ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ: ବିନା ପିଲାରେ ସାର୍ଟିଫିକେଟ୍‌ ବଣ୍ଟା

ଅଧ୍ୟକ୍ଷଙ୍କୁ ସାର୍ଟିଫିକେଟ୍‌ ହସ୍ତାନ୍ତର କଲେ କୁଳପତି, ସମାବର୍ତ୍ତନ ଉତ୍ସବ କଟକଣା ହଟିବ କେବେ?

ଭୁବନେଶ୍ୱର: କରୋନା କମିଲାଣି। ଶିକ୍ଷାନୁଷ୍ଠାନରେ ବସନ୍ତ ଉତ୍ସବ ପାଳନ ହେଉଛି। ଛାତ୍ରଛାତ୍ରୀ ଏକାଠି ହୋଇ ନାଚୁଛନ୍ତି, ଗାଉଛନ୍ତି। ଅଣଛାତ୍ର ବି କ୍ୟାମ୍ପସରେ ପ୍ରବେଶ କରୁଛନ୍ତି। ମାତ୍ର ସମାବର୍ତନ ଉତ୍ସବ ଲାଗି କୁଳାଧିପତି ତଥା ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ କଟକଣା ଲଗାଯାଇଛି। ପାଖାପାଖି ଗୋଟିଏ ବର୍ଷ ହେଲା କଟକଣା ଲାଗିଥିଲେ ମଧ୍ୟ ହଟାଯାଉ ନାହିଁ। ପରିଣାମ ସ୍ବରୂପ ବିଶ୍ବବିଦ୍ୟାଳୟଗୁଡ଼ିକ ଅଭିନବ ଢଙ୍ଗରେ କୃତୀ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍‌ ବାଣ୍ଟୁଛନ୍ତି। ଯାହା ଆଜି ରମ‌ାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଦେଖିବାକୁ ମିଳିଛି। ତିନି ବର୍ଷର କୃତୀ ଛାତ୍ରୀଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଛି। ମାତ୍ର କୃତୀ ଛାତ୍ରୀମାନେ ଉପସ୍ଥିତ ନ ଥିଲେ। କଲେଜ ଅଧ୍ୟକ୍ଷମାନେ ଉପସ୍ଥିତ ରହି ଛାତ୍ରୀମାନଙ୍କ ସାର୍ଟିଫିକେଟ୍‌ ଗ୍ରହଣ କରିଥିଲେ। ବିଶ୍ବବିଦ୍ୟାଳୟର ଟପର୍‌ମାନଙ୍କୁ ମେଡାଲ୍‌ ଦିଆଯାଇ ନାହିଁ। ଏମିତିକି କାର୍ଯ୍ୟକ୍ରମକୁ କୌଣସି ବିଶିଷ୍ଟ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା। ବରଂ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଅନୁବନ୍ଧିତ କଲେଜ ଅଧ୍ୟକ୍ଷମାନଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରିଛନ୍ତି।

ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ୨୦୧୬, ୨୦୧୭, ୨୦୧୮ ମସିହାରେ ନାମ ଲେଖାଇଥିବା କୃତୀ ଛାତ୍ରୀମାନଙ୍କ ସାର୍ଟିଫିକେଟ ବଣ୍ଟନ ହୋଇଛି। ସ୍ନାତକ, ସ୍ନାତକୋତ୍ତର, ଏମ.ଫିଲ୍‌, ବି.ଏଡ୍‌. ପାଠ୍ୟକ୍ରମର ପ୍ରାୟ ୨୪ ହଜାର କୃତୀ ଛାତ୍ରୀଙ୍କ ସାର୍ଟିଫିକେଟ୍‌ ବଣ୍ଟନ କରାଯାଇଛି। କୁଳପତି ପ୍ରଫେସର ଚୌଧୁରୀ କହିଛନ୍ତି ଯେ କରୋନା ପାଇଁ ଛାତ୍ରୀଙ୍କ ସାର୍ଟିଫିକେଟ୍‌ ବଣ୍ଟନରେ ବିଳମ୍ବ ହୋଇଛି। ତେଣୁ ସେମାନଙ୍କ ଭବିଷ୍ୟତକୁ ନଜରରେ ରଖି ଯୁଦ୍ଧକାଳୀନ ଭିତ୍ତିରେ ଏଭଳି ବ୍ୟବସ୍ଥା କରାଯାଇଛି। ନାରୀ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ବିଶ୍ୱବିଦ୍ୟାଳୟ ସବୁବେଳେ ବଦ୍ଧପରିକର। ଏହି ଅବସରରେ କୁଳପତି ପ୍ରଫେସର ଚୌଧୁରୀ ପରୀକ୍ଷା ପରିଚାଳନା, ଖେଳକୁଦ, ନୂତନ ପାଠ୍ୟକ୍ରମ ଖୋଲିବା, ପିଏଚ୍‌ଡି ନିୟମ ଆଦି ବିଷୟରେ ଅନୁବନ୍ଧିତ କଲେଜ ଅଧ୍ୟକ୍ଷଙ୍କୁ ବୁଝାଇଥିଲେ। ଅନୁବନ୍ଧିତ ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ଉପସ୍ଥିତ ରହି ନିଜ ଛାତ୍ରୀମାନଙ୍କ ସାର୍ଟିଫିକେଟ ଗ୍ରହଣ କରିଥିଲେ। ବିଶ୍ବବିଦ୍ୟାଳୟ କୁଳସଚିବ ଶ୍ୟାମଳୀ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ପରୀକ୍ଷା ନିୟନ୍ତ୍ରକ ସରିତା ସୂପକାର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ସସ୍ମିତା ମହାନ୍ତି, ରେଡକ୍ରସ୍‌ ସଭ୍ୟ ରଞ୍ଜନ ବଳ, ସ୍ମିତା ଦେବୀ, କଳ୍ପନା ଦାସ, ଚଣ୍ଡୀଚରଣ ରଥ ପ୍ରମୁଖ ଉପସ୍ଥିତ ଥିଲେ।

ପରୀକ୍ଷା ନିୟନ୍ତ୍ରକ ଶ୍ରୀମତୀ ସୂପକାର କହିଛନ୍ତି ଯେ ସମାବର୍ତନ ଉତ୍ସବ ଆୟୋଜନ ନେଇ ଏପର୍ଯ୍ୟନ୍ତ କୁଳାଧିପତିଙ୍କ କାର୍ଯ୍ୟାଳୟରୁ କୌଣସି ନିଷ୍ପତ୍ତି ଆସିନାହିଁ। ଛାତ୍ରଛାତ୍ରୀଙ୍କ ନିକଟକୁ ସାର୍ଟିଫିକେଟ୍‌ ପଠାଇବାକୁ ପୂର୍ବରୁ ନିର୍ଦେଶ ରହିଛି। ମାତ୍ର କରୋନା ସଂକ୍ରମଣ କମିଥିବାରୁ ଆମେ କଲେଜ ଅଧ୍ୟକ୍ଷଙ୍କୁ ଡାକି କୃତୀ ଛାତ୍ରୀଙ୍କ ସାର୍ଟିଫିକେଟ୍‌ ହସ୍ତାନ୍ତର କରିଛୁ। ଏଥିସହ କଲେଜରେ କିଭଳି ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ମିଳିପାରିବ ସେନେଇ ବି ଆଲୋଚନା ହୋଇଛି। ଲଗା‌ତାର ତିନି ବର୍ଷ ହେଲା କୃତକାର୍ଯ୍ୟ ହେଉଥିବା ଛାତ୍ରୀଙ୍କୁ ସାର୍ଟିଫିକେଟ୍‌ ଦିଆଯାଇପାରି ନ ଥିଲା। ଗତ କିଛି ମାସ ମଧ୍ୟରେ ପାଖାପାଖି ୨୪ ହଜାର ଛାତ୍ରୀଙ୍କ ସାର୍ଟିଫିକେଟ୍‌ ପ୍ରସ୍ତୁତ କରାଯାଇ ଅଧ୍ୟକ୍ଷମାନଙ୍କୁ ଦିଆଯାଇଛି।

ସମ୍ବନ୍ଧିତ ଖବର