ଭୁବନେଶ୍ୱର: ୯ ବର୍ଷ ହେଲା ପରିଚୟ ଖୋଜୁଛି ରମାଦେବୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)। ନା ନିଜସ୍ୱ କୋଠା ଅଛି, ନା ଅଛି କ୍ଲାସଖ୍‌ କରିବାର ସ୍ୱାଧୀନତା। ପ୍ରତିବର୍ଷ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ଉନ୍ନତ ଫଳ ପ୍ରଦର୍ଶନ ସତ୍ତ୍ୱେ ଶ୍ରେଣୀଗୃହ ଓ ଅଧ୍ୟାପକ ଅଧ୍ୟାପିକାଙ୍କ ଅଭାବ ଦ୍ବାରା ଦୁଇହଜାରରୁ ଅଧିକ ଛାତ୍ରୀ ଗୁଣାତ୍ମକ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। ରାଜଧାନୀର କେନ୍ଦ୍ର ସ୍ଥଳରେ ଛିଡ଼ା ହୋଇଥିବା ଏହି ବିଦ୍ୟାଳୟରେ କେବଳ ଛାତ୍ରୀ ଶିକ୍ଷାଗ୍ରହଣ କରୁଥିବାରୁ ଦଶମ ପରେ ଅଭିଭାବକ ଓ ଛାତ୍ରୀ ଏଥିପ୍ରତି ଆକର୍ଷିତ ହୋଇଥାନ୍ତି। ଏହାର କଟ୍‌ ଅଫ୍‌ ମାର୍କ ଅଧିକ ଥିଲେ ସୁଦ୍ଧା ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲାରୁ ଶତାଧିକ ମେଧାବୀ ଛାତ୍ରୀ ଏଠାରେ ପଢ଼ିବା ପାଇଁ ଆବେଦନ କରନ୍ତି। ମାତ୍ର ଏହାର ଭିତ୍ତିଭୂମି ଅଭାବ ଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାକାର ଆଡ଼କୁ ‌ଟାଣି ନେଉଥିବା ଅଭିଯୋଗ ହୋଇଛି।

Advertisment

ନାହିଁ ନାହିଁରେ ଚାଲିଛି ପାଠପଢ଼ା
ଭିତ୍ତିଭୂମି ଅଭାବରୁ ଅନ୍ଧାରରେ ଛାତ୍ରୀଙ୍କ ଭବିଷ୍ୟତ
ନିଜସ୍ବ କ୍ୟାମ୍ପସ ନାହିଁ, ମାତ୍ର ସାଢ଼େ ୩ ଘଣ୍ଟା ପାଠପଢ଼ା

କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାକୁ ମିଶାଇ ଏହି ବିଦ୍ୟାଳୟରେ ୨୪୦୦ ଛାତ୍ରୀ ପଢ଼ୁଛନ୍ତି। ମାତ୍ର ନିଜସ୍ୱ ଶ୍ରେଣୀ ଗୃହ ନଥିବାରୁ ସମ୍ପୂର୍ଣ୍ଣ ଭାବେ ରମା‌ଦେବୀ ମହିଳା ବିଶ୍ୱବିଦ୍ୟାଳୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ବିଶ୍ୱବିଦ୍ୟାଳୟ କ୍ଲାସ୍‌ ପୂର୍ବାହ୍ନ ସାଢ଼େ ୧୦ଟାରେ ଆରମ୍ଭ ହେଉଥିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ମାତ୍ର ସାଢ଼େ ୩ ଘଣ୍ଟାରେ ବାଧ୍ୟ ହୋଇ ପାଠପଢ଼ା ଶେଷ କରୁଛନ୍ତି। ନିୟମ ଅନୁଯାୟୀ ଯୁକ୍ତ୨ ପିଲାଙ୍କ ସାଧାରଣ ଭାବେ ୫ ଘଣ୍ଟା ପଢ଼ାଯିବା କଥା। ଜାତୀୟ ଶିକ୍ଷାନୀତି-୨୦୨୦ରେ ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଏଠାରେ ଧନ୍ଦାମୂଳକ ଶିକ୍ଷା ପାଇଁ ସ୍ଥାୟୀ ଅଧ୍ୟାପକ କିମ୍ବା ତଳସ୍ତରର କର୍ମଚାରୀ ନାହାନ୍ତି। ଯଦିଓ ଅତିଥି ଅଧ୍ୟାପକଙ୍କ ସାହାଯ୍ୟରେ ଶିକ୍ଷାଦାନ ହେଉଛି ହେଲେ ଅନ୍ୟ କାମ କରିବାକୁ କେହି ନାହାନ୍ତି। କେବଳ ସେତିକି ନୁହେଁ, ବିଦ୍ୟାଳୟ ପରିସରରେ ଥିବା ପାଠାଗାର ପରିଚାଳନା ପାଇଁ କୌଣସି ଗ୍ରନ୍ଥାଗାରିକ କିମ୍ବା ଅନ୍ୟ କୌଣସି କର୍ମଚାରୀ ନାହାନ୍ତି। ଉଚ୍ଚବିଦ୍ୟାଳୟରେ ମାତ୍ର ଦୁଇଜଣ କିରାଣି ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଆସନ୍ତା ମେ’ ମାସରେ ଅବସର ନେବେ। ଫଳରେ ଜଣେ କିରାଣି ଓ ପିଅନରେ କାମ ହେବ। ଏତେ ସଂଖ୍ୟାକ ପିଲାଙ୍କ ଛାତ୍ରବୃତ୍ତି ଫାଇଲ୍‌ ପରିଚାଳନା କରିବା ଅସମ୍ଭବ ହୋଇପଡ଼ିବ। ଅବ୍ୟବସ୍ଥା କେବଳ ସେତିକିରେ ଅଟକି ନାହିଁ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବହୁ ସଂଖ୍ୟକ ଛାତ୍ରୀ ଏଠାରେ ପଢ଼ିବାକୁ ଆସୁଛନ୍ତି। ମାତ୍ର ଛାତ୍ରୀନିବାସରେ ମାତ୍ର ୨୦୦ ଜଣ ରହିବାର ବ୍ୟବସ୍ଥା ଥିବାରୁଦୂରଦୂରାନ୍ତ ପିଲା କ୍ୟାମ୍ପସ୍‌ ବାହାରେ ରହିବାକୁ ବାଧ୍ୟ ହେଉଛନ୍ତି।

ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରୁ ଏହି ବିଦ୍ୟାଳୟକୁ ଅଲଗା କରିବାକୁ ୯ ବର୍ଷରେ ଏକାଧିକ ଥର ଯୋଜନା ହୋଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇପାରିନାହିଁ। ୟୁନିଟ୍‌-୯ ବାଳିକା ବିଦ୍ୟାଳୟ କ୍ୟାମ୍ପସ୍‌କୁ ରମାଦେବୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସ୍ଥାନାନ୍ତର ପାଇଁ ୨୦୨୩ରେ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲା। ମାତ୍ର ଅଭିଭାବକ ଓ ଛାତ୍ରୀମାନଙ୍କ ପ୍ରବଳ ବିରୋଧ  ଯୋଗୁ ପ୍ରଶାସନ ନିଷ୍ପତ୍ତିରୁ ଓହରିଥିଲା। ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ସରୋଜଲକ୍ଷ୍ମୀ ସିଂହଙ୍କ କହିବାନୁଯାୟୀ ନିଜସ୍ୱ କୋଠା ପାଇଁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଆଲୋଚନା ହୋଇଛି। ପିଲାଙ୍କ ପାଠପଢ଼ା ପାଇଁ ଆବଶ୍ୟକ ଅଧ୍ୟାପକ ଓ ଅନ୍ୟ କର୍ମଚାରୀ ପଦବି ପାଇଁ ଚିଠି ଲେଖାଯାଇଥିବା ସେ କହିଛନ୍ତି।