ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ପ୍ରକାଶନ ପାଠ୍ୟକ୍ରମର ଛାତ୍ରୀଙ୍କ ବିଦାୟକାଳୀନ ସମାରୋହ

‘ଯୁବପିଢ଼ି କାଗଜ, କା‌ଳି ଦୁନିଆରୁ ଦୂରେଇ ଗଲେଣି’

ଭୁବନେଶ୍ବର: ପ୍ରକାଶନୀ ଶିଳ୍ପର ଅବସ୍ଥା ଓ ଭବିଷ୍ୟତ ସେତେ ଭଲ ନୁହେଁ ବୋଲି ଅନେକ ବର୍ତ୍ତମାନ ଭାବୁଥିବେ। କିନ୍ତୁ ଯଦି ପ୍ରକାଶନୀ ଶିଳ୍ପର ପରିଭାଷା ଓ ଆଭିମୁଖ୍ୟରେ ଟିକେ ପରିବର୍ତ୍ତନ କରାଯାଏ, ତେବେ ଆମର ଏଭଳି ମତାମତରେ ପରିବର୍ତ୍ତନ ଆସି‌ପାରେ। ପ୍ରକାଶନୀ କହିଲେ, ଆମେ ଗୋଟିଏ ପୁସ୍ତକ କିମ୍ବା ପତ୍ରିକାକୁ ବୁଝିଥାଉ। କାଗଜ, କ‌ାଳି, ଅଠା ଓ ବିଷୟବସ୍ତୁ ହେଉଛି ଏକ ପ୍ରକାଶନୀ ସଂସ୍ଥାର କଞ୍ଚା ମାଲ୍‌। କାଗଜ ଓ କାଳି ଦୁନିଆଟି ବର୍ତ୍ତମାନ ସରି ସରି ଆସୁଛି। ବିଶେଷ କରି ଯୁବପିଢ଼ିମାନେ କାଗଜ, କା‌ଳି ଦୁନିଆରୁ ଦୂରେଇ ଗଲେଣି। ଏଣୁ କାଗଜରେ ଛପା ହୋଇଥିବା ରଙ୍ଗିନ୍‌ କାଳି ଆଦିକୁ ଯଦି ଆମେ ପ୍ରକାଶନୀ ସଂସ୍ଥାର ଏକମାତ୍ର ଅଙ୍ଗ/ଅଂଶ ବୋଲି ଧରି ନେବା ତେବେ ଆମେ ପ୍ରକାଶନୀର ଆଭିମୁଖ୍ୟ ଓ ପରିଭାଷା ବିଷୟରେ ଏକ ଭୁଲ୍‌ ଧାରଣାର ବଶବର୍ତ୍ତୀ ହେବା ବୋଲି କହିଛନ୍ତି ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ପ୍ରକାଶନ ପାଠ୍ୟକ୍ରମର ଛାତ୍ରୀଙ୍କ ବିଦାୟକାଳୀନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି। ପୁସ୍ତକର ଆଦର ଓ ଚାହିଦା କମୁଥିବାରୁ ଶ୍ରୀ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ କହିଲେ, କୁହାଯାଏ ବହି ମଣିଷର ସବୁଠାରୁ ବଡ଼ ବନ୍ଧୁ। ବହି ଜ୍ଞାନବର୍ଦ୍ଧକ ଓ ବହିଟିଏ ଥିଲେ ମଣିଷ ଏକାକୀ ଅନୁଭବ କରେ ନାହିଁ। କିନ୍ତୁ ଏବେ ବହି ସେତେ ଆଉ କିଏ ପଢ଼ୁନାହାନ୍ତି ବୋଲି ଅଭିଯୋଗ ହେଉଛି। ପୁସ୍ତକ କିଣିବାକୁ ଜଣେ ସାକ୍ଷର ଜନ ଆବଶ୍ୟକ, ପୁଣି ସେହି ଜନର ପୁସ୍ତକ କିଣିବାକୁ ମନ, ଧନ ଓ ସମୟ ଥିବା ଆବଶ୍ୟକ। ଏହି ଚାରିଟି ନଥିଲେ ପୁସ୍ତକ ବି ବିକ୍ରି ହୁଏନି। ଇଂରାଜୀ ପୁସ୍ତକର ପ୍ରକାଶନୀ ଶିଳ୍ପ ବହୁ ବିରାଟ ‌ହୋଇଥିବାରୁ ଏପର୍ଯ୍ୟନ୍ତ ସେମାନଙ୍କୁ ଏହି ବିପଦ ଘାରିନାହିଁ। କିନ୍ତୁ ଯେଉଁମାନେ ବିଭିନ୍ନ ଭାଷାର ବଜାରରେ ଏହି ଶିଳ୍ପଟିର ସାହାଯ୍ୟ ନେଇଛନ୍ତି ସେମାନେ ନିହାତି ଭାବେ ଏହାକୁ ନେଇ ଚିନ୍ତିତ। ନୂତନ ଛାତ୍ରଛାତ୍ରୀ ଯେଉଁମାନେ ପ୍ରକାଶନୀ ପାଠ୍ୟକ୍ରମରେ ନାମ ଲେଖାଇ ଏହାକୁ ନିଜ ଜୀବନଜୀବିକା ଭାବେ ଗ୍ରହଣ କରିବାକୁ ଚାହାନ୍ତି, ସେମାନେ ନିଶ୍ଚିନ୍ତରେ ଏହାକୁ ଜୀବନଜୀବିକା ଭାବେ ଗ୍ରହଣ କରିପାରିବେ। କାରଣ କାଗଜ ଓ କାଳି ଯୁଗ ସରି ଆସିଲେ ମଧ୍ୟ ବିଜ୍ଞାନର ନୂତନ ଜ୍ଞାନକୌଶଳ ଏହି ଶିଳ୍ପର ନୂତନ ଭବିଷ୍ୟତ ସୃଷ୍ଟି କରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ବିଦାୟକାଳୀନ ସମାରୋହରେ ବିଶ୍ବବିଦ୍ୟାଳୟର କୁଳପତି ପଦ୍ମଦା ମିଶ୍ର, ପିଜି କାଉନ୍‌ସିଲ୍‌ ଅଧ୍ୟକ୍ଷା ସରିତା ସୂପକାର ଓ ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର ମଧୁସ୍ମିତା ପତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରକାଶନ ପାଠ୍ୟକ୍ରମର ଛାତ୍ରୀମାନଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର