ଭୁବନେଶ୍ବର: ବିଜୁ ଛାତ୍ର ଜନତା ଦଳ, ଏବିଭିପି, ଛାତ୍ର କଂଗ୍ରେସ, ଏଆଇଏସ୍ଏଫ୍, ଏଆଇଡିଏସ୍ଓ ସମେତ ଛାତ୍ରୀଙ୍କ ପ୍ରବଳ ବିରୋଧ ପରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମର ଶେଷ ସେମିଷ୍ଟର୍ ଟପର୍ ତାଲିକା ପ୍ରକାଶ ପାଇଛି। ରସାୟନ ବିଜ୍ଞାନ ବିଭାଗ ଛାତ୍ରୀ ଶୁଭସ୍ମିତା ନାୟକ ସିଜିପିଏ ୯.୩୭ ନମ୍ବର ରଖି ‘ବେଷ୍ଟ ଗ୍ରାଜୁଏଟ୍’ ହୋଇଛନ୍ତି। ପିଜି ପାଠ୍ୟକ୍ରମରେ କମ୍ପ୍ୟୁଟର୍ ସାଇନ୍ସ ବିଭାଗ ଛାତ୍ରୀ ବିଶାଖା ବିଶ୍ବଦର୍ଶିନୀ ଦାସ ସିଜିପିଏ ୯.୩୨ ନମ୍ବର ରଖି ଆଗରେ ରହିଥିବା ଜଣାପଡ଼ିଛି।
ନୃତତ୍ତ୍ବ ବିଜ୍ଞାନ ବିଷୟରେ କମଳା ନେହରୁ ମହିଳା ମହାବିଦ୍ୟାଳୟ ଛାତ୍ରୀ ଏଲିନା ଗାଏନ, ଅର୍ଥନୀତିରେ ଅଙ୍କିତା ମହାପାତ୍ର, ଇଂରାଜୀରେ ପ୍ରାପ୍ତି ପଟ୍ଟନାୟକ ଟପର୍ ହୋଇଛନ୍ତି। ଶିକ୍ଷା ବିଷୟରେ ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ଛାତ୍ରୀ ଅପର୍ଣ୍ଣା ସାହୁ, ପଦାର୍ଥ ବିଜ୍ଞାନରେ ଆୟେଶା ମହାନ୍ତି, ଲାଇବ୍ରେରି ଆଣ୍ଡ୍ ଇନ୍ଫରମେନ୍ ସାଇନ୍ସରେ ଜଗତ୍ସିଂହପୁର ଜିଲ୍ଲା ବାଲିକୁଦା ମହିଳା ମହାବିଦ୍ୟାଳୟର ଛାତ୍ରୀ ଦୀପ୍ତିମୟୀ ମଲେଇ, ସଂସ୍କୃତରେ ନୟାଗଡ଼ ଜିଲ୍ଲାର ଏନ୍ପିଏମ୍ ମହାବିଦ୍ୟାଳୟର ରଶ୍ମିତା ପଟ୍ଟନାୟକ ଟପର୍ ହୋଇଛନ୍ତି। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀ ମୌସୁମୀ ତିୱାରୀ ହିନ୍ଦୀରେ ଟପର୍ ହୋଇଥିବା ବେଳେ ଇତିହାସରେ ଅର୍ପିତା, ଗୃହ ବିଜ୍ଞାନରେ ବୈଶାଳୀ ଭରଦ୍ୱାଜ ଦାଶ, କଳା ବିଭାଗ ଗଣିତରେ ଅମ୍ବ୍ରିତା ପ୍ରୀତମ, ଓଡ଼ିଆରେ ରଜନୀଗନ୍ଧା ପରିଡ଼ା, ଦର୍ଶନଶାସ୍ତ୍ରରେ ରଞ୍ଜିତା ସାମନ୍ତରାୟ, ରାଜନୀତି ବିଜ୍ଞାନରେ ସାଗରିକା ମହାରଣା, ମନୋବିଜ୍ଞାନରେ ବୈଷ୍ଣବୀ ରଥ, ସମାଜ ବିଜ୍ଞାନରେ ଦେବୀଦତ୍ତ ମହାପାତ୍ର, ବାୟୋ-ଟେକ୍ନୋଲୋଜିରେ ସୌମ୍ୟାଶ୍ରୀ ଦାଶ, ଉଦ୍ଭିଦ ବିଜ୍ଞାନରେ ଇପ୍ସିତା ପ୍ରିୟଦର୍ଶିନୀ, ରସାୟନ ବିଜ୍ଞାନରେ ଅର୍ପିତା ମହାରଥା, କମ୍ପ୍ୟୁଟର୍ ସାଇନ୍ସରେ ଅର୍ପିତା ପ୍ରିୟଦର୍ଶିନୀ ସାମଲ, ବିଜ୍ଞାନ ବିଭାଗ ଗଣିତରେ ବିଜୟଲକ୍ଷ୍ମୀ ସାହୁ, ପରିସଂଖ୍ୟାନରେ ସ୍ୱସ୍ତିକା ମାଇତି, ପ୍ରାଣୀ ବିଜ୍ଞାନରେ କନ୍ୟାକା ଜେନା ଓ ବାଣିଜ୍ୟ ବିଭାଗରେ ଅନୀତା ଗଜେନ୍ଦ୍ର ଟପର୍ ହୋଇଛନ୍ତି।
ସେହିପରି ବିଶ୍ବବିଦ୍ୟାଳୟର ପିଜି ପାଠ୍ୟକ୍ରମରେ ବାୟୋଟେକ୍ନୋଲୋଜିରେ ପ୍ୟାରୀ ପାୟଲ୍ ବେଉରା, ବାଣିଜ୍ୟରେ ଲକ୍ଷ୍ମୀପ୍ରିୟା ସ୍ୱାଇଁ, କମ୍ପ୍ୟୁଟର୍ ସାଇନ୍ସରେ ବିଶାଖା ବିଶ୍ୱଦର୍ଶିନୀ ଦାସ, ଅର୍ଥନୀତିରେ ସାଗରିକା ଦାଶ, ଶିକ୍ଷା ବିଭାଗରେ ଆକାଂକ୍ଷା ପରମାଣିକ, ଇଂରାଜୀରେ ତନୟା ଦାସ, ଜେଣ୍ଡର୍ ଷ୍ଟଡିଜ୍ରେ ଶ୍ରେଷ୍ଠା ପାଣି, ହିନ୍ଦୀରେ ଚିନ୍ମୟୀ ରାଉତ, ଗୃହ ବିଜ୍ଞାନରେ ରୋଜା ଘୋଷ, ଜୀବ ବିଜ୍ଞାନରେ ସ୍ୱରାଞ୍ଜଳି ଜେନା ଓ ଓଡ଼ିଆରେ ସୋନାଲି ଦାସ ଟପର୍ ହୋଇଥିବା ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଟପର୍ ତାଲିକା ବାହାରିଥିଲେ ମଧ୍ୟ ପରୀକ୍ଷା ଫଳରେ ବ୍ୟାପକ ତ୍ରୁଟି ହୋଇଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଡିଷ୍ଟିଙ୍କସନ୍କୁ ନେଇ କେତେଜଣ ଛାତ୍ରୀ ଅସନ୍ତୋଷ ବ୍ୟକ୍ତ କରିବା ସହ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନକୁ ଦାୟୀ କରିଛନ୍ତି। ଅନ୍ତିମ ସେମିଷ୍ଟର୍ ପରୀକ୍ଷା ଫଳ ପ୍ରକାଶ ପାଇଥିଲେ ମଧ୍ୟ ପ୍ରୋଭିଜିନାଲ ମାର୍କ ସିଟ୍ (ସବୁ ସେମିଷ୍ଟର୍ର ଏକତ୍ର ଭାବେ) ଅନ୍ଲାଇନ୍ରେ ମିଳୁ ନାହିଁ। ଏହାଦ୍ବାର ମାର୍କସିଟ୍ ଅପଲୋଡ୍ କରିବାରେ ସମସ୍ୟା ସୃଷ୍ଟି ହେଉଛି। ଅନ୍ଲାଇନ୍ରେ ସବୁ ସେମିଷ୍ଟର୍ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଉପଲବ୍ଧ କରାଇବାକୁ ଛାତ୍ରୀମାନେ ଦାବି କରିଛନ୍ତି।