ରମାଦେବୀ ବିଶ୍ବବିଦ୍ୟାଳୟରୁ ଅଲଗା ହେବ ଯୁକ୍ତ୨

ୟୁନିଟ୍-୯ ବାଳିକା ଉଚ୍ଚ ବିଦ୍ୟାଳୟରେ ଜମି ଚିହ୍ନଟ, ୩ ଏକରରେ ୨ ଶିକ୍ଷାନୁଷ୍ଠାନ, ୩ ବର୍ଷରେ ସରିବ କାମ

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରୁ ଅଲଗା ହେବ ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)। ଭୁବନେଶ୍ବରସ୍ଥିତ ୟୁନିଟ-୯ ବାଳିକା ଉଚ୍ଚ ବିଦ୍ୟାଳୟ କ୍ୟାମ୍ପସକୁ ରମାଦେବୀ ଯୁକ୍ତ୨ କଲେଜ ସ୍ଥାନାନ୍ତର କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଏନେଇ ପ୍ରାରମ୍ଭିକ ଆଲୋଚନା କରାଯିବା ସହ ପ୍ରସ୍ତାବ ଗୃହୀତ ହୋଇଛି। ଖୁବ୍‌ଶୀଘ୍ର ଆଉ ଏକ ବୈଠକ ବସି ଚୂଡ଼ାନ୍ତ ମୋହର ଲଗାଯିବ ବୋଲି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପଦ୍ମଜା ମିଶ୍ର ସୂଚନା ଦେଇଛନ୍ତି।

କୁଳପତି ପ୍ରଫେସର ମିଶ୍ର ସ୍ପଷ୍ଟ କରିଛନ୍ତି ଯେ, ୟୁନିଟ-୯ ବାଳିକା ଉଚ୍ଚ ବିଦ୍ୟାଳୟ ଏବେ ୩ ଏକର ପରିମିତ ସ୍ଥାନରେ ରହିଛି। ବିଦ୍ୟାଳୟ କୋଠା ଓ ଖେଳ ପଡ଼ିଆ ବ୍ୟତୀତ ଆହୁରି ଅନେକ ଜାଗା ବଳକା ରହିଛି। ଯେଉଁଠାରେ ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କ୍ୟାମ୍ପସ ହୋଇପାରିବ। ଗତ ଶନିବାର ବସିଥିବା‌ ବୈଠକରେ ଏନେଇ ଆଲୋଚନା କରାଯାଇଛି। ଜମି ଚିହ୍ନଟ ସରିବା ପରେ ବିଲ୍ଡିଂ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ସମସ୍ତ ପ୍ରକ୍ରିୟା ଶେଷ ହେବାକୁ ପ୍ରାୟ ତିନି ବର୍ଷ ଲାଗିଯିବ। ଏହାଦ୍ବାରା ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ୪ଟି ଶିକ୍ଷାନୁଷ୍ଠାନ ଚାଲିବା ନେଇ ଯେଉଁ ସମସ୍ୟା ହେଉଥିଲା ତାହା କିଛି ମାତ୍ରାରେ ଦୂର ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଯୁକ୍ତ୨ କଲେଜ ଏବେ ଗଣଶିକ୍ଷା ବିଭାଗ ଅଧୀନକୁ ଆସିଥିବାରୁ ଆଉ କୌଣସି ଅସୁବିଧା ହେବନାହିଁ। ବାଳିକା ଉଚ୍ଚ ବିଦ୍ୟାଳୟ ବିଲଡିଂ ବ୍ୟତୀତ ଏହାର ଆଗ ଓ ପଛ ପାର୍ଶ୍ବରେ ବହୁ ଜମି ଖାଲି ପଡ଼ିଛି। ସମ୍ମୁଖ ଭାଗକୁ ସୌନ୍ଦର୍ଯ୍ୟକରଣ କରାଯାଇଛି। ପଛ ପାର୍ଶ୍ବରେ ଖେଳ ପଡ଼ିଆ ରହିଛି। ତିନି ଏକର ପରିମିତ ଜମିରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ଯୁକ୍ତ୨ କଲେଜ ପାଇଁ ଅତିବେଶିରେ ଦେଢ଼ରୁ ଦୁଇ ଏକର ଜମିର ଆବଶ୍ୟକ ପଡ଼ିବ। ତେଣୁ ଉଚ୍ଚ ବିଦ୍ୟାଳୟ କୋଠା ନିକଟରେ ଯୁକ୍ତ୨ କଲେଜ ବିଲଡିଂ କରିବାକୁ ନିଷ୍ପତ୍ତି ହୋଇଛି। ‌ଦୁଇଟି ଯାକ ଶିକ୍ଷାନୁଷ୍ଠାନ ଲାଗି ଗୋଟିଏ ଖେଳ ପଡ଼ିଆ ରହିବ। ବିଶ୍ବବିଦ୍ୟାଳୟରୁ ହଷ୍ଟେଲ ଅଲଗା ହେବା ନେଇ ପରବର୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ଅଧିକାରୀ ଜଣକ କହିଛନ୍ତି।

ଅନ୍ୟପକ୍ଷ‌ରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇପାରିନି। ଗୋଠପାଟଣାରେ ଚିହ୍ନଟ ହୋଇଥିବା ୩୦ ଏକର ଜମି‌ରେ ଦ୍ବିତୀୟ କ୍ୟାମ୍ପସ ହେବ ନା ଆଉ କେଉଁଠି କରାଯିବ ସେନେଇ ନିଷ୍ପତ୍ତି ଝୁଲିରହିଛି। କିଛି ଦିନ ତଳେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖାଯାଇ ସମନ୍ବୟ ବୈଠକ ଡାକିବାକୁ କୁହାଯାଇଥିଲା। ତେବେ ଏପର୍ଯ୍ୟନ୍ତ ବୈଠକ ବସିପାରିନି। କୁଳପତି ପ୍ରଫେସର ମିଶ୍ର ‘ସମ୍ବାଦ’କୁ କହିଛନ୍ତି ଯେ, ସମସ୍ତ ଅଧିକାରୀମାନେ ଏକାଠି ହେଉ ନଥିବାରୁ ବୈଠକ ବସିବାରେ ବିଳମ୍ବ ହେଉଛି। ଗୋଠପାଟଣାରେ ଚିହ୍ନଟ ହୋଇଥିବା ଜମି ବିଶ୍ବବିଦ୍ୟାଳୟଠାରୁ କମ୍‌ ଦୂରରେ ରହିଛି। ଏହାଠାରୁ ଆଉ କମ୍‌ ଦୂରତାରେ କୌଣସି ଜମି ଏପର୍ଯ୍ୟନ୍ତ ଚିହ୍ନଟ ହୋଇପାରିନି। ଛାତ୍ରୀଙ୍କ ସୁବିଧା ଓ କ୍ୟାମ୍ପସର ସୁରକ୍ଷା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। ଯଦି ଗୋଠପାଟଣାଠାରୁ ଆଉ କୌଣସି ଭଲ ଜମି ମିଳିବ ତେବେ ସେଠାରେ ଦ୍ବିତୀୟ କ୍ୟାମ୍ପସ କରାଯିବ। ଆସନ୍ତା ସପ୍ତାହରେ ଏନେଇ ବୈଠକ ଡକାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର