ରମାଦେବୀ ଛାତ୍ରୀଙ୍କ ଆନ୍ଦୋଳନ ତେଜିଲା: ରାସ୍ତାରେ ଜାଳିଲେ, କୁଳପତିଙ୍କୁ ଘେରିଲେ

କୁଳପତିଙ୍କ ଇସ୍ତଫା ଦାବି, ବିଜ୍ଞପ୍ତି ପ୍ରକାଶ କରି ଚୁପ୍‌ ବସିିଛି ଉଚ୍ଚଶିକ୍ଷା ବିଭାଗ, ଆନ୍ଦୋଳନ ଜାରି ରଖିବାକୁ ଛାତ୍ର ସଂସଦର ନିଷ୍ପତ୍ତି

ଭୁବନେଶ୍ୱର: ରମାଦେବୀ ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ବିଲୀନ ନିଷ୍ପତ୍ତି ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରୀ। ଗତକାଲି ମୁଖ୍ୟ ଫାଟକରେ ତାଲା ପକାଇ ଛାତ୍ରୀମାନେ ଆନ୍ଦୋଳନ କରିଥିବା ବେଳେ ଆଜି ରାସ୍ତା ଅବରୋଧ କରିଛନ୍ତି। ଟାୟାର ଜାଳି ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କୁଳପତିଙ୍କୁ ଘେରାଉ କରିଥିଲେ। ପ୍ରାୟ ୩ ଘଣ୍ଟା ଧରି ଛାତ୍ରୀଙ୍କ ଆନ୍ଦୋଳନ ଯୋଗୁଁ ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକ ରାସ୍ତାରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିଲା। ସ୍ଥିତି ଏପରି ହୋଇଥିଲା ଯେ ସାଧାରଣ ଲୋକଙ୍କୁ ବି ଯିବାକୁ ଦେଇ ନ ଥିଲେ ଛାତ୍ରୀ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା। ଛାତ୍ରୀଙ୍କ ଏକ ୫ ଜଣିଆ ପ୍ରତିନିଧିଦଳ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଦେଖା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ଗୋଟିଏ ପଟେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଘଟଣା ନେଇ ହାତ ଟେକିଦେଇଥିବା ବେଳେ ଉଚ୍ଚଶିକ୍ଷା ବିଭାଗ ଛାତ୍ରୀଙ୍କ ସମସ୍ୟାରୁ ମୁହଁ ମୋଡ଼ୁଛି। ତେଣୁ ଛାତ୍ରୀମାନଙ୍କ ଏହି ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରୀ ସଂସଦ ସଭାପତି ସୌଭାଗ୍ୟ ସୌମ୍ୟାଶ୍ରୀ ସାମଲ କହିଛନ୍ତି।

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଲାଗି ଜମି ଚିହ୍ନଟ ଓ ରମାଦେବୀ ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟର ସ୍ଥିତି ବଞ୍ଚାଇ ରଖିବା ଦାବିରେ ଗତକାଲିଠାରୁ ଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଦାବି ପୂରଣ ଦିଗରେ କେହି ବି ପଦକ୍ଷେପ ନେଲେନି। ଛାତ୍ରୀମାନେ କୁଳପତି ପ୍ରଫେସର ପଦ୍ମଜା ମିଶ୍ରଙ୍କୁ ଏ ସମ୍ପର୍କରେ ଅବଗତ କରିଥିଲେ ମଧ୍ୟ ସେ ବି ଚୁପ୍‌ ହୋଇ ବସିପଡ଼ିଲେ। ଫଳସ୍ୱରୂପ ଆଜି ଛାତ୍ରୀମାନେ ସିଧାସଳଖ ରାଜରାସ୍ତାକୁ ଡେଇଁଥିଲେ। ମଧ୍ୟାହ୍ନ ୧୨ଟାରେ ଯୁକ୍ତ୩ ଓ ପିଜି ଛାତ୍ରୀମାନେ ଏକାଠି ହୋଇ ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ୍‌ ରାସ୍ତା ଅବରୋଧ କରିଥିଲେ। ଟାୟାର ଜାଳି ବିକ୍ଷୋଭ କରିଥିଲେ। ଯାତାୟତ ବ୍ୟାହତ ହେବା ସହ ଲୋକଙ୍କୁ ହଟହଟା ହେବାକୁ ପଡ଼ିଥିଲା। ଛାତ୍ରୀମାନେ ଆନ୍ଦୋଳନ ଚଲାଇଥବା ବେଳେ ଜଣେ ବ୍ୟକ୍ତି ଜୋରଜବରଦସ୍ତ ନିଜ କାର୍‌ ନେଇ ଯିବାକୁ ଉଦ୍ୟମ କରିବାକୁ ଉତ୍ତେଜନା ସୃଷ୍ଟି ହୋଇଥିଲା। କାର କାଚ ଭାଙ୍ଗିବାକୁ ଛାତ୍ରୀମାନେ ଉଦ୍ୟମ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସମ୍ପୃକ୍ତ କାର୍‌ ଚାଳକ ପଛଘୁଞ୍ଚା ଦେବା ସହ ସ୍ଥାନ ଛାଡ଼ି ପଳାଇଥିଲେ। ଛାତ୍ରୀମାନେ ରାସ୍ତାରେ ଆନ୍ଦୋଳନ କରୁଥିବା ବେଳେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଚୁପ୍‌ ହୋଇ ବସି ପଡ଼ିଥିଲେ। ସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିଥିଲା। ଛାତ୍ରୀଙ୍କର ଏକ ୫ ଜଣିଆ ପ୍ରତିନିଧିଦଳ ଉଚ୍ଚଶିକ୍ଷା ବିଭାଗ ଅଧିକାରୀଙ୍କୁ ଭେଟିବାକୁ ପଠାଇଥିଲା। ପ୍ରାୟ ୩୦ ମିନିଟ୍‌ ଧରି ସେମାନେ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଏହି ସମୟରେ ବିଶ୍ୱବିଦ୍ୟାଳୟ ପରିସରରେ ଥିବା କୁଳପତି ପ୍ରଫେସର ମିଶ୍ର ନିଜ କାରରେ ଯିବାକୁ ଉଦ୍ୟମ କରିବାରୁ ଉତ୍ତେଜନା ପରିସ୍ଥିତି ଉପୁଜିଥିଲା। କାର୍‌କୁ ଘେରି ରହିଥିଲେ। ଯେଉଁଥିପାଇଁ କୁଳପତିଙ୍କୁ ହଟହଟା ହେବାକୁ ପଡ଼ିଥିଲା। ପୁଲିସ ପହଞ୍ଚି ବୁଝାଇବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା।

କୁଳପତି ପ୍ରଫେସର ମିଶ୍ର କହିଛନ୍ତି ଯେ ଛାତ୍ରୀଙ୍କ ଦାବି ଉପରେ ଆମେ କିଛି ବି କରିପାରିବୁନି। ସରକାରଙ୍କୁ ଅବଗତ କରାଯାଇଛି। ଛାତ୍ରୀଙ୍କ ଏକ ପ୍ରତିନିଧିଦଳକୁ ସଚିବାଳୟ ପଠାଯାଇଛି। ସେମାନେ ଆଲୋଚନା କରିବେ। ଦ୍ୱିତୀୟ କ୍ୟାମ୍ପସ ନେଇ ରାଜ୍ୟ ସରକାରଙ୍କୁ ଦୁଇଟି ପ୍ରସ୍ତାବ ଦିଆଯାଇଛି। ଯେତେଶୀଘ୍ର ସମ୍ଭବ ସେମାନେ ଜାଗା ଚିହ୍ନଟ କରି ଦେବାକୁ ଅନୁରୋଧ କରାଯାଇଛି। କୁଳପତିଙ୍କ ମତ ପରେ ଛାତ୍ରୀମାନେ କହିଛନ୍ତି ଯେ ସ୍ୱୟଂଶାସିତ କଲେଜକୁ ବିଲୀନ କରିବା ପଛରେ କୁଳପତିଙ୍କ ଷଡ଼ଯନ୍ତ୍ର ରହିଛି। ସେ ତୁରନ୍ତ ଇସ୍ତଫା ଦିଅନ୍ତୁ। ନ ହେଲେ ବ୍ୟାପକ ଆନ୍ଦୋଳନ କରାଯିବ। ସ୍ୱୟଂଶାସିତ କଲେଜ ନ ରହିଲେ ଯୁକ୍ତ୩ ପିଲାମାନେ ହଇରାଣ ହେବେ। କଲେଜରେ ଥିବା ଶିକ୍ଷକ ଓ ଅଣଶିକ୍ଷକ ପଦବି ଉଚ୍ଛେଦ ହୋଇଥିବାରୁ ପାଠପଢ଼ା ବାଧାପ୍ର୍ରାପ୍ତ ହେଉଛି। ଦ୍ୱିତୀୟ କ୍ୟାମ୍ପସ ଆଜି ପର୍ଯ୍ୟନ୍ତ ଚୟନ ହୋଇପାରୁ ନ ଥିବାରୁ ଗୋଟିଏ କ୍ୟାମ୍ପସରେ ୩ଟି ଶିକ୍ଷାନୁଷ୍ଠାନ ଚାଲିପାରୁନି। କୁଳପତି ଜମି ଚିହ୍ନଟ କମିଟିର ଅଧ୍ୟକ୍ଷ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଜମି ନ ମିଳିବା ଦୁଃଖର ବିଷୟ। ଆମେ ଯଦି ଉଚ୍ଚଶିକ୍ଷା ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିବୁ କୁଳପତି ନିଜ ପଦବିରେ ରହିବାର କୌଣସି ବି ଆବଶ୍ୟକତା ନାହିଁ। ତୁରନ୍ତ ପଦବି ଛାଡ଼ି ଚାଲିଯାଆନ୍ତୁ।

ସମ୍ବନ୍ଧିତ ଖବର