ରମାଦେବୀ ବିଶ୍ୱବିଦ୍ୟାଳୟ : ଗୋଠପାଟଣାରେ ହୋଇପାରେ ଦ୍ୱିତୀୟ କ୍ୟାମ୍ପସ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଗୋଠପାଟଣାରେ ହୋଇପାରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ। ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନ ଥିଲେ ମଧ୍ୟ ଉଚ୍ଚଶିକ୍ଷା ବିଭାଗର ଏକ ପ୍ରତିନିଧି ଦଳ ସମ୍ପୃକ୍ତ ଅଞ୍ଚଳ ଗସ୍ତ କରି ଫେରିଛନ୍ତି। ଉକ୍ତ ଜମି ଦ୍ୱିତୀୟ କ୍ୟାମ୍ପସ ପାଇଁ ଉପଯୁକ୍ତ ବୋଲି ପ୍ରତିନିଧି ଦଳ ସହମତି ପ୍ରକାଶ କରିଛି। ୭୦ ଏକର ପରିମିତ ଏହି ଜମି ସବୁ ଦୃଷ୍ଟିରୁ ଛାତ୍ରୀମାନଙ୍କ ଶିକ୍ଷା ଓ ସୁରକ୍ଷା ଲାଗି ଉପଯୁକ୍ତ ପରିବେଶ ହେବ ବୋଲି ପ୍ରତିନିଧି ଦଳ ହୃଦୟଙ୍ଗମ କରିଛି। ତେଣୁ ସେଠାରେ ଦ୍ୱିତୀୟ କ୍ୟାମ୍ପସ କରିବାରେ କୌଣସି ପ୍ରକାର ଅସୁବିଧା ନାହିଁ ବୋଲି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ଚିହ୍ନଟ ହୋଇଥିବା ପ୍ରାୟ ୭୦ ଏକର ପରିମିତ ଜମି ଚାରିପାଖରେ ଏକାଧିକ ଶିକ୍ଷାନୁଷ୍ଠାନ ରହିଛି। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଆଇଆଇଆଇଟି ସମେତ ବିର୍ଲା ମ୍ୟାନେଜ୍‌ମେଣ୍ଟ କଲେଜ, ରାଜସ୍ୱ ବିଭାଗର ପ୍ରଶିକ୍ଷଣ କେନ୍ଦ୍ର, ଏକାଧିକ ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟ ଏଠାରେ ଗଢ଼ିଉଠିଛି। ରେସିଡେଣ୍ଟସିଆଲ୍‌ କଲୋନି ମଧ୍ୟ ଏହା ନିକଟରେ ରହିଛି। ତେଣୁ ଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ସ୍ଥାନ ବେଶ ଉପଯୋଗୀ ହେବ। ପୂର୍ବରୁ ଏହି ଅଞ୍ଚଳରେ ହାତୀ ଚଳପ୍ରଚଳ କରୁଥିଲେ। କିନ୍ତୁ ଏବେ ଚନ୍ଦକାରେ ହାତୀଙ୍କ ସଂଖ୍ୟା କମିଥିବାରୁ ରମାଦେବୀ ବିଶ୍ୱବିଦ୍ୟାାଳୟର ଦ୍ୱିତୀୟ କ୍ୟାମ୍ପସ ଲାଗି ସେତେଟା ଅସୁବିଧା ହେବ ନାହିଁ।

୭୦ ଏକର ଜମି ଚିହ୍ନଟ, ମୁଖ୍ୟ କ୍ୟାମ୍ପସଠାରୁ ୧୫ କି.ମି, ଜମି ଦେଖି ସହମତି ଜଣାଇଲା ପ୍ରତିିନିଧି ଦଳ

ଯୋଗଯୋଗ ଦୃଷ୍ଟିରୁ ମଧ୍ୟ ଏହି ଜାଗା ଛାତ୍ରୀ ଓ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ପାଇଁ ଉପଯୁକ୍ତ ହେବ। ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସଠାରୁ ଏହାର ଦୂରତା ୧୫ କି.ମି.। ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ମାତ୍ର ୭ କି.ମି. ହୋଇଥିବା ବେଳେ ବିମାନବନ୍ଦର ନିକଟରୁ ପ୍ରାୟ ୧୨ କି.ମି. ଓ ରେଳଷ୍ଟେସନ୍‌ଠାରୁ ୧୩ କି.ମି. ହେବ। ଓଡ଼ିଶାରେ ଆଇଆଇଏମ୍‌ ପ୍ରତିଷ୍ଠା ସମୟରେ ଏହି ଜମିକୁ ପ୍ରଥମେ ଚିହ୍ନଟ କରାଯାଇଥିଲା। କିନ୍ତୁ ପରବର୍ତୀ ସମୟରେ ସମ୍ବଲପୁରରେ ଆଇଆଇଏମ୍‌ ହେବା ପରେ ଜମି ଖାଲି ରହିଛି। ଉଚ୍ଚଶିକ୍ଷା ବିଭାଗ ନିର୍ଦେଶକଙ୍କ ନେତୃତ୍ୱରେ ଗସ୍ତ କରିଥିବା ପ୍ରତିନିଧି ଦଳରେ ବିଶ୍ୱବିଦ୍ୟାଳୟ ଓ ଇଡ୍‌କୋର ଅଧିକାରୀମାନେ ଜମି ବୁଲି ଦେଖି ଫେରିଛନ୍ତି।

ସୂଚନାଯୋଗ୍ୟ ଯେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଲାଗି ଜମି ଚିହ୍ନଟ ଲାଗି ଗତ ଜାନୁଆରି ୩୦ରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟ କ୍ୟାମ୍ପସ କରିବାକୁ ପ୍ରସ୍ତାବ ବି ରହିଥିଲା। ଏନେଇ ବିରୋଧ ହେବା ପରେ ରାଜ୍ୟ ସରକାର ନିଷ୍ପତ୍ତିରୁ ଓହରିଥିଲେ। ପୂର୍ବରୁ ଗଠିତ ହୋଇଥିବା କମିଟିକୁ ପୁନର୍ଗଠିତ କରାଯାଇ ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ମିଶ୍ରଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଥିଲା।

ସମ୍ପ୍ରସାରିତ କ୍ୟାମ୍ପସ ପାଇଁ ଜମି ମିଳୁନି
ଦ୍ୱିତୀୟ କ୍ୟାମ୍ପସ ଲାଗି ଜମି ଚିହ୍ନଟ ଜାରି ରହିଥିବା ବେଳେ ସମ୍ପ୍ରସାରିତ କ୍ୟାମ୍ପସକୁ ନେଇ ଏପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ ହୋଇନାହିଁ। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପଦ୍ମଜା ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟି ଗତ ମାର୍ଚ୍ଚ ୧୫ରେ ବିଶ୍ୱବିଦ୍ୟାଳୟର ସମ୍ପ୍ରସାରିତ କ୍ୟାମ୍ପସ ଓ ଦ୍ୱିତୀୟ କ୍ୟାମ୍ପସ ଲାଗି ଜମି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ଦୁଇ ମାସ ବିତିବାକୁ ବସିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜମି ଚିହ୍ନଟ ହୋଇପାରି ନାହିଁ। ବିଶ୍ୱବିଦ୍ୟାଳୟର ସମ୍ପ୍ରସାରିତ କ୍ୟାମ୍ପସ ଲାଗି ମୁଖ୍ୟ କ୍ୟାମ୍ପସ ଆଖପାଖରେ ୧୦ ଏକର ଜମି ମିଳୁ ନ ଥିବାରୁ ସମସ୍ୟା ଦେଖାଦେଇଛି। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପଦ୍ମଜା ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଉଚ୍ଚଶିକ୍ଷା ବିଭାଗ ନିର୍ଦେଶକ, ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ, ସାଧାରଣ ପ୍ରଶାସନ ଓ ପିଜି ବିଭାଗର ଇଷ୍ଟେଟ୍‌ ନିର୍ଦେଶକ, ଖୋର୍ଧା ଜିଲ୍ଲାପାଳ ସଦସ୍ୟ ରହିଛନ୍ତି।

ସମ୍ବନ୍ଧିତ ଖବର