ଏବେ ବି ରହସ୍ୟ ଘେରରେ ରମାଦେବୀ ଛାତ୍ରୀ ମୃତ୍ୟୁ ମାମଲା : ଝରାଫୁଲଙ୍କୁ ଝୁରୁଛି ରମାଦେବୀ

ଗେଷ୍ଟହାଉସ୍‌ରେ କ’ଣ ଘଟିଥିଲା? କେଉଁଠି ଲୁଚିଛି ସହଯୋଗୀ ଶେଖର?

ଭୁବନେଶ୍ବର : ୨୬ ତାରିଖ ରାତିରେ ରାଜଧାନୀର ଧର୍ମବିହାର ସ୍ଥିତ ଓୟୋ ଶିବସାଇ ଗେଷ୍ଟହାଉସ୍‌ରେ କ’ଣ ଘଟିଥିଲା? ରମାଦେବୀ ଛାତ୍ରୀ ଝରାଫୁଲ ନାୟକ ତାଙ୍କ ପ୍ରେମିକ ରାକେଶ ସ୍ବାଇଁଙ୍କ ଗୋଟିଏ ରୁମ୍‌ରେ ରାତ୍ରିଯାପନ କରିଥିବାବେଳେ ଦୁହେଁ ସହମତିରେ ଶାରୀରିକ ସଂପର୍କ ରଖିଥିଲେ ନା ରାକେଶ ତାଙ୍କ ସହ ଜୋରଜବରଦସ୍ତ କରିଥିଲେ? କେମିତି ହେଲା ଝରାଫୁଲଙ୍କ ମୃତ୍ୟୁ? ରାକେଶ ତାଙ୍କୁ ଜାଣିଶୁଣି ହତ୍ୟା କରିଛି ନା ଫୁଡ୍‌ ପଏଜନ୍‌ରୁ ଅସ୍ବାଭାବାବିକ ଭାବେ ତାଙ୍କର ମୃତ୍ୟୁ ହୋଇଯାଇଥିଲା? ମୃତ୍ୟୁ ପରେ ବି ସେ କାହିଁକି ମୃତଦେହକୁ ସ୍କୁଟିରେ ବସାଇ ଡାକ୍ତରଖାନା ନେବାକୁ ବାହାରିଥିଲା? ଏବେ ଏଇ ସବୁ ପ୍ରଶ୍ନର ଉତ୍ତର ଖୋଜୁଛି ତଦନ୍ତକାରୀ ପୁଲିସ। କାରଣ ଏସବୁ ପ୍ରଶ୍ନର ଠିକ୍ ଉତ୍ତର ମିଳିଲେ ହିଁ ଝରାଫୁଲର ମୃତ୍ୟୁ ରହସ୍ୟ ଉପରୁ ପର୍ଦ୍ଦା ଉନ୍ମୋଚିତ ହୋଇପାରିବ।

ଅନ୍ୟପକ୍ଷରେ ଗୁରୁବାର ରାତିରେ ମୁଖ୍ୟ ଅଭିଯୁକ୍ତ ରାକେଶ ଏଆରଫିଲ୍‌ଡ ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ତା’ର ସହଯୋଗୀ ଶେଖର ଏବେ କେଉଁଠି ଅଛି, ତାହା ପୁଲିସ ଏ ପର୍ଯ୍ୟନ୍ତ ପତ୍ତା ଲଗାଇ ପାରିନାହିଁ। ସେ ଭୁବନେଶ୍ବରରେ ଲୁଚିଛି ନା ଅନ୍ୟ କେଉଁ ଜିଲ୍ଲା ବା ରାଜ୍ୟ ବାହାରକୁ ପଳାଇଛି ତାହା ଜାଣିବା ପୁଲିସ ପାଇଁ ଚାଲେଞ୍ଜ ହୋଇ ପଡ଼ିଛି। ରାକେଶର ବୟାନ ପୁଲିସ ପାଇଁ ବଡ଼ ପ୍ରମାଣ ହେବ ବୋଲି କୁହାଯାଉଛି।

ସେହିପରି ଝରାଫୁଲର ମୃତଦେହକୁ ଫିଙ୍ଗିବା ଲାଗି ଯେଉଁ ନାଲି ରଙ୍ଗର ସ୍କୁଟି ବ୍ୟବହାର କରା ଯାଇଥିଲା ତାହା ଏବେ କେଉଁଠି ଅଛି ତାହା ମଧ୍ୟ ପୁଲିସ ଜାଣିପାରି ନାହିଁ। ରାକେଶ ଓ ଶେଖର ଗେଷ୍ଟହାଉସରୁ ଝରାଫୁଲଙ୍କୁ ଯେଉଁଭଳି ଅବସ୍ଥାରେ ସ୍କୁଟିରେ ବସାଇ ନେଇଥିଲେ, ତାହା ଦେଖି ଗେଷ୍ଟହାଉସ୍‌ କର୍ମଚାରୀ କାହିଁକି ସନ୍ଦେହ କରି ନ ଥିଲେ କିମ୍ବା ପୁଲିସକୁ ଜଣାଇ ନ ଥିଲେ? ରାକେଶ ଓ ଝରାଫୁଲ ସେଠାରେ ଥିବା ସମୟରେ ରାତିରେ ସେଠାକୁ ଆଉ କିଏ ଯାଇଥିଲେ କି? ଏଭଳି ଏକାଧିକ ପ୍ରଶ୍ନର ଉତ୍ତର ଏବେ ଅସମାହିତ ହୋଇ ରହିଛି। ଗେଷ୍ଟ ହାଉସ୍ କର୍ମଚାରୀଙ୍କୁ ପୁଲିସ ତଦନ୍ତ ପରିସରକୁ ନେଲେ ଘଟଣା ସମ୍ପର୍କରେ ଆହୁରି ଅଧିକ ତଥ୍ୟ ମିଳିପାରିବ ବୋଲି କୁହାଯାଉଛି। ଏ ସମ୍ପର୍କରେ ଗେଷ୍ଟହାଉସ ଚଳାଉଥିବା କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି।

ଯୁବତୀଙ୍କୁ ପ୍ରେମ ଜାଲ‌ରେ ଫସାଉଥିଲା ରାକେଶ
ଝରାଫୁଲର ମୃତ୍ୟୁକୁ ନେଇ ରାକେଶ ପୁଲିସକୁ ଯେଉଁ ବୟାନ ଦେଇଛି, ତା’କୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ପାଇପ୍ ସୁପରଭାଇଜର ଭାବେ କାମ କରୁଥିବା ରାକେଶ ଜଣେ ରଙ୍ଗିଲା ମିଜାଜର ଯୁବକ। ରୋମିଓ ଭଳି ସେ ବିଭିନ୍ନ ସମୟରେ ବିଭିନ୍ନ ଉପାୟରେ ସୁନ୍ଦରୀ ଯୁବତୀମାନଙ୍କୁ ପ୍ରେମଜାଲରେ ଫସାଉଥିଲା ଏବଂ ଶରୀରିକ ସଂପର୍କ ମଧ୍ୟ ରଖୁଥିଲା। ରାକେଶର ତିନୋଟି ଫେସ୍‌ବୁକ୍‌ ଆକାଉଣ୍ଟକୁ ପୁଲିସ ଠାବ କରିଥିବାବେଳେ ପୂର୍ବରୁ ସେ ଆଉ କେଉଁ ଯୁବତୀଙ୍କୁ ଫସାଇଥିଲା, ତାହା ଯାଞ୍ଚ କରୁଛି। ତେବେ ଝରାଫୁଲର ଶବକୁ ଭୁବନେଶ୍ବରରୁ ଏକ ସ୍କୁଟିରେ ଏତେବାଟ ଆଣିବା କିପରି ସମ୍ଭବ ହେଲା ବୋଲି ପ୍ରଶ୍ନ ଉଠୁଛି। ତେବେ ଶବକୁ ନେଉଥିବା ସ୍କୁଟି ପଛେପଛେ ଏକ ଇନୋଭା କାର୍ ଯାଉଥିବା କିଛି ଲୋକ ଦେଖିଥିବା ଶୁଣିବାକୁ ମିଳୁଛି। ତେଣୁ ଏହି ଘଟଣାରେ ଆହୁରି ଅନେକଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। ଏହାଛଡ଼ା ରାକେଶର ସହଯୋଗୀ ଏବଂ ଶବ ବୋହିବା ପାଇଁ ବ୍ୟବହୃତ ସ୍କୁଟର ଏବେ କେଉଁଠି ବୋଲି ପ୍ରଶ୍ନ ଉଠୁଛି।

ରାଜଧାନୀରେ ବୁଲିଥି‌ଲେ, ବିରିୟା‌ନି ଖାଇଥି‌ଲେ
ଝରାଫୁଲ ମୃତ୍ୟୁ ମାମଲାର ଖୋଳତାଡ଼ ଚାଲିଥିବା ବେଳେ ଧୀରେ ଧୀରେ ବହୁ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିବାରେ ଲାଗିଛି। ପୁଲିସକୁ ରାକେଶ ଦେଇଥିବା ତଥ୍ୟ ଓ ମିଳିଥିବା ସୂଚନା ଅନୁସାରେ, ୨୬ ତାରିଖ ଦିନ ୧୧ଟାରୁ ୧୧ଟା ୧୦ ଭିତରେ ଝରାଫୁଲ ଯଶିପୁର ଯିବା ପାଇଁ ଜୟଦେବ ବିହାରରେ ଝାଡ଼େଶ୍ବର ବସ୍‌ରେ ଚଢ଼ିଥିଲେ। ପ୍ରାୟ ୫ ମିନିଟ ପରେ ବସ୍‌ଟି ବାଣୀବିହାର-ସତସଙ୍ଗବିହାର ନିକଟରେ ଅଟକି ଥିବାବେଳେ ଝରାଫୁଲ ବସ୍‌ରୁ ଓହ୍ଲାଇ ଯାଇଥିଲେ। ଏହାପରେ ସେଠାରୁ ରୂପାଲି ଛକ ନିକଟକୁ ଚାଲି ଆସିଥିଲେ। କିଛି ସମୟ ଅପେକ୍ଷା କରିବା ପରେ ପ୍ରେମିକ ରାକେଶ ସ୍କୁଟି ଧରି ସେଠାରେ ପହଞ୍ଚିଥିଲା। ଏହାପରେ ଉଭୟ ପୋଖରୀପୁଟ ଯାଇଥିଲେ। ସେଠାରେ ଏକ ରେସ୍ତୋରାଁରେ ବିରିୟାନି ଖାଇଥିଲେ। ଏହାପରେ କିଛି ସମୟ ବୁଲାବୁଲି କରି ଅପରାହ୍ନରେ ସିଧା ଯାଇ ପହଞ୍ଚିଥିଲେ ଧର୍ମବିହାରରେ ଥିବା ଶିବସାଇ ଓୟୋ ଗେଷ୍ଟହାଉସରେ। ଉଭୟ ପରିଚୟପତ୍ର ଭାବେ ଆଧାର କାର୍ଡ ଦେଇ ସେଠାରେ ଗୋଟିଏ ରୁମ୍‌ରେ ରାତିରେ ରହିଥିଲେ।

ସିସିଟିଭିରେ ସ୍କୁଟିରେ ନେବା ବେଳର ଦୃଶ୍ୟ
୨୭ ତାରିଖ ସକାଳ ପ୍ରାୟ ୬ଟାରେ ରାକେଶ ଗେଷ୍ଟ ହାଉସରୁ ବାହାରି ଯାଇଥିଲା। ଆଉ ୭ଟାରେ ରାକେଶ ସହଯୋଗୀ ଶେଖରକୁ ଧରି ଗେଷ୍ଟହାଉସରେ ପହଞ୍ଚିଥିଲା। ୭ଟା ୨୧ରେ ରାକେଶ ଓ ଶେଖର ଝରାଫୁଲର ମୃତଦେହକୁ ଏକ ନାଲି ରଙ୍ଗର ସ୍କୁଟିରେ ନେଇ ଯାଉଥିବା ଧର୍ମବିହାରର ସେହି ଗେଷ୍ଟହାଉସ ନିକଟରେ ଲାଗିଥିବା ସିସିଟିଭିରେ ଏ ଦୃଶ୍ୟ କଏଦ ହୋଇ ରହିଛି। ସ୍ଥାନୀୟ ଲୋକ ଏହାକୁ ଦେଖି ସନ୍ଦେହ ମଧ୍ୟ ପ୍ରକାଶ କରିଥିଲେ। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଜଣେ ଯୁବତୀଙ୍କୁ ଏପରି ଅବସ୍ଥାରେ ଦୁଇ ଜଣ ଯୁବକ ଗାଡ଼ିରେ ବସାଇ ନେଉଥିଲେ। ତେବେ ସେମାନେ ଦ୍ରୁତ ଗତିରେ ସେଠାରୁ ପଳାଇଯିବାରୁ ସନ୍ଦେହ ହୋଇଥିଲେ ମଧ୍ୟ ସେମାନଙ୍କୁ ଅଟକାଇ ପାରି ନ ଥିଲେ।

ଝରାଫୁଲଙ୍କ ଗୋଡ଼ ତଳେ ଘୋଷଡ଼ୁଥିଲା
ରାକେଶ ପୁଲିସ ନିକଟରେ ଦେଇଥିବା ବୟାନ ଅନୁସାରେ, ସେମାନେ ଝରାଫୁଲକୁ ସ୍କୁଟିରେ ନେଇ ସିଧା ମୟୂରଭଞ୍ଜର ଯଶିପୁର ଅଭିମୁଖେ ଯାଉଥିଲେ। ତେବେ କୁଆଖିଆ ନିକଟରେ ଝରାଫୁଲଙ୍କ ଗୋଡ଼ ତଳେ ଘୋଷଡ଼ୁଥିବା ଜଣେ କାର୍‌ ଚାଳକ ସେମାନଙ୍କୁ କହିଥିଲେ। ତେଣୁ ମୃତଦେହକୁ ଆଉ ଅଧିକ ବାଟ ନେବା କଷ୍ଟକର ଭାବି ନିକଟରେ ମୃତଦେହକୁ ଫିଙ୍ଗି ଦେଇଥିଲେ। ସେତେବେଳକୁ ସକାଳ ୯ଟା ୪୫ ହୋଇଥିଲା। ଏହା ପରେ ଦୁଇ ଜଣ ଯାକ ଭୁବନେଶ୍ବର ଫେରି ଆସିଥିଲେ। ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବ‌ା ପରେ ଧରା ପଡ଼ିଯିବା ଭୟରେ ସେମାନେ ଆତ୍ମଗୋପନ କରିଥିଲେ। ତେବେ ପରେ ଏହି ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହେବାରୁ ରାକେଶ ଗୁରୁବାର ରାତିରେ ଏୟାରଫିଲ୍ଡ ଥାନାରେ ଆତ୍ମସମର୍ପଣ କରିଥିଲା।

କୁଆଖିଆ ଘଟଣାସ୍ଥଳ ପରିଦର୍ଶନ କଲେ ମହିଳା କମିସନ ଅଧ୍ୟକ୍ଷା
ଝରାଫୁଲ ମୃତ୍ୟୁ ମାମଲାରେ ରାଜ୍ୟ ମହିଳା କମିସନ ମଧ୍ୟ ହସ୍ତକ୍ଷେପ କରିଛନ୍ତି। ଆଜି ସକାଳେ ମହିଳା କମିସନ ଅଧକ୍ଷା ମିନତି ବେହେରା ଝରାଫୁଲଙ୍କ ମୃତଦେହ ପଡ଼ିଥିବା କୁଆଖିଆ ଥାନା ଅନ୍ତର୍ଗତ ଦିଆଲଖଣ୍ତ ପାଖ ରାସ୍ତାକଡ଼ରେ ପହଞ୍ଚିଥିଲେ। ଏହି ଘଟଣାରେ ପୁଲିସର ତଦନ୍ତ ପ୍ରକ୍ରିୟା ଠିକ୍ ରହିଥିବା କହିବା ସହିତ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବା ଏବଂ ହତ୍ୟା ରହସ୍ୟ ଉନ୍ମୋଚନ ପାଇଁ ଏସ୍‌ପିଙ୍କ ସହ ସେ ଆଲୋଚନା କରିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର