ରମାଦେବୀ ବିଶ୍ବବିଦ୍ୟାଳୟ ଦ୍ବିତୀୟ କ୍ୟାମ୍ପସ କେବେ?, ଝୁଲି ରହିଛି ନିଷ୍ପତ୍ତି

ନୂଆ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଭରସାରେ ଛାତ୍ରୀ

ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାକୁ ସାଢ଼େ ତିନି ବର୍ଷ ବିତିଲାଣି। ଇତି ମଧ୍ୟରେ ଦୁଇ ଜଣ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ୩ରୁ ଅଧିକ ସଚିବ ବିଭାଗ ଦାୟିତ୍ବରେ ରହି ଗଲେଣି। ତଥାପି ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ଚିହ୍ନଟ ହୋଇପାରୁନି। ଯେଉଁଥିପାଇଁ ଏବେ ବି ଗୋଟିଏ କ୍ୟାମ୍ପସ ଓ ଗୋଟିଏ ବିଲଡିଂରେ ୪ଟି ଶିକ୍ଷାନୁଷ୍ଠାନ ଚାଲିଛି।

ପ୍ରତି ଶିକ୍ଷାବର୍ଷ ଆରମ୍ଭରେ ସମସ୍ୟା ହେଉଥିଲେ ମଧ୍ୟ କେହି ବି ପରିସ୍ଥିତିକୁ ଗୁରୁତ୍ବର ସହ ନେଉନାହାନ୍ତି। ୨୦୧୬ରୁ ଆଜି ଯାଏ ଯେତେବେଳେ ବି ସମୀକ୍ଷା ହେଉଛି ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଓ ସଚିବ କହୁଛନ୍ତି ଆମେ କରିଦେବୁ। ମାସେ ଦୁଇ ମାସ ମଧ୍ୟ‌ରେ ହୋଇଯିବ। ତେବେ କେଉଁଠି ଓ କେବେ ଦ୍ବିତୀୟ କ୍ୟାମ୍ପସ ପ୍ରତିଷ୍ଠା ହେବ ସେନେଇ କେହି ବି ସ୍ପଷ୍ଟ କରୁନାହାନ୍ତି। ଉଚ୍ଚଶିକ୍ଷା ବିଭାଗ ଯେଉଁ ଜମି ବି ଦେଉଛି, ତାହାକୁ ନେବାକୁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଅରାଜି ହେଉଛନ୍ତି। ଛାତ୍ରୀଙ୍କ ସୁରକ୍ଷାକୁ ପ୍ରସଙ୍ଗ କରି କର୍ତୃପକ୍ଷ ଜମି ଗ୍ରହଣ କରୁନାହାନ୍ତି। ଫଳସ୍ବରୂପ ପଦ୍ମ ଘୁଞ୍ଚି ଯିବା ପରି ଦ୍ବିତୀୟ କ୍ୟାମ୍ପସର ଭାଗ୍ୟ ଘୁଞ୍ଚି ଘୁଞ୍ଚି ଯାଉଛି।

ଇତିମଧ୍ୟରେ ୨୦୧୯-୨୦ ଶିକ୍ଷା ବର୍ଷ ଆରମ୍ଭ ହେବାକୁ ଯାଉଛି। ଆବେଦନ ସରିବା କ୍ଷଣି ନାମଲେଖା ହେବ। ଜୁଲାଇ ଶେଷ କିମ୍ବା ଅଗଷ୍ଟ ଆରମ୍ଭରୁ ଯୁକ୍ତ୨, ଯୁକ୍ତ୩, ପିଜି, ଏମ୍‌ ଫିଲ୍‌ ପାଠ୍ୟକ୍ରମର ପାଠପଢ଼ା ଆରମ୍ଭ ହେବ। ବିଗତ ତିନି ବର୍ଷ ପରି ଏଥର ମଧ୍ୟ ଗୋଟିଏ କ୍ୟାମ୍ପସରେ ୪ଟି ପାଠ୍ୟକ୍ରମର ଛାତ୍ରୀଙ୍କୁ ଶିକ୍ଷା ଦିଆଯିବ। ପାଳି କରି ଛାତ୍ରୀଙ୍କୁ ପଢ଼ାଯିବ। ସକାଳେ ପର୍ଯ୍ୟାୟକ୍ରମେ ଯୁକ୍ତ୨ ଓ ଯୁକ୍ତ୩ ଏବଂ ମଧ୍ୟାହ୍ନରେ ପିଜି ପାଠ୍ୟକ୍ରମ ଛାତ୍ରୀଙ୍କ ପାଠପଢ଼ା ହେବ।

ଏମିତି ବର୍ଷ ପରେ ବର୍ଷ ବି ଗଡ଼ିଯାଉଥିବ। ମନ୍ତ୍ରୀ ଓ ସଚିବ ଆସୁଥିବେ ଯାଉଥିବେ। କୁଳପତି ପ୍ରଫେସର ପଦ୍ମଜା ମିଶ୍ର ସେମିତି ଥିବେ। ତଥାପି ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ସ୍ବପ୍ନ ପୂରଣ ହୋଇପାରିବ ନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ବସିଥିବା କୁଳପତି ସମ୍ମିଳନୀରେ ବି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଦ୍ବିତୀୟ କ୍ୟାମ୍ପସ ନେଇ ଆଲୋଚନା ହୋଇଛି। ଖୁବ୍‌ଶୀଘ୍ର ଦ୍ବିତୀୟ କ୍ୟାମ୍ପସ ପ୍ରତିଷ୍ଠା ହେବ ବୋଲି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପଦ୍ମଜା ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ନୂଆ କରି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଉପରେ ଦ୍ବିତୀୟ କ୍ୟାମ୍ପସର ଭାଗ୍ୟ ନିର୍ଭର କରୁଛି। ମନ୍ତ୍ରୀ ଶ୍ରୀ ସାହୁ ପୂର୍ବରୁ ବିଭିନ୍ନ ସମୟରେ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ ଆସି ଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା କଥା କହିଛନ୍ତି। କ୍ୟାମ୍ପସର ସ୍ଥିତି ନେଇ ବି ତାଙ୍କର ଅଭିଜ୍ଞତା ରହିଛି। ତେଣୁ ଖୁବ୍‌ଶୀଘ୍ର ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ଜମି ଚିହ୍ନଟ ହେବା ସହ ନିର୍ମାଣ କାର୍ଯ୍ୟ ଆରମ୍ଭ ଦିଗରେ ପଦକ୍ଷେପ ନେବେ ବୋଲି ଛାତ୍ରୀମାନେ ଆଶା ବ୍ୟକ୍ତ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ପାଇଁ ରାଜଧାନୀ ଉପକଣ୍ଠ ଗୋଠପାଟଣାରେ ୩୦ଏକର ଜମି ଚିହ୍ନଟ ହୋଇଛି। କମିଟି ରିପୋର୍ଟ ଆଧାରରେ ଏହି ଜାଗାରେ ଚୂଡ଼ାନ୍ତ ମୋହର ଲଗାଯାଇଛି। ସେଠାରେ ସମସ୍ତ ସୁବିଧା ସୁଯୋଗ ରହିଛି। ବିଶ୍ବବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସଠାରୁ ଏହାର ଦୂରତା ମାତ୍ର ୨୦ କିମି ହେବ। ବରମୁଣ୍ତା ବସ୍‌ଷ୍ଟାଣ୍ତରୁ ମାତ୍ର ୭ କିମି ହୋଇଥିବା ବେଳେ ବିମାନବନ୍ଦର ନିକଟରୁ ୧୨କିମି ଓ ରେଳଷ୍ଟେସନଠାରୁ ୧୩କିମି ହେବ। ଓଡ଼ିଶାରେ ଆଇଆଇଏମ୍‌ ପ୍ରତିଷ୍ଠା ସମୟରେ ଏହି ଜମିକୁ ପ୍ରଥମେ ଚିହ୍ନଟ କରାଯାଇଥିଲା। ଛାତ୍ରୀଙ୍କ ସୁରକ୍ଷା ନେଇ କୌଣସି ପ୍ରକାର ଅସୁବିଧା ନାହିଁ।

ସମ୍ବନ୍ଧିତ ଖବର