ରମ‌ାଦେବୀ ମହିଳା ବିଶ୍ବବିଦ୍ୟାଳୟ ଶେଷ ସେମିଷ୍ଟର୍‌ ପରୀକ୍ଷା: ଚିନ୍ତାରେ ୩୦ ହଜାର ଛାତ୍ରୀ

ଧରାଛୁଆଁ ଦେଉନାହାନ୍ତି ପରୀକ୍ଷା ନିୟନ୍ତ୍ରକ, କରୋନା ସମୟରେ ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ

ଭୁବନେଶ୍ବର: ୪ ଦିନ ପରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ସ୍ନାତକ(ୟୁଜି) ଶେଷ ସେମିଷ୍ଟର୍‌ ପରୀକ୍ଷା। ହେଲେ କେଉଁଭଳି ପ୍ରଶ୍ନପତ୍ର ଆସିବ, ସେନେଇ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ। ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଆସିବ ବୋଲି କହି ଦେଇ ପରୀକ୍ଷା ନିୟନ୍ତ୍ରକ ବ୍ରଜ କିଶୋର ଚୁପ୍‌ ବସିପଡ଼ିଛନ୍ତି। ପ୍ରଶ୍ନପତ୍ରରେ କେତୋଟି ପ୍ରଶ୍ନ ରହିବ? ପାଠ୍ୟଖସଡ଼ାରୁ ଆସିବ କି ବାହାରୁ? ଯେଉଁ ଛାତ୍ରୀମାନେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେବେ, ସେମାନଙ୍କ ଲାଗି କ’ଣ ସୁବିଧା ରହିଛି? କନ୍ଧମାଳ, ନବରଙ୍ଗପୁର ଆଦି ଜିଲ୍ଲାରୁ ଆସି ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ଛ‌ାତ୍ରୀମାନେ କେମିତି ଆସିବେ? ମୁଣ୍ଡ ଉପରେ ପରୀକ୍ଷା ଥିବା ବେଳେ ଏହାକୁ ନେଇ ଛାତ୍ରୀଙ୍କ ମ‌ାନସିକ ଚିନ୍ତା ବଢ଼ି ଚାଲିଛି।

ଗୋଟିଏ ପଟେ କରୋନା ଅନ୍ୟପଟେ ଭବିଷ୍ୟତ ଚିନ୍ତା। ଏହାରି ଭିତରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଏବେ ସେମାନଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। ଉଚ୍ଚଶିକ୍ଷା ବିଭାଗ ନିର୍ଦେଶ ଦେବା ପରେ ସମସ୍ତ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନପତ୍ର ମାଧ୍ୟମରେ ଶେଷ ସେମିଷ୍ଟର୍‌ ପରୀକ୍ଷା କରୁଛନ୍ତି। ଏଭଳି ସମୟରେ ରମ‌ାଦେବୀ ମହିଳା ବିଶ୍ବବିଦ୍ୟାଳୟ କର୍ତୃପକ୍ଷ କେମିତି ଦୀର୍ଘ ଉତ୍ତରମୂଳକ ପ୍ରଶ୍ନପତ୍ରରେ ପରୀକ୍ଷା କରୁଛନ୍ତି, ତାହା ବି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏକ ଘଣ୍ଟାର ଏହି ପରୀକ୍ଷାରେ ପିଲାଙ୍କ ପ୍ରଶ୍ନପତ୍ରରେ କେତୋଟି ପ୍ରଶ୍ନ ଆସିବ, ସେନେଇ ବି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି।

ବିଶ୍ବବିଦ୍ୟାଳୟ ଅନୁବନ୍ଧିତ ୯ ଜିଲାର ୪୮ ମହିଳା ମହାବିଦ୍ୟାଳୟର ୩୦ ହଜାର ଛାତ୍ରୀ ଏବେ ଚିନ୍ତାରେ ଅଛନ୍ତି। ପରୀକ୍ଷା ତାରିଖ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରିଦେଇ ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଏକପ୍ରକାର ଚୁପ୍‌ ବସିପଡ଼ିଛନ୍ତି। ଛାତ୍ରୀମାନେ ଦ୍ବନ୍ଦ୍ବ ଦୂର ଲାଗି ଯେ‌ତେ ଫୋନ୍‌ କଲେ ମଧ୍ୟ ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ କିମ୍ବା କୌଣସି ଅଧିକାରୀ ଉତ୍ତର ଦେଉ ନ ଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ବିଶ୍ବବିଦ୍ୟାଳୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ପରୀକ୍ଷା ଲାଗି ଆଜି ନାମ ପଞ୍ଜୀକରଣ ଶେଷ ହୋଇଛି। ବିଶ୍ବବିଦ୍ୟାଳୟ ପିଜି ପାଠ୍ୟକ୍ରମର ସମସ୍ତ ଛାତ୍ରୀ ଅନ୍‌ଲାଇନ୍‌ରେ ପରୀକ୍ଷା ଦେବା ଲାଗି ପଞ୍ଜୀକରଣ କରିଥିବା ବେଳେ ୟୁଜି ପାଠ୍ୟକ୍ରମର ୯୦% ଛାତ୍ରୀ ଅନ୍‌ଲାଇନ୍‌ ଲାଗି ପଞ୍ଜୀକରଣ କରିଛନ୍ତି। ବାକି ୧୦ପ୍ରତିଶତ ଛାତ୍ରୀ ଅଫ୍‌ଲାଇନ୍‌ରେ ଦେବା ଲାଗି ପଞ୍ଜୀକରଣ କରିଥିବା ସୂଚନା ମିଳିଛି।

ଏହାରି ଭିତରେ ବିଶ୍ବବିଦ୍ୟାଳୟର ୩ଜଣ କିରାଣି ଓ ଜଣେ ଅଧ୍ୟାପକ କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ସଂସ୍ପର୍ଶରେ କଲେଜର ଅନ୍ୟ କେତେଜଣ ଷ୍ଟାଫ୍‌ ଆସିଥିଲେ ମଧ୍ୟ ବିଭାଗ ବନ୍ଦ ହୋଇନାହିଁ। କଣ୍ଟାକ୍ଟ ଟ୍ରେସିଂ ବି କରାଯାଇ ନାହିଁ। ଏଭଳି ସମୟରେ ପିଲାଙ୍କ ପରୀକ୍ଷା କିଭଳି ହେବ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଛାତ୍ରୀଙ୍କ ସମସ୍ୟା ସମ୍ପର୍କରେ ଜାଣିବା ଲାଗି ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ବ୍ରଜକିଶୋରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନ ଥିଲେ କି ଦେଖା କରିବାକୁ ଚାହିଥିଲେ ମଧ୍ୟ ଧରାଛୁଆଁ ଦେଇ ନ ଥିଲେ।

ସମ୍ବନ୍ଧିତ ଖବର