ରାଜଧାନୀ ଛାତି ଉପରେ ସ୍ବଚ୍ଛ ଓ ସବୁଜିମା ଭରା ପ୍ରାକୃତିକ ପରିବେଶରେ ବିଶ୍ବବିଦ୍ୟାଳୟ ରହିଛି। ରାଜ୍ୟର ପ୍ରଥମ ଓ ଏକମାତ୍ର ମହିଳା ବିଶ୍ବବିଦ୍ୟାଳୟରେ ଦୃଷ୍ଟିବାଧିତ ଛାତ୍ରୀଙ୍କ ପାଇଁ ବିଭିନ୍ନ ସୁବିଧା ରହିଛି। ନିଯୁକ୍ତି, ଉଦ୍ୟୋଗୀ, ଦକ୍ଷତା ବିକାଶ ପାଠ୍ୟକ୍ରମ ପ୍ରତି ଗୁରୁତ୍ବ ଦିଆଯାଉଛି। ବିଶ୍ବବିଦ୍ୟାଳୟରେ ମୋଟ୍‌ ୨୬ଟି ବିଭାଗ ରହିଥିବା ବେଳେ ୫୮ଟି କୋର୍ସରେ ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରୁଛନ୍ତି। ମାତ୍ର ୬୭ଜଣ ସ୍ଥାୟୀ ଶିକ୍ଷକ ଓ ୩୨ ଜଣ ଅଣ-ଶିକ୍ଷକ ଅଛନ୍ତି। ୪ ହଜାର ୧୮୦ ଛାତ୍ରୀ ଏଠାରେ ଶିକ୍ଷା ଗ୍ରହଣ କରୁଛନ୍ତି। ଗବେଷଣା କ୍ଷେତ୍ର ବଢ଼ାଇବା ଦିଗରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପଦକ୍ଷେପ ହାତକୁ ନେଇଛନ୍ତି। ଉଦ୍‌ଭାବନ, ଇଣ୍ଡିଆନ୍‌ ନଲେଜ୍‌ ସିଷ୍ଟମ, ସୂଚନା ଓ ଲୋକ ସମ୍ପର୍କ ବିଷୟରେ ସଚେତନତା, ଆଇପିଆର ସେଲ୍‌, ଇନ୍‌କ୍ୟୁବେସନ ସେଣ୍ଟର ଆଦି ପ୍ରତିଷ୍ଠା ହୋଇଛି। ସମ୍ପ୍ରସାରଣ କାର୍ଯ୍ୟକଳାପରେ ନିକଟସ୍ଥ ଜନଗୋଷ୍ଠୀକୁ ଯୋଡ଼ିବା ସହ ସାମାଜିକ ସମସ୍ୟା ସମ୍ପର୍କରେ ଛାତ୍ରୀଙ୍କୁ ସଚେତନ କରାଯାଉଛି।

ଭିତ୍ତିଭୂମି ଓ ଶିକ୍ଷକ ଅଭାବ ସାଜିଲା ବାଧକ
ଖେଳପଡ଼ିଆ ନାହିଁ କି ବିଦେଶୀ ଛାତ୍ରୀ ନାହାନ୍ତି
ଅନ୍ୟ ରାଜ୍ୟ ଛାତ୍ରୀଙ୍କୁ ମଧ୍ୟ ଆକୃଷ୍ଟ କରୁନି

ତେବେ ୪,୦୦୦ ଛାତ୍ରୀ ପଢ଼ୁଥିଲେ ମଧ୍ୟ ବିଶ୍ବବିଦ୍ୟାଳୟର ନିଜସ୍ବ ଖେଳପଡ଼ିଆ ନାହିଁ। ଏହି ଆବଶ୍ୟକତା ପୂରଣ କରିବାକୁ ନାକ୍‌ ଟିମ୍‌ ମତ ଦେଇଛି। ହଷ୍ଟେଲ ଓ କ୍ୟା‌ଣ୍ଟିନ୍‌ରେ ଛାତ୍ରୀମାନଙ୍କୁ ଉନ୍ନତମାନ ଓ ବିଭିନ୍ନ ପ୍ରକାରର ଖାଦ୍ୟ ଯୋଗାଇବା, ଲାବରେଟୋରିରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହୃତ ସାମଗ୍ରୀ ଓ ଏସି ସୁବିଧା ଉପଲବ୍ଧ, ନିଯୁକ୍ତି ପାଇଁ ବାହାର କମ୍ପାନିଙ୍କୁ କ୍ୟାମ୍ପସକୁ ଡାକିବା, ବିଶ୍ବବିଦ୍ୟାଳୟର ସମସ୍ତ ଏକାଡେମିକ ଓ ହଷ୍ଟେଲରେ ବହୁ ପରିମାଣର ସାନିଟାରି ନାପକିନ୍‌ ଭେଣ୍ଡିଂ ମେସିନ୍‌ ଲଗାଇବାକୁ ପରାମର୍ଶ ଦେଇଛନ୍ତି। ହଷ୍ଟେଲରେ ୱାଇଫାଇ ସୁବିଧା, ଗୁଣାତ୍ମକ ଶିକ୍ଷା ପାଇଁ ସ୍ଥାୟୀ ଅଧ୍ୟାପକ ନିଯୁକ୍ତି, ବଡ଼ ସ୍ମାର୍ଟ କ୍ଲାସରୁମ୍‌ ପ୍ରତିଷ୍ଠା, ବିଭିନ୍ନ ବିଭାଗ ଛାତ୍ରୀଙ୍କୁ କ୍ଷେତ୍ର ଭ୍ରମଣ ସୁବିଧା, ଗୁଣାତ୍ମକ ଗବେଷଣା, ଶିଳ୍ପ ସଂସ୍ଥା ସହ ବିଶ୍ବବିଦ୍ୟାଳୟକୁ ଯୋଡ଼ିବା, ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ବଢ଼ାଇବା, ଶିଳ୍ପ ଓ ଶିକ୍ଷାକୁ ମିଶାଇବା, ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା, ତାଲିମପ୍ରାପ୍ତ କାଉନସେଲ୍‌ ନିଯୁକ୍ତିର ଆବଶ୍ୟକତା ରହିଛି। ଅଧ୍ୟାପକଙ୍କ ବିକାଶ ଓ ଜାତୀୟ ଶିକ୍ଷା ନୀତି ସମ୍ପର୍କରେ ଶିକ୍ଷକମାନଙ୍କୁ ସଚେତନ କରାଇବା, ଅତ୍ୟାଧୁନିକ ରୋଷଇ ଘର ସହ ହଷ୍ଟେଲଗୁଡ଼ିକ ପାଇଁ କେନ୍ଦ୍ରୀୟ ରୋଷେଇଶାଳା ସ୍ଥାପନ କରିବା ସହିତ ବିଦେଶୀ ଛାତ୍ରୀଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାକୁ ହେବ ବୋଲି କମିଟି ମତପ୍ରକାଶ କରିଛି।