ରମାଦେବୀ ବିଶ୍ବବିଦ୍ୟାଳୟ ପକ୍ଷରୁ ରେଣୁ ସ୍ବରୂପଙ୍କୁ ସମ୍ମାନସୂଚକ ଡିଏସ୍‌ସି

ଭୁବନେଶ୍ବର: ଆଧୁନିକ ବିଜ୍ଞାନ ଓ ବୈଷୟିକ କୌଶଳ ମାନବ ସଭ୍ୟତାର ଅଗ୍ରଗତିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଲୋକଙ୍କ ବହୁବିଧ ଅଭୀପ୍ସା, ଆକାଂକ୍ଷା ଓ ଅଭିଳାଷ ପୂରଣରେ ସଫଳ ହୋଇଛି। ବିଜ୍ଞାନର ମାନବୀୟ ରୂପର ବ୍ୟାପକ ପ୍ରୟୋଗ ଓ ଉପସ୍ଥାପନ ଏକାନ୍ତ ଆବଶ୍ୟକ। ଆଧୁନିକ ବିଜ୍ଞାନ ସହ ପାରମ୍ପରିକ ଜ୍ଞାନର କ୍ରିୟାଶୀଳ ସମନ୍ବୟ ଉପରେ ରାଜ୍ୟପାଳ ତଥା ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କୁଳାଧିପତି ପ୍ରଫେସର ଗଣେଶୀ ଲାଲ ଗୁରୁତ୍ବାରୋପ କରିଛନ୍ତି। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପକ୍ଷରୁ ବିଶିଷ୍ଟ ବୈଜ୍ଞାନିକ ତଥା କେନ୍ଦ୍ର ସରକାରଙ୍କ ବା‌ୟୋଟେକ୍ନୋଲୋଜି ବିଭାଗ ସଚିବ ଡ. ରେଣୁ ସ୍ବରୂପଙ୍କୁ ସମ୍ମାନସୂଚକ ଡିଏସ୍‌ସି ଡିଗ୍ରି ପ୍ରଦାନ କରିବା ଆବସରରେ ପ୍ରଫେସର ଲାଲ୍‌ ଏହା କହିଛନ୍ତି। ଡିଗ୍ରି ଗ୍ରହଣ କରିବା ଅବସରରେ ଡ. ସ୍ବରୂପ କହିଲେ ଏହି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରି ରାଜ୍ୟ ସରକାର ନାରୀ ଶିକ୍ଷା ଉପରେ ଯଥେଷ୍ଟ ଗୁରୁତ୍ବ ଦେଇଛନ୍ତି। ବିଜ୍ଞାନ, ଶିକ୍ଷା, ନେତୃତ୍ବ ଆଦି ପ୍ରତ୍ୟେକ କ୍ଷେତ୍ରରେ ନାରୀମାନଙ୍କ ଉପସ୍ଥିତି କମ୍‌ ରହିଛି। ଏହି ଅଭାବ ଦୂର କରିବା କ୍ଷେତ୍ରରେ ବିଶ୍ବବିଦ୍ୟାଳୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ଅଧିକ ସଂଖ୍ୟାରେ ନାରୀମାନେ ବିଜ୍ଞାନ ଓ କାରିଗରୀ ବିଦ୍ୟାରେ ଯୋଗ ଦେବା ଉଚିତ୍‌। ଏହି ବିଶ୍ବବିଦ୍ୟାଳୟ ପୂର୍ବ ଭାରତର ନେତୃତ୍ବ ନେବାକୁ ସେ ଆହ୍ବାନ ଦେଇଥିଲେ। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପଦ୍ମଜା ମିଶ୍ର କହିଲେ, ୪ ବର୍ଷର ଏହି ଶିକ୍ଷାନୁଷ୍ଠାନ ଓଡ଼ିଶାର ଶିକ୍ଷା ମାନଚିତ୍ରରେ ନିଜର ଉପସ୍ଥିତି ଜାହିର କରିପାରିଛି। ନାରୀ ଶିକ୍ଷାର ଅଗ୍ରଗତି ଦିଗରେ ବିଶ୍ବବିଦ୍ୟାଳୟ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ କୁଳସଚିବ ଇତିଶ୍ରୀ ଦାସ ସ୍ବାଗତ ଭାଷଣ ଦେଇଥିଲେ।

ସମ୍ବନ୍ଧିତ ଖବର