ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରୁ ୨୦୧୯, ୨୦୨୦ ଓ ୨୦୨୧ରେ ଉତ୍ତୀର୍ଣ୍ଣ ହୋଇ ସ୍ବର୍ଣ୍ଣ ପଦକ ପାଇଁ ବିବେଚିତ ଛାତ୍ରୀମାନଙ୍କ ଲାଗି ଆଜି ଏକ ସ୍ବତନ୍ତ୍ର ଉତ୍ସବ ଆୟୋଜିତ ହୋଇଥିଲା। ଉତ୍ସବରେ ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ରୀ ତଥା ଆଇଏଏସ ରୁପା ରୋଶନ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ, ନାରୀ ବିକାଶ ଓ ଅଗ୍ରଗତିର ଚାବିକାଠି ହେଉଛି ଶିକ୍ଷା। ପାଠପଢ଼ାକୁ ଉପଭୋଗ କରିବା ଉଚିତ। ଛାତ୍ରୀମାନେ ଲକ୍ଷ୍ୟପଥରୁ ବିଚ୍ୟୁତ ନ ହୋଇ ଏହାର ଆନନ୍ଦ ନେବା ଦରକାର। ଅଧ୍ୟୟନକୁ ଉପଭୋଗ କରିଲେ ତାହା ତୁମମାନଙ୍କ ପାଇଁ ଆନନ୍ଦରେ ପରିଣତ ହେବ ବୋଲି ଛାତ୍ରଛାତ୍ରୀଙ୍କୁ କହିଥିଲେ।

Advertisment

ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ଉତ୍ସବରେ ଅଧ୍ୟକ୍ଷତା କରି କହିଲେ ଶ୍ରୀମତୀ ସାହୁ ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କ ପାଇଁ ରୋଲ ମଡେଲ। ଯେପର୍ଯନ୍ତ ତୁମେ ପାଠକୁ ଭଲ ପାଇନ ସେପର୍ଯ୍ୟନ୍ତ ପାଠ ତୁମକୁ କିଭଳି ଭଲ ପାଇବ? ନିଜର ଉନ୍ନତି ପାଇଁ ଟେକ୍ନୋଲୋଜିର ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଥିଲେ। ପିଜି କାଉନ୍‌ସିଲ ଅଧ୍ୟକ୍ଷ ଚଣ୍ଡୀ ଚରଣ ରଥ ଯୋଗଦେଇ ଦ୍ବିତୀୟ ସମାବର୍ତ୍ତନ ଉତ୍ସବ ଶିକ୍ଷାନୁଷ୍ଠାନ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି ମତବ୍ୟକ୍ତ କରିଥିଲେ। ଉତ୍ସବରେ ୨୦୧୯ ବ୍ୟାଚ୍‌ର ବିଭାଗ ସ୍ତରରେ ଶ୍ରେଷ୍ଠ ସ୍ନାତକ, ସ୍ନାତକୋତ୍ତର ଓ ବିଶ୍ୱବିଦ୍ୟାଳୟସ୍ତରରେ ଶ୍ରେଷ୍ଠ ସ୍ନାତକଙ୍କୁ ମିଶାଇ ମୋଟ ୧୪ଜଣ, ୨୦୨୦ ବ୍ୟାଚ୍‌ର ୧୫, ୨୦୨୧ର ୧୯ଟି ସ୍ବର୍ଣ୍ଣ ପଦକ ଛାତ୍ରୀମାନଙ୍କୁ ପ୍ରଦାନ କରାଯାଇଥିଲା। କୁଳସଚିବ ଶ୍ୟାମଳୀ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପରୀକ୍ଷା ନିୟନ୍ତ୍ରିକ ମମତା ମହାନ୍ତି ଧନ୍ୟବାଦ ଦେଇଥିଲେ। ଏହି ଉତ୍ସବରେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ଛାତ୍ରୀମାନଙ୍କ ଦ୍ବାରା ରାଷ୍ଟ୍ରପତିଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ପ୍ରାମାଣିକ ଚଳଚ୍ଚିତ୍ର ‘ରମାଦେବୀରୁ ରାଇସିନାହିଲ୍‌’ ପ୍ରଦର୍ଶିତ ହୋଇଥିଲା।