ଭୁବନେଶ୍ବର, ୯/୪ (ଇମିସ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ନିମ୍ନମାନର କାମ। ବାଲି ଓ ସିମେଣ୍ଟର ଭାଗମାପ ରହୁନି। ୧୦୦ ମିଟର ପର୍ଯ୍ୟନ୍ତ ପାଚେରି ଛିଡ଼ା ହେଉଥିଲେ ମଧ୍ୟ ମଝିରେ ବିମ୍ ନାହିଁ କିମ୍ବା ପିଲ୍ନ୍ଥ ଦିଆଯାଉନି। ଆଜି ସକାଳୁ କ୍ୟାମ୍ପସ ସମ୍ମୁଖ ଭାଗର ୧୧୦ ମିଟର ପାଚେରି ଭୁଶୁଡ଼ିବା ପରେ ଏଭଳି କିଛି ଦେଖିବାକୁ ମିଳିଛି। ଖୋଦ୍ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍ ଅପରାଜିତା ଚୌଧୁରୀ ମଧ୍ୟ ନିମ୍ନମାନର କାମ ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ କାମ ନିମ୍ନମାନର ହୋଇଥିଲା। ପାଚେରି କାନ୍ଥକୁ ଲାଗି ବିଏମ୍ସି ପକ୍ଷରୁ ଭେଣ୍ଡିଂ ଜୋନ୍ କରାଯାଇଛି। ସେଠାକାର ଦୋକାନରୁ ଆସୁଥିବା ପାଣି ପାଚେରିର ମୂଳକୁ ଦୁର୍ବଳ କରୁଥିଲା। ଏ ସଂପର୍କରେ ଜଣାପଡ଼ିବା ପରେ ବିଏମ୍ସି ଓ ସ୍ମାର୍ଟସିଟି କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲୁ। ମାତ୍ର କୌଣସି ପଦକ୍ଷେପ ନିଆଯାଇ ନଥିଲା। ପାଚେରି ନିର୍ମାଣ ସମୟରେ ବିମ୍ ନଥିବା ଜଣାପଡ଼ିଛି। ଏନେଇ ଠିକାସଂସ୍ଥାଙ୍କୁ ପଚରାଉଚରା କରାଯିବ ବୋଲି ସେ କହିଛନ୍ତି।
ଦୋକାନ ପାଣି ପାଇଁ ପାଚେରି ଦୁର୍ବଳ ହେଉଛି: କୁଳପତି
ବାହାର ଚକାଚକ୍, ଭିତର ଫମ୍ପା: ସ୍ଥାନୀୟ କର୍ପୋରେଟର୍
ପ୍ରାଥମିକ ଆକଳନରୁ ଜଣାପଡ଼ିଛି ଯେ ଭାଙ୍ଗିଥିବା ପାଚେରିର ଲମ୍ବ ପ୍ରାୟ ୧୧୦ ମିଟର ହୋଇଥିବା ବେଳେ ଉଚ୍ଚତା ୧୨ ଫୁଟ୍ ରହିଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ଆସିବା ପୂର୍ବରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ପାଚେରି ନିର୍ମାଣ ହୋଇଥିଲା। ପାଚେରିରେ କଲମ୍ କି ପ୍ଲିନ୍ଥ ନ ଥିଲା। ପୁରୁଣା ପାଚେରି ଉପରେ ଫ୍ଲାଏ-ଆସ୍ ଇଟା ଥୋଇ ପାଚେରି ଉଚ୍ଚତାକୁ ୧୦ ଫୁଟ୍ ବଢ଼ାଇ ଦିଆଯାଇଥିଲା। ପାଚେରି ଉପରେ ଏକ ବିମ୍ ଦିଆଯାଇଥିବା ନଜରକୁ ଆସିଛି। ଯେଉଁଥିରେ ୮ ଏମ୍ଏମ୍ର ୪ଟି ମାତ୍ର ରଡ୍ ରହିଛି। କ୍ୟାମ୍ପସ ଭିତର ପାର୍ଶ୍ବ ମାଟି ତାଡ଼ି ଗାର୍ଡେନ୍ ନିର୍ମାଣ ହୋଇଛି। ମାତ୍ର ବାହାର ପାର୍ଶ୍ବ ଉଚ୍ଚ ରହିଛି। ଯେଉଁଥିପାଇଁ କ୍ୟାମ୍ପସ ପାର୍ଶ୍ବ ପାଚେରି ଦୁର୍ବଳ ହୋଇ ଭୁଶୁଡ଼ି ପଡ଼ିଛି। ଏଭଳି ନିମ୍ନମାନର କାମକୁ ନେଇ ଏବେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ଠିକା ସଂସ୍ଥା ଓ ଠିକାଦାରଙ୍କୁ ସ୍ଥାନୀୟ କର୍ପୋରେଟର ଦାୟୀ କରିବା ସହ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି।
ସ୍ଥାନୀୟ କର୍ପୋରେଟର୍ ଅପରୂପ ରାଉତଙ୍କ ଅଭିଯୋଗ ହେଉଛି ଯେ ରଙ୍ଗ ବୋଳି ଠିକାଦାର ଟଙ୍କା ଲୁଟୁଛନ୍ତି। ୧୦୦ ମିଟର କାମ ହୋଇଥିଲେ ମଧ୍ୟ ପାଚେରିରେ ବିମ୍ ନାହିଁ। ବାହାର ପାର୍ଶ୍ବରେ ରଙ୍ଗ ଲଗାଇ ଠିକାଦାର ଚକାଚକ୍ କରି ଦେଇଛି। ମାତ୍ର ଭିତର ଫମ୍ପା। ଏବେ ହଷ୍ଟେଲରେ ଥିବା ଛାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। କାରଣ ଉକ୍ତ କାମକୁ ବି ଓଡ଼ିଶା ପୁଲିସ ହାଉସିଂ କର୍ପୋରେସନ୍ କରୁଛି। ନିମ୍ନମାନର କାମ ଦ୍ବାରା ଉଭୟ ଠିକାଦାର ଓ ଠିକା ସଂସ୍ଥାକୁ ଫାଇଦା। ପ୍ରତି ୬ରୁ ୧୨ମାସ ମଧ୍ୟରେ କିଭଳି ପୁଣିଥରେ କାମ ହେବ, ସେନେଇ ବାଟ କରାଯାଉଛି। ଠିକା ସଂସ୍ଥା ବି ଆବଶ୍ୟକ ଯାଞ୍ଚ କରୁ ନ ଥିବାରୁ ଠିକାଦାର ଠିକ୍ ଭାବେ କାମ କରୁ ନାହାନ୍ତି। ଏଭଳି କରି ଓଡ଼ିଶାକୁ ଲୁଟିବାକୁ ଚକ୍ରାନ୍ତ କରୁଛନ୍ତି। ଭଗବାନଙ୍କ ଦୟାରୁ ଆଜି ରବିବାର ଛୁଟି ଦିନ ସାଙ୍ଗକୁ ସକାଳୁ ପାଚେରି ଭୁଶୁଡ଼ିଥିବାରୁ ସେଠାରେ କୌଣସି ଛାତ୍ରୀ ନ ଥିଲେ। ନ ହେଲେ କେତେ ବଡ଼ ଅଘଟଣ ଘଟିଥା’ନ୍ତା, ତାହା ଭଗବାନଙ୍କୁ ଜଣା।
ବିଏମସି କମିସନର ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, ଏନେଇ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି। ପଦକ୍ଷେପ ନିଆଯିବ।