ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସ: ଏବେ ବି ସମାଜରେ ଦୁର୍ଯ୍ୟୋଧନ ଓ ଦୁଃଶାସନ ଅଛନ୍ତି

ଭୁବନେଶ୍ବର: ଭାରତୀୟ ସଂସ୍କୃତି ଓ ପରମ୍ପରାରେ ନାରୀମାନଙ୍କୁ ଉଚ୍ଚ ସ୍ଥାନ ଦିଆଯାଇଛି। ଜଗତଜନନୀ ଓ ଜନନୀ ପରସ୍ପର ସମ୍ପର୍କିତ ବୋଲି ବିଚାର କରାଯାଇଛି। ବାସ୍ତବରେ ଈଶ୍ୱର ନାରୀମାନଙ୍କୁ ଏକ ମହତ୍‌ ଚେତନାର ପରିପ୍ରକାଶ ପାଇଁ ପୃଥିବୀକୁ ପ୍ରେରଣ କରିଥାନ୍ତି। ଯେଉଁ ସମାଜରେ ନାରୀମାନଙ୍କର ଅନ୍ତର୍ନିହିତ ଶକ୍ତି ଓ ସାମର୍ଥ୍ୟର ପ୍ରକାଶ ଓ ବିକ‌ାଶ ନିମନ୍ତେ ଅନୁକୂଳ ପରିବେଶ ଥାଏ, ସେ ସମାଜ ଅଧିକ ସମୃଦ୍ଧ ବିବେଚିତ ହୁଏ। ଏବେ ବି ଆମ ସମାଜରେ ଦୁର୍ଯୋଧନ, ଦୁଃଶାସନ ରହିଛନ୍ତି। ସେମାନେ ନାରୀଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରୁଛନ୍ତି। ତେବେ ଏହାକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ। କାରଣ ସେମାନଙ୍କୁ କେବେ ନା କେବେ ଦଣ୍ଡ ମିଳିବା ଥୟ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କହିଛନ୍ତି।

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର୍‌ ଶ୍ରୀ ଲାଲ୍‌ କହିଲେ ବିଶ୍ୱ, ବିଶ୍ୱବିଦ୍ୟାଳୟ ଓ ବିଶ୍ୱ ମାନବ ମଧ୍ୟରେ ସମନ୍ୱୟ ରହିବା ଦରକାର। ବିଶ୍ୱବିଦ୍ୟାଳୟ ବତିଘର ଭାବେ ମାର୍ଗଦର୍ଶନ କରାଇବା ସହ ସାମାଜିକ ଦାୟିତ୍ୱବୋଧ ନିର୍ବାହରେ ବିଶେଷ ଭୂମିକା ନେବା ଆବଶ୍ୟକ। କାହା ଦ୍ୱାରା ପରିଚାଳିତ ନ ହୋଇ ନିଜେ ନିଜର ବାଟ ପ୍ରସ୍ତୁତ କରିବା ଦରକାର। ଉପଯୁକ୍ତ ଶିକ୍ଷା ଦ୍ବାରା ଜଣେ ପ୍ରକୃତ ବାଟ ଖୋଜି ପାଇ ପାରିବ। ପ୍ରତ୍ୟେକ ବ୍ୟକ୍ତି ଅନନ୍ୟ। ତେଣୁ ନିଜେ ନିଜର ଲକ୍ଷ୍ୟ ସ୍ଥିର କଲେ, ସେ ଲକ୍ଷ୍ୟ କିପରି ପୂରଣ ହେବ। ସେଥିପାଇଁ ସାଧନା କରିବାକୁ ରାଜ୍ୟପାଳ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ୫ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ରାଜ୍ୟର ଏହି ପ୍ରଥମ ମହିଳା ବିଶ୍ବବିଦ୍ୟାଳୟ ଦେଶରେ ନିଜସ୍ବ ସ୍ଥିତି ଜାହିର କରିବାରେ ସକ୍ଷମ ହୋଇଛି।

ସେ କହିଥିଲେ ବିଶ୍ବବିଦ୍ୟାଳୟ ଉନ୍ନତି ପାଇଁ ରାଜ୍ୟ ବଜେଟ୍‌ରୁ ୬ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ‘ରୁଷା’ରୁ ୫୦କୋଟି, ଦରମା ଆଦି ବାବଦରେ ୧୦ କୋଟି ଓ ଅତ୍ୟାଧୁନିକ କାର୍ଯ୍ୟ ପାଇଁ ୧.୬୦ କୋଟି ଟଙ୍କା; ଏହିପରି ୫ ବର୍ଷରେ ୬୭ କୋଟି ଟଙ୍କା ଦିଆଯାଇଛି। ବିଶ୍ୱବିଦ୍ୟାଳୟ‌ରେ ପାଠପଢ଼ା‌ ସହ ଗବେଷଣାକୁ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍‌ ପଦ୍ମଜା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷା ସରିତା ସୂପକାର ସ୍ବାଗତ ଭାଷଣ, କୁଳସଚିବ ଇତିଶ୍ରୀ ଦାସ ବାର୍ଷିକ ବିବରଣୀ ପାଠ କହିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହ ନବନିର୍ମିତ ପ୍ରାଶାସନିକ ସୌଧକୁ ରାଜ୍ୟପାଳ ଲୋକାର୍ପଣ କରିଥିଲେ।

ଦ୍ବିତୀୟ କ୍ୟାମ୍ପସ ପ୍ରସଙ୍ଗ: ମନ୍ତ୍ରୀ କହିଲେ ଦରକାର ହେଲେ ନିଷ୍ପତ୍ତି ନେବୁ
ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସାହୁ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବାରୁ ସେ ଦ୍ବିତୀୟ କ୍ୟାମ୍ପସ୍‌ ନେଇ ସେଠା‌ରେ କିଛି ଘୋଷଣା କରିବେ ବୋଲି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଓ ଛାତ୍ରୀମା‌ନେ ଆଶାବାଦୀ ଥିଲେ। ତେବେ ସେଭଳି କିଛି ହେଲା ନାହିଁ। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍‌ ମିଶ୍ର ମଞ୍ଚରେ ଏ ନେଇ କିଛି ଦାବି ଉପସ୍ଥାପନ କଲେ ନାହିଁ କି ମନ୍ତ୍ରୀ କିଛି ପ୍ରତିଶ୍ରୁତି ଦେଲେନି, ବରଂ ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ ଯେ ଯାହା ଯେତେବେଳେ ଦରକାର ପଡ଼ୁଛି, ଆମେ ସେତେବେଳେ ନିଷ୍ପତ୍ତି‌ ନେଉଛୁ। ମନ୍ତ୍ରୀଙ୍କ ଏଭଳି କଥାରୁ ମନେ ହେଉଛି ଯେ ରମାଦେବୀ ବିଶ୍ବବିଦ୍ୟାଳୟକୁ ଏବେ ଦ୍ବିତୀୟ କ୍ୟାମ୍ପସ୍‌ର ଆବଶ୍ୟକତା ନାହିଁ। ସେପଟେ କୁଳପତି ପ୍ରଫେସର୍‌ ମିଶ୍ର କହିଛନ୍ତି ଯେ ଦ୍ବିତୀୟ କ୍ୟାମ୍ପସ ନେଇ ଆମେ ସବୁ ରିପୋର୍ଟ ସରକାରଙ୍କୁ ଦେଇ ଦେଇଛୁ। ସେମାନେ ଯାହା ନିଷ୍ପତ୍ତି ନେବେ।

ଓଡ଼ିଆ ଭାଷାକୁ ଅଣଦେଖା କାହିଁକି?
ଉତ୍କଳ ବିଶ୍ବବିଦ୍ୟାଳୟ ପରି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ବି ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଠି ବି ଓଡ଼ିଆ ଭାଷାକୁ ଅଣାଦେଖା କରାଯାଇ ଥିଲା। ପ୍ରବେଶ ପଥଠାରୁ ମଞ୍ଚ ପର୍ଯ୍ୟନ୍ତ ଏକାଧିକ ହୋର୍ଡିଂ, ବ୍ୟାନର ଲଗା ଯାଇଥିଲେ ମଧ୍ୟ କେଉଁଠି ବି ଓଡ଼ିଆ ଭାଷାରେ ପଦୁଟିଏ ବି ଉଲ୍ଲେଖ ହୋଇ ନଥିଲା। ଏପରିକି ମଞ୍ଚରେ ଉପସ୍ଥିତ ଥିବା ବିଶ୍ବବିଦ୍ୟାଳୟ କୁଳପତି, କୁଳସଚିବ, ପିଜି କାଉନସିଲ୍‌ ଅଧ୍ୟକ୍ଷ ଅନର୍ଗଳ ଭାବେ ଇଂରାଜୀ ଭାଷାରେ ଗୋଟିଏ କଥାକୁ କହି ଚାଲିଥି‌ଲେ। ଏହାକୁ ଦେଖି ଛାତ୍ରୀମାନେ କହୁଥିଲେ ଓଡ଼ିଆ ଭାଷାକୁ ଏତେ ଘୃଣା କାହିଁକି? କିନ୍ତୁ ମୁଖ୍ୟ ଅତିଥି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଓ ସମ୍ମାନିତ ଅତିଥି ମନ୍ତ୍ରୀ ଶ୍ରୀ ସାହୁ ଓଡ଼ିଆରେ ନିଜର ଭାଷଣ ରଖିଥିଲେ।

ଆସିଲେନି ବିଧାୟକ
ଭୁବନେଶ୍ବର ବିଧାୟକ(ମଧ୍ୟ) ଅନନ୍ତ ନାରାୟଣ ଜେନାଙ୍କୁ ଉତ୍ସବକୁ ପ୍ରଥମେ ଡକାଯାଇ ନ ଥିଲା। ଗୋଟିଏ ଛାତ୍ରୀ ଗୋଷ୍ଠୀ ବିରୋଧ କରିବା ପରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ସ୍ଥାନୀୟ ବିଧାୟକଙ୍କ ନାମକୁ ନିମନ୍ତ୍ରଣପତ୍ରରେ ଯୋଡ଼ିଥିଲେ। କ୍ୟାମ୍ପସ୍‌ର ପ୍ରବେଶ ପଥରେ ବିଧାୟକ ଶ୍ରୀ ଜେନାଙ୍କ ପୋଷ୍ଟର ଲଗା ଯାଇଥିଲା। କର୍ତୃପକ୍ଷଙ୍କ ସମସ୍ତ ଚେଷ୍ଟା ପରେ ବି ବିଧାୟକ ଶ୍ରୀ ଜେନା ନିଜର ସମ୍ମାନ ଦୃଷ୍ଟିରୁ ଉତ୍ସବରେ ଯୋଗଦେଇ ନ ଥିବା ଏକ ନିର୍ଦ୍ଦିଷ୍ଟ ଛାତ୍ରୀଗୋଷ୍ଠୀଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର