ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ପରୀକ୍ଷାଫଳ ଆଜି ରାତିରେ ପ୍ରକାଶ ପାଇଛି। ସ୍ନାତକ(ୟୁଜି)ରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗ ଛାତ୍ରୀ ଅପର୍ଣ୍ଣା ସାହୁ ସିଜିପିଏ ୯.୬୨ ନମ୍ବର ରଖି ଟପର୍‌ ହୋଇଛନ୍ତି। କଳା ବିଭାଗର ୧୬ଟି, ବିଜ୍ଞାନ ବିଭାଗର ୧୦ ଓ ବାଣିଜ୍ୟ ବିଭାଗର ଗୋଟିଏ ବିଭାଗର ଟପର୍‌ ତାଲିକା ପ୍ରକାଶିତ ହୋଇଛି। ମୋଟ ୨୭ଟି ବିଭାଗ ମଧ୍ୟରୁ ୧୯ଟିରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଛାତ୍ରୀ ଟପର୍‌ ହୋଇଛନ୍ତି। ତିନୋଟି ଯାକ ବିଭାଗରେ ୭୧୬୬ଜଣ ପରୀକ୍ଷା ଦେଇଥିବା ବେଳେ ୬୪୧୦ଜଣ ପାସ୍‌ କରିଛନ୍ତି। କଳା ବିଭାଗରେ ୫୬୦୮ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୫୦୦୩ଜଣ ପାସ୍‌ କରିଛନ୍ତି। ପାସ୍‌ ହାର ୮୯.୨୧% ହୋଇଛି। ଲାଇବ୍ରେରି ସାଇନ୍ସ ଓ ପରିସଂଖ୍ୟାନ ବିଭାଗର ସମସ୍ତ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଥିବା ୧୧୬୮ଜଣଙ୍କ ମଧ୍ୟରୁ ୧୦୭୦ଜଣ ପାସ୍‌ କରିଛନ୍ତି। ପାସ୍‌ ହାର ୯୧.୬୧% ହୋଇଛି। ବାଣିଜ୍ୟ ବିଭାଗରେ ପରୀକ୍ଷା ଦେଇଥିବା ୩୯୦ଜଣଙ୍କ ମଧ୍ୟରୁ ୩୭୭ଜଣ ପାସ୍‌ କରିଛନ୍ତି।

Advertisment

ସେହିପରି ପିଜିରେ ପରୀକ୍ଷା ଦେଇଥିବା ୪୯୭ଜଣଙ୍କ ମଧ୍ୟରୁ ୪୬୦ଜଣ ପାସ୍‌ କରିଛନ୍ତି। ପିଜିରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଲାଇଫ୍‌ ସାଇନ୍ସର ଛାତ୍ରୀ ସୁଚିତ୍ରା ବେହେରା ୯.୫୨ ସିଜିପିଏ ରଖି ଟପର୍‌ ହୋଇଛନ୍ତି। ଅର୍ଥନୀତିରେ ପ୍ରୀତିଛନ୍ଦା ସ୍ବାଇଁ, ଶିକ୍ଷାରେ ଲକ୍ଷ୍ମୀପ୍ରିୟା ଶତପଥୀ, ଇଂରାଜୀରେ ପାୟଲ ସ୍ବାଇଁ, ଜେଣ୍ଡର ଷ୍ଟଡିଜ୍‌ରେ ଜେବା ପରବିନ୍‌, ହିନ୍ଦୀରେ ପ୍ରେରଣା କିଶୋର, ଗଣମାଧ୍ୟମ ଓ ଗଣଯୋଗାଯୋଗରେ ପ୍ରତିଭା ବିଶ୍ବାଳ, ଓଡ଼ିଆରେ ଅର୍ପିତା ବେହେରା, ରାଜନୀତି ବିଜ୍ଞାନରେ ଭାଗ୍ୟଶ୍ରୀ ମହାପାତ୍ର, ମନୋବିଜ୍ଞାନରେ ନଫିସା ତୁରୁକ, ଦର୍ଶନଶାସ୍ତ୍ରରେ ମୁକ୍ତା ରାୟ ଟପର୍‌ ହୋଇଛନ୍ତି। ସାମାଜିକ ବିଜ୍ଞାନ ବିଷୟରେ କମଳା ନେହରୁ ମହିଳା ମହାବିଦ୍ୟାଳୟର ପ୍ରତ୍ୟୁ‌ଷା ଦାଶ ଟପର୍‌ ହୋଇଛନ୍ତି। ବାୟୋଟେକ୍ନୋଲୋଜିରେ ପ୍ରଜ୍ଞାଶ୍ରୀ ମହାରଣା, କମ୍ପ୍ୟୁଟର ସାଇନ୍ସରେ ଅର୍ଣ୍ଣଦା ପାଲଟାସିଂ, ଗୃହ ବିଜ୍ଞାନରେ ପ୍ରଭାସିନୀ ଖୁଣ୍ଟିଆ, ଇଣ୍ଡଷ୍ଟ୍ରିଆଲ୍‌ ମାଇକ୍ରୋବାୟୋଲୋଜିରେ ଶୁଭଶ୍ରୀ ଦାଶ, ଲାଇଫ୍‌ ସାଇନ୍ସରେ ସୁଚିତ୍ର ବେହେରା ଟପର୍‌ ତାଲିକା‌ରେ ସ୍ଥାନ ପାଇଛନ୍ତି। ଏମ୍‌ କମ୍‌ରେ ବିଜୟଲକ୍ଷ୍ମୀ ବିଶ୍ବାଳ ଓ ଏମ୍‌ବିଏରେ କବିତା ସାହୁ ଟପର୍‌ ହୋଇଛନ୍ତି। ବିଶ୍ବବିଦ୍ୟାଳୟ ୱେବସାଇଟ୍‌ର ଷ୍ଟୁଡେଣ୍ଟ ଲଗ୍‌ଇନ୍‌ରେ ରାତି ୯ଟା ପରେ ଉଭୟ ୟୁଜି ଓ ପିଜି ପରୀକ୍ଷା ଫଳ ଉପଲବ୍ଧ ହୋଇଥିବା ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଛାତ୍ରୀମାନଙ୍କ ସଫଳତା ନେଇ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ, ପରୀକ୍ଷା ନିୟନ୍ତ୍ରକ ମମତା ମହାନ୍ତି ଓ ପିଆରଓ ନରସିଂହ ମାଝୀ ଶୁଭେଚ୍ଛା ଜଣାଇଛନ୍ତି।