କାହିଁକି ଅକାଳରେ ଝରିଗଲା ଝରାଫୁଲ?

ରମାଦେବୀ ଛାତ୍ରୀ ହତ୍ୟା ରହସ୍ୟ ଖୋଲୁଛି

ରାକେଶଙ୍କ ସହ ସଂପର୍କ କଥା ଜାଣିଥିଲେ ବାପା
ଝିଅକୁ ତାଗିଦ୍ କରିଥିଲେ, ହେଲେ ସେ ମାନି ନ ଥିଲା

ମାତ୍ର ୨୧ ବର୍ଷ ବୟସର ଯୁବତୀଟିଏ। ବାପାମା’ ନାଁ ଦେଇଥିଲେ ଝରାଫୁଲ। ଆଖିରେ ଆଖିଏ ସ୍ବପ୍ନ ନେଇ ସୁଦୂର ମୟୂରଭଞ୍ଜର ଯଶିପୁରରୁ ପାଠ ପଢ଼ିବାକୁ ଆସିଥିଲା ରାଜଧାନୀର ସମ୍ଭ୍ରାନ୍ତ ଉଚ୍ଚଶିକ୍ଷାନୁଷ୍ଠାନ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟକୁ। ଭଲ ପାଠ ମଧ୍ୟ ପଢ଼ୁଥିଲା। କିନ୍ତୁ ଏମିତି କ’ଣ ଘଟିଲା ଯେ ସ୍ବପ୍ନସବୁ ସାକାର ହେବା ପୂର୍ବରୁ ଅକାଳରେ ଝରିପଡ଼ିଲା ଝରାଫୁଲ?

ଏଇ ପ୍ରଶ୍ନ ଏବେ ସମସ୍ତଙ୍କୁ ଆନ୍ଦୋଳିତ କରୁଛି। ପୁଲିସ ତନାଘନା ତଦନ୍ତ କରି ଯେଉଁ ସନ୍ଦିଗ୍ଧ ଯୁବକକୁ ଧରିଛି, ସେ ଝରାଫୁଲର ପ୍ରେମିକ ରାକେଶ ବୋଲି ଜଣାପଡ଼ିଥିବାରୁ ହତ୍ୟାକାଣ୍ଡ ପଛରେ ‘ପ୍ରେମ’ ହିଁ ମୁଖ୍ୟ କାରଣ ହୋଇପାରେ ବୋଲି ସନ୍ଦେହ କରାଯାଉଛି। ଝରାଫୁଲର ବାପା ରାମାକାନ୍ତ ନାୟକ ମଧ୍ୟ ପ୍ରେମ ପାଇଁ ହତ୍ୟାକାଣ୍ଡ ଘଟିଥିବା ଆଶଙ୍କା କରିଛନ୍ତି। ଝିଅର ମୋବାଇଲ କଥାବାର୍ତ୍ତା, ଚାଟିଂ ସହ ପ୍ରେମିକ ରାକେଶକୁ ଜେରାକଲେ ହତ୍ୟାକାଣ୍ଡର ଅସଲ ରହସ୍ୟ ଉନ୍ମୋଚିତ ହେବ ବୋଲି କହିଛନ୍ତି।

ଝରାଫୁଲଙ୍କ ଗାଁ ମୟୂରଭଞ୍ଜ ଯଶୀପୁରର ବୃନ୍ଦେଇପୋଷୀ ଗ୍ରାମରେ ଭୂତଳ ପାଇପ୍ ବିଛା ଯାଉଥିବାବେଳେ ଏହି କାମ କରୁଥିବା ସଂସ୍ଥାରେ ସୁପରଭାଇଜର ଥିଲା ରାକେଶ ସ୍ବାଇଁ। କେମିତି କେଜାଣି ରାକେଶ ସହ ଝରାଫୁଲର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦିନେ ଝରାଫୁଲର ମୋବାଇଲରେ ହ୍ବାଟ୍ସଆପ୍ ଚାଟିଂ ଉପରେ ବାପାଙ୍କ ନଜର ପଡ଼ିବା ପରେ ସେ ଝିଅକୁ ତାଗିଦ୍ କରିଥିଲେ। ଏଭଳି କାମରୁ ଦୂରେଇ ରହି ପାଠରେ ମନ ଦେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଝରାଫୁଲ ରାକେଶକୁ ଭିଡିଓ କଲ୍ ସହ କଥାବାର୍ତ୍ତା ଓ ଚାଟିଂ ବନ୍ଦ କରିନଥିଲା। ଯେବେ ବି ଝରାଫୁଲ ଭୁବନେଶ୍ବର ଆସୁଥିଲା; କେଉଁ ବସ୍‌ରେ ଆସିବ, କେତେବେଳେ ବାଣୀବିହାରରେ ଓହ୍ଲାଇବ, ସେ ନେଇ ସମସ୍ତ ଖବର ରାକେଶକୁ ଫୋନ୍ କିମ୍ବା ଚାଟିଂରେ ଜଣାଇ ଦେଉଥିଲା। ଅନେକ ଥର ରାମାକାନ୍ତ ଝିଅ ମୋବାଇଲରେ ଏ ସବୁ ଦେଖିଛନ୍ତି। ଏଣୁ ହତ୍ୟାକାଣ୍ଡ ପଛରେ ରାକେଶ ହିଁ ମୁଖ୍ୟ ଆସାମୀ ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଆଜି କୁଆଖିଆ ପୁଲିସ ରା‌େକଶକୁ ଧରିବା ଲାଗି ଭୁବନେଶ୍ବର ଆସିଥିବାବେଳେ ରାକେଶ ନିଜେ ଏଆର୍‌ଫିଲ୍ଡ ଆତ୍ମସମର୍ପଣ କରି ଝରାଫୁଲର ମୃତ୍ୟୁ କେମିତି ହେଲା ତାହାର ଗୁମର ଫିଟାଇଛି। ମାତ୍ର ଝରାଫୁଲକୁ ସେ ପ୍ରକୃତରେ ହତ୍ୟା କରିଛି ନା ଅସ୍ବାଭାବିକ ଭାବେ ତା’ର ମୃତ୍ୟୁ ଘଟିଛି, ତାହା ସ୍ପଷ୍ଟ ହୋଇନି।

ଭୁବନେଶ୍ବରରେ ଶିକ୍ଷକଙ୍କ ଘରେ ଶେଷ ୪୦ ଘଣ୍ଟା
ଏକ ରହସ୍ୟମୟ ପରିସ୍ଥିତିରେ ଅକ‌ାଳରେ ଆଖି ବୁଜିବା ପୂର୍ବରୁ ଝରାଫୁଲ ଭୁବନେଶ୍ବରରେ ତାଙ୍କ ପରିବାରର ଜଣେ ଅତି ପରିଚିତ ତଥା ଘନିଷ୍ଠ ଶିକ୍ଷକ ଚକ୍ରଧର ବେହେରାଙ୍କ ଘରେ ଦୁଇ ଦିନ କାଳ ରହିଥିଲେ। ଚକ୍ରଧରଙ୍କ ଝିଅର ଜନ୍ମଦିନ ଥିବାରୁ ଝରାଫୁଲ ବିନା ଡକରାରେ ତାଙ୍କ ଘରକୁ ଚାଲି ଆସିଥିଲେ ଏବଂ ଶେଷ ଚାଳିଶ ଘଣ୍ଟା ତ‌ାଙ୍କରି ଘରେ କଟାଇଥିଲେ। ଏହି ଚକ୍ରଧର ହିଁ ୨୬ ତାରିଖ ଦିନ ଘରକୁ ଯିବା ଲାଗି ଝରାଫୁଲକୁ ବସ୍‌‌ରେ ବସାଇ ଦେଇଥିଲେ।

ଝରାଫୁଲକୁ ୮ ବର୍ଷ ଧରି ପାଠ ପଢ଼ାଇଥିଲେ ଭୁବନେଶ୍ବର ରଙ୍ଗମାଟିଆର ଚକ୍ରଧର ବେହେରା। ରମାଦେବୀ ବିଶ୍ବବିଦ୍ୟାଳୟରେ ଝରାଫୁଲ ଯୁକ୍ତ ୨ ପଢ଼ିଲାବେଳେ ତା’ର ଲୋକାଲ ଗାର୍ଡିଆନ୍ ମଧ୍ୟ ଥିଲେ। ଉଭୟ ପରିବାର ସହ ଉତ୍ତମ ସମ୍ପର୍କ ଥିବାରୁ ଝରାଫୁଲ ଭୁବନେଶ୍ବର ଆସିଲେ ତାଙ୍କ ଘରକୁ ଯାଇ ରହୁଥିଲେ। ଗତ ୨୫ ତାରିଖରେ ଚକ୍ରଧରଙ୍କ ଝିଅର ଜନ୍ମଦିନ ଥିଲା। ଜନ୍ମଦିନ ପାଳନ କରିବା ପାଇଁ ଝରାଫୁଲ ୨୪ ତାରିଖରେ ଚକ୍ରଧରଙ୍କ ଘରକୁ ଯିବ ବୋଲି କହିଥିଲା। ଆଉ ବିଶ୍ବବିଦ୍ୟାଳୟ ଗେଟ୍ ପାଖକୁ ଆସି ଚକ୍ରଧର ତାଙ୍କୁ ସାଙ୍ଗରେ ଘରକୁ ନେଇ ଯାଇଥିଲେ। ୨୬ ତାରିଖ ଦିନ ଘରକୁ ଫେରିବାକୁ ଝରାଫୁଲଙ୍କ ମା’ ଫୋନ୍ କରିବାରୁ ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଚକ୍ରଧର ତାଙ୍କୁ ଆଣି ଜୟଦେବ ବିହାର ଛକରେ ଯଶୀପୁର ଯାଉଥିବା ଝାଡ଼େଶ୍ବର ବସ୍‌ରେ ବସାଇ ଦେଇଥିଲେ। ଅପରାହ୍ଣ ୫ଟା ବେଳେ ଚକ୍ରଧର ଫୋନ କରିବାରୁ ଝରାଫୁଲଙ୍କ ବାପା ରମାକାନ୍ତ କହିଥିଲେ ଯେ, ଝିଅ ୩ଟାରୁ ଘରେ ପହଞ୍ଚି ଯାଇଛି। ହେଲେ ତହିଁ ପରଦିନ ଅର୍ଥାତ ୨୭ ତାରିଖ ସକାଳେ ରମାକାନ୍ତ ଚକ୍ରଧରଙ୍କୁ ଫୋନ୍ କରି କହିଥିଲେ, ‘ସାର୍ ଗୋଟେ ବଡ଼ ଭୁଲ୍ ହୋଇଯାଇଛି। ପ୍ରକୃତରେ ଝିଅ କାଲିଠୁ ଘରକୁ ଫେରିନି। କାଳେ ଆପଣ ବ୍ୟସ୍ତ ହେବେ ବୋଲି ସେ ଫେରିଥିବା କଥା କହିଥିଲି।’ ଏହା ଶୁଣି ଚକ୍ରଧର ବିସ୍ମିତ ହୋଇ ଯାଇଥିଲେ। ଏହାର କିଛି ସମୟ ପରେ ରମାକାନ୍ତ ପୁଣିଥରେ ଫୋନ୍ କରି ‘ଝିଅ ଆଉ ନାହିଁ’ ବୋଲି ଜଣାଇଥିଲେ। ତେବେ ଝିଅ ଘରକୁ ଫେରି ନ ଥିଲେ ମଧ୍ୟ ମିଛରେ କାହିଁକି ରମାକାନ୍ତ ଏକଥା ଚକ୍ରଧରଙ୍କୁ କହିଥିଲେ ତାହା ଏଯାଏ ବୁଝିପାରୁ ନାହାନ୍ତି ଚକ୍ରଧର। ଏଣେ ଆଜି ରାକେଶ ପୁଲିସ‌ ନିକଟରେ ଆତ୍ମସମର୍ପଣ କରିବା ପରେ ଝରାଫୁଲ କେମିତି ବାଣୀବିହାରରେ ବସ୍‌ରୁ ଓହ୍ଲାଇ ଯାଇଥିଲା ଏବଂ ସେମାନେ କେମିତି ଗୋଟିଏ ‌ହୋଟେଲରେ ରାତି ବିତାଇଥିଲେ; ଖୋଦ୍ ରାକେଶ କହିବାରୁ ପୂରା ଘଟଣା ଅଧିକ ରହସ୍ୟମୟ ହୋଇଯାଇଛି।

ରାସ୍ତାକୁ ଓହ୍ଲାଇଲା ଛାତ୍ର ସଂଗଠନ
ରମାଦେବୀ ଛାତ୍ରୀ ଝରାଫୁଲଙ୍କୁ ଭୁବନେଶ୍ବରରୁ ନେଇ ଯାଜପୁରରେ ହତ୍ୟା କରି ରାସ୍ତାରେ ଫିଙ୍ଗି ଦେବା ଘଟଣାକୁ ନେଇ ଛାତ୍ର ସଂଗଠନଗୁଡ଼ିକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ରାସ୍ତାକୁ ଓହ୍ଲାଇଛନ୍ତି। ଛାତ୍ର ସଂଗଠନ ଏବିଭିପି କହିଛି ଏଭଳି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏତେବଡ଼ ଜଘନ୍ୟ କାଣ୍ଡ ଦିନ ଦ୍ବିପ୍ରହରରେ ଘଟିଥିଲେ ମଧ୍ୟ କେହି କେମିତି ଜାଣି ପାରିଲେ ନାହିଁ? ପୁଲିସର ବ୍ଲକିଂ-ଚେକିଂ ମଧ୍ୟ ଅଭିଯୁକ୍ତକୁ ଧରିପାରିଲା ନାହିଁ କେମିତି ବୋଲି ସଂଗଠନ ପ୍ରଶ୍ନ କରିଛି। ଅଭିଯୁକ୍ତକୁ ଧରି ଝରାଫୁଲଙ୍କୁ ନ୍ୟାୟ ଦେବା ଦାବିରେ ଏବିଭିପି ଆନ୍ଦୋଳନ ଆଜି ରାଜଧାନୀରେ ଧାରଣା ଦେଇଛି।

ଓଏଏସ୍ ପାଇଁ କରୁଥିଲେ ପ୍ରସ୍ତୁତି
ଝରାଫୁଲ ରମାଦେବୀ ବିଶ୍ବବିଦ୍ୟାଳୟରେ ଯୁକ୍ତ ତିନି ଦ୍ବିତୀୟ ବର୍ଷ(ଦର୍ଶନ ଶାସ୍ତ୍ର) ଛାତ୍ରୀ ଥିଲେ। ଭଲ ପାଠ ପଢ଼ୁଥିଲେ। ଚକ୍ରଧରଙ୍କ କହିବା ଅନୁଯାୟୀ ସେ ମୋ ଝିଅ ଭଳି ଥିଲା। ମୋ ପାଖରେ ୭/୮ ବର୍ଷ ପଢ଼ିଥିବାରୁ ଆମ ଘରକୁ ପ୍ରାୟ ସମୟରେ ଆସୁଥିଲା ଏବଂ ଘରପିଲା ଭଳି ରହୁଥିଲା। ସେ ଭଲ ପାଠ ମଧ୍ୟ ପଢ଼ୁଥିବାରୁ ଆଗକୁ ସେ ଯାହା ବି କରିବ, ଭଲ କରିବ ବୋଲି ସେ ଭାବିଥିଲେ। ବାପା ରମାକାନ୍ତଙ୍କ କହିବା ମୁତାବକ, ଝିଅ ଭଲ ପାଠ ପଢ଼ୁଥିଲା। ଏଣୁ ତା’ର ଚାହିଦା ମୁତାବକ ଖର୍ଚ୍ଚ କରିବାରେ ପରିବାର କେବେ ହେଳା କରିନାହିଁ। ସେ ଓଏଏସ୍ ଅଫିସର ହେବାକୁ ଚାହୁଥିଲା। ପାଠ ସହିତ ସେ ପ୍ରସ୍ତୁତି ଜାରି ରଖିଥିଲା। ଝିଅ ଯେତିକି ଉଚ୍ଚାଭିଳାଷୀ ଥିଲା ପରିବାର ମଧ୍ୟ ସେତିକି ଆଶାବାଦୀ ଥିଲା। ହେଲେ ପ୍ରେମରେ ପଡ଼ି ହତ୍ୟାକାଣ୍ଡର ଶିକାର ହେଲା ବୋଲି କ୍ଷୋଭ ଓ ଦୁଃଖର ସହ କହିଛନ୍ତି ବାପା ରମାକାନ୍ତ।

ସମ୍ବନ୍ଧିତ ଖବର