ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଯୁକ୍ତ ୩ ଦ୍ବିତୀୟ ବର୍ଷର ଛାତ୍ରୀ ଝରାଫୁଲ ଜଣେ ମେଧାବୀ ଛାତ୍ରୀ ଥିଲେ। ପାଠପଢ଼ା ସାଙ୍ଗକୁ ଅନ୍ୟ କ୍ଷେତ୍ରରେ ବି ଭଲ ପ୍ରଦର୍ଶନ କରୁଥିଲେ। ଦର୍ଶନ ବିଭାଗର ଟପର ହେବା ସହ ତାଙ୍କ ବ୍ୟାଚ୍‌ରେ ମିସ୍‌ ଫ୍ରେସର ‌ହୋଇଥିଲେ। ହସଖୁସିଆ ମିଜାଜର ଝରାଫୁଲ ମେଳାପି ସ୍ବଭାବର ‌ହୋଇଥିବାରୁ ସହପାଠିନୀଙ୍କ ନେଇ ଶିକ୍ଷକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରିୟ ଥିଲେ। ତେଣୁ ତାଙ୍କର ଏଭଳି ଅକାଳ ବିୟୋଗକୁ କେହି ସହଜରେ ବିଶ୍ବାସ କରିପାରୁନାହାନ୍ତି। ଆଜି କ୍ୟାମ୍ପସ୍‌ରେ ଝରାଫୁଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା‌ ଅବସରରେ ତାଙ୍କ ସାଙ୍ଗସାଥୀ, ସହପାଠୀ ତାଙ୍କୁ ଖୁବ୍‌ ଝୁରିଛନ୍ତି। ଏଭଳି ଜଣେ ଛାତ୍ରୀଙ୍କୁ କିଏ କାହିଁକି ହତ୍ୟା କଲା ତାହାକୁ ନେଇ ‌ଦୁଃଖ ଓ କ୍ଷୋଭ ପ୍ରକାଶ କରିଛନ୍ତି। ମିଳିତ ଭାବେ ସମସ୍ତେ କହିଛନ୍ତି, ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ। ଦୋଷୀକୁ ଫାଶୀ ଦିଆଯାଉ।

Advertisment

ଝରାଫୁଲ୍‌ଙ୍କ ମୃତ୍ୟୁକୁ ନେଇ ତିନି ଦିନ ହେଲା ବିଶ୍ବବିଦ୍ୟାଳୟ ଏକପ୍ରକାର ସ୍ତବ୍ଧ ହୋଇଯାଇଛି। କ୍ୟାମ୍ପସକୁ କମ୍‌ ଛାତ୍ରଛାତ୍ରୀ ଆସୁଥିଲେ ମଧ୍ୟ କାହାର ବି ମନରେ ସରାଗ ନାହିଁ। ହସଖୁସି କି ଥଟାମଜା ଦେଖିବାକୁ ମିଳୁନି। କେବଳ ଯାହା କ୍ଲାସ ହେଉଛି। ଝରାଫୁଲ୍‌ର ମୃତ୍ୟୁକୁ ନେଇ ଝୁରୁଛି ସାରା କ୍ୟାମ୍ପସ। କୁଳପତିଙ୍କଠାରୁ ଆରମ୍ଭ କରି ସହପାଠିନୀ ଓ ସିନିୟରମାନେ ତାଙ୍କୁ ମନେ ପକାଉଛନ୍ତି। ଯାହାକି ଆଜି କ୍ୟାମ୍ପସରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଦେଖିବାକୁ ମିଳିଥିଲା। ଛାତ୍ରୀମାନଙ୍କ ଦ୍ବାରା ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ କୁଳପତି ପ୍ରଫେସର ଅପରାଜିତା ଚୌଧରୀ ଯୋଗଦେଇ ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କୁଳସଚିବ ଶ୍ୟାମଳୀ ମହାପାତ୍ର, ପିଜି କାଉନସିଲ୍ ଅଧ୍ୟକ୍ଷା ସସ୍ମିତା ମହାନ୍ତି, ଛାତ୍ରୀ ସଂସଦର ପୂର୍ବତନ ସଭାପତି ଇପସିତା ସାହୁ, ଛାତ୍ରୀ ସ୍ୱୀକୃତି ମିଶ୍ର, ପୁରାତନ ଛାତ୍ରୀ ସାଗରିକା ସାମନ୍ତ, ଚିନ୍ମୟୀ ଜେନାଙ୍କ ସମେତ ବହୁ ଛାତ୍ରୀ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।