ଭୁବନେଶ୍ବର: ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଅଶାନ୍ତ ହୋଇଛି। ଏନେଇ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। କାରଣ ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ସମୟରେ ଏକାଧିକ ଥର ଗଣ୍ଡଗୋଳ ହୋଇଛି। କାର୍‌ରେ ପେଟ୍ରୋଲ ଢାଳି ନିଆଁ ଲଗାଯିବା ପରି ଘଟଣା ଗୋଟିଏ ସମୟରେ ରାଜ୍ୟରେ ଚର୍ଚ୍ଚାର ପରିସରରେ ଥିଲା। ତେଣୁ ଏଥର ଛାତ୍ର ସଂସଦ ନିର୍ବାଚନ ବିଜ୍ଞପ୍ତି ପୂର୍ବରୁ କ୍ୟାମ୍ପସ୍‌ରେ ପୁଲିସ ଆଉଟ୍‌ ପୋଷ୍ଟ ପ୍ରତିଷ୍ଠା କରିବାକୁ ଛାତ୍ରୀମାନେ ଦାବି କରିଛନ୍ତି। ଭୁବନେଶ୍ବର ଡିପିପିଙ୍କ ଉଦ୍ଦେଶ୍ୟରେ ଛାତ୍ରୀମାନେ ଆଜି ପ୍ରଦାନ କରିଥିବା ଦାବିପତ୍ରରେ ଦର୍ଶାଇଛନ୍ତି ଯେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ରାଜ୍ୟର ଏକମାତ୍ର ବିଶ୍ବବିଦ୍ୟାଳୟ,ଯେଉଁଠାରେ ୬ ହଜାରରୁ ଅଧିକ ଛାତ୍ରୀ ଶିକ୍ଷାଗ୍ରହଣ କରୁଛନ୍ତି। ମହିଳା ଅଧ୍ୟାପିକା ଓ କର୍ମଚାରୀମାନେ ମଧ୍ୟ ରହୁଛନ୍ତି। ମାତ୍ର ଏବେ ସେମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ନୁହନ୍ତି। ପ୍ରତିଦିନ କିଛି ଅସାମାଜିକ ଯୁବକ ବାଇକ୍‌ ଚଲାଇ କ୍ୟାମ୍ପସ୍‌ ଆଗରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି। ବର୍ତ୍ତମାନ ମହିଳାଙ୍କ ଉପରେ ହେଉଥିବା ଆକ୍ରମଣ ପରିପ୍ରେକ୍ଷୀରେ ଆମେ ନିଜକୁ ଅସୁରକ୍ଷିତ ମଣୁଛୁ। ସେଭଳି କିଛି ଅଘଟଣ ପୂର୍ବରୁ କ୍ୟାମ୍ପସ୍‌ ବାହାରେ ଏକ ଆଉଟ୍‌ପୋଷ୍ଟ ନିର୍ମାଣ କରାଯାଇ ପୁଲିସ ମୂତୟନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି।

Advertisment